Odia News Portal

ବେଳାଭୂମିରେ ୧୬ ଫୁଟର ମୃତ ତିମି ଠାବ

ଗୋପାଳପୁର : ଗୋପାଳପୁର ବେଳାଭୂମିରେ ରବିବାର ପୂର୍ବାହ୍ଣରେ ଏକ ମୃତ ତିମି (ହ୍ୱେଲ୍‌ ଶାର୍କ) ଠାବ କରାଯାଇଛି । ପ୍ରାୟ ୨ଟନ୍‌ ଓଜନର ଏହି ତିମି ୧୬ ଫୁଟ ୪ ଇଞ୍ଚର ବୋଲି ଜଣାଯାଇଛି । ଏହାର ଗୋଲେଇ ପ୍ରାୟ ୮ ଫୁଟ ।

ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ନିକଟସ୍ଥ ନୂଆବକ୍ସିପଲ୍ଲୀରେ ଶନିବାର ମତ୍ସଜୀବୀମାନେ ସମୁଦ୍ର ଭିତରକୁ ଯାଇଥିବା ବେଳେ ସେମାନଙ୍କ ଜାଲରେ ୩ଟି ତିମି ମାଛ ଲାଗିଥିଲା । ତେବେ ସେମାନେ ୨ଟିକୁ ଜାଲରୁ ମୁକ୍ତ କରି ଦେଇଥିଲେ । ଏହାପରେ ତିମି ଦୁଇଟି ପୁଣି ସମୁଦ୍ର ଗଭୀର ଜଳକୁ ଫେରି ଯାଇଥିଲେ । ମାତ୍ର ଆଉ ଏକ ତିମି ସମୁଦ୍ର ଭିତରକୁ ଯାଇପାରି ନଥିଲା ଓ ଉପକୂଳ ବାଲୁକା ଶଯ୍ୟାକୁ ଚାଲି ଆସିଥିଲା । ତାହାକୁ ସେମିତି ପରିତ୍ୟକ୍ତ ଅବସ୍ଥାରେ ଛାଡ଼ି ଦେଇଥିଲେ ମତ୍ସ୍ୟଜୀବୀ । ଉକ୍ତ ତିମି ରବିବାର ପୂର୍ବାହ୍ଣରେ ଗୋପାଳପୁର ବତୀଘର ନିକଟ ସମୁଦ୍ର ଉପକୂଳ ପାଖରେ ମୃତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ସମୁଦ୍ର ଲହଡ଼ିରେ ତିମିଟି ନୂଆବକ୍ସିପଲ୍ଲୀରୁ ଏପଟକୁ ଭାସି ଆସିଥିବା ଅନୁମାନ କରାଯାଉଛି । ବନବିଭାଗ ଓ ପୁଲିସ୍‌ ଉପସ୍ଥିତିରେ ତିମିକୁ ବାଲିରେ ପୋତି ଦିଆଯାଇଛି ।

ପେଟ ପାଖ ଧଳା, ଉପର ପାଶ୍ୱର୍ ଇଷତ୍‌ ନୀଳ ଓ ଧଳା ଛିଟା ରହିଥିବା ଏହି ତିମି ହ୍ୱେଲ୍‌ ଶାର୍କ ପ୍ରଜାତିର ବୋଲି କହିଛନ୍ତି ଜୁଲୋଜିକାଲ୍‌ ସର୍ଭେ ଅଫ୍‌ ଇଣ୍ଡିଆ (ଜେଡ୍‌ଏସ୍‌ଆଇ) ଗୋପାଳପୁର କେନ୍ଦ୍ରର ବୈଜ୍ଞାନିକ ଡ. ଅନୀଲ ମହାପାତ୍ର । ବଙ୍ଗୋପସାଗର ଜଳପୃଷ୍ଠରେ ଉତ୍ପନ୍ନ ପ୍ଲାଙ୍କ୍‌ଟନ୍‌ (ସାମୁଦ୍ରିକ ଶୈବାଳ ବା ଗୁଳ୍ମ ଉଦ୍ଭିଦ) ଖାଇବାକୁ ବଙ୍ଗୋପସାଗରର ଅନ୍ୟ ଭାଗରୁ ଓଡ଼ିଶା ଉପକୂଳକୁ ହ୍ୱେଲ୍‌ ଶାର୍କମାନେ ସାଧାରଣତଃ ଫେବ୍ରୁଆରୀରୁ ମାର୍ଚ୍ଚ ମାସ ମଧ୍ୟରେ ଆସିଥାନ୍ତି ବୋଲି ସେ କହିଛନ୍ତି । ମୃତ ତିମିଟି ପୁରୁଷ ଓ ଏହାର ସାଧାରଣ ମୃତ୍ୟୁ ଘଟିଥିବା ସେ ଦର୍ଶାଇଛନ୍ତି ।