ନୂଆଦିଲ୍ଲୀ : ମାଲେସିଆର ଶାସକ ଅବଦୁଲ୍ଲା ସୁଲତାନ ଅହମ୍ମଦ ଶାହ ଏବଂ ତାଙ୍କ ପତ୍ନୀ ୧୪ ଦିନ ପାଇଁ ରାଜପ୍ରାସାଦରେ କ୍ୱାରେଣ୍ଟାଇନ୍ରେ ରହିବାକୁ ଘୋଷଣା କରିଛନ୍ତି । ରାଜପ୍ରାସାଦର ୭ ଜଣ କର୍ମଚାରୀ କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଥିବାର ଜଣାପଡିବା ପରେ ସେମାନେ ଏପରି ପଦକ୍ଷେପ ନେଇଛନ୍ତି । ଯଦିଓ ସେମାନଙ୍କର ନମୁନା ନେଗେଟିଭ୍ ବାହାରିଛି, କିନ୍ତୁ ସେମାନେ ଏବେ କୌଣସି ପ୍ରକାର ରିସ୍କ ନେବାକୁ ଚାହାନ୍ତି ନାହିଁ । ତେଣୁ ୧୪ ଦିନ ପାଇଁ ସେମାନେ ନିଜକୁ ଅଲଗା ରଖିବାକୁ ସ୍ଥିର କରିଛନ୍ତି । ମାଲେସିଆ ସରକାର ରାଜପ୍ରାସାଦର ୭ ଜଣ କର୍ମଚାରୀ କାହାଦ୍ୱାରା ସଂକ୍ରମିତ ହେଲେ ତାହା ଏବେ ଜାଣିବା ପାଇଁ ଉଦ୍ୟମ କରୁଛନ୍ତି ।
ରାଜପ୍ରାସାଦକୁ ମଧ୍ୟ ସମ୍ପୂର୍ଣ୍ଣ ଭାବେ ବିଶୋଧନ କରାଯାଇଛି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦୦ରୁ ଅଧିକ ହୋଇସାରିଥିଲାବେଳେ ସେମାନଙ୍କ ଭିତରୁ ୨୧ଜଣ ପ୍ରାଣ ହରାଇ ସାରିଛନ୍ତି । ଆକ୍ରାନ୍ତ ବ୍ୟକ୍ତିଙ୍କ ମଧ୍ୟରୁ ଅଧିକାଂଶ ଗତ ମାସରେ ମାଲେସିଆରେ ଏକ ଇସଲାମିକ ସଂଗଠନ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଥିରେ ସମୁଦାୟ ୨୦ ହଜାର ଲୋକ ଭାଗ ନେଇଥିଲେ ଏବଂ ସେମାନଙ୍କ ଭିତରୁ ଦୁଇ-ତୃତୀୟାଂଶ ମାଲେସିଆର ନାଗରିକ ଥିଲେ । ବାକି ଲୋକ ଥାଇଲାଣ୍ଡ, ବ୍ରୁନେଇ ଏବଂ ଇଣ୍ଡୋନେସିଆ ଭଳି ଦେଶରୁ ଆସିଥିଲେ । ସେଇ ବିଦେଶୀ ନାଗରିକମାନେ ମଧ୍ୟ ନିଜ ନିଜ ଦେଶକୁ ଫେରିଯାଇ ସେଠାରେ କରୋନା ଭାଇରସର ସଂକ୍ରମଣ କରାଇଛନ୍ତି ।