Odia News Portal

ଆଜି ଲୋକସେବା ଭବନରେ ବସିବ ବିଧାନସଭା

ଭୁବନେଶ୍ୱର : ଆଜି ଲୋକସେବା ଭବନର ସମ୍ମିଳନୀ କକ୍ଷରେ ବସିବ ବିଧାନସଭାର ଅଧିବେଶନ । ଏ ଅଧିବେଶନରେ ୨୦୨୦-୨୧ ଆର୍ଥିକ ବର୍ଷର ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଗିଲୋଟିନରେ ପାରିତ ହେବା ସହ ବ୍ୟୟମଞ୍ଜୁରୀ ବିଲ୍‌ ମଧ୍ୟ ପାରିତ ହେବ । ଏଥିପାଇଁ ଆଜି ଅଗ୍ନିଶମ ବିଭାଗ ଦ୍ୱାରା ଲୋକସେବା ଭବନର କନଭେନସନ ସେଣ୍ଟରକୁ ଜୀବାଣୁମୁକ୍ତ କରିବାକୁ ବିଶୋଧନ କରାଯାଇଛି ।

ବିଧାନସଭା ଇତିହାସରେ ଘଟିବାକୁ ଯାଉଛି ନୂଆ ଘଟଣା । ରାଜ୍ୟରେ କରୋନା ପଜିଟିଭ୍‌ ଚିହ୍ନଟ ତୃତୀୟ ବ୍ୟକ୍ତିଙ୍କ ସଂସ୍ପର୍ଶରେ ବିଧାନସଭାରେ ଜଣେ କର୍ମଚାରୀ ଆସିଥିବାରୁ ବିଧାନସଭା ଅଧିବେଶନ ଲୋକସେବା ଭବନର କନଭେନସନ ସେଣ୍ଟରରେ ବସିବ । ୩୦ରେ ବିଧାନସଭା ବସି କେବଳ ସମସ୍ତ ବିଭାଗର ଖର୍ଚ୍ଚଦାବି ପାରିତ କରାଯିବା ସହ ବ୍ୟୟମଞ୍ଜୁରୀ ବିଲ୍‌ ମଧ୍ୟ ପାରିତ ହେବ । ଅଧିବେଶନରେ ସବୁ ଦଳର ମାତ୍ର ୩୦ ପ୍ରତିଶତ ବିଧାୟକ ଉପସ୍ଥିତ ରହିବେ । ସାମାଜିକ ଦୂରତା ରକ୍ଷା କରି ଏ ବୈଠକ ବସିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ୩୧ରେ ବ୍ୟୟମଞ୍ଜୁରୀ ବିଲ୍‌ ପାରିତ ହେବ ବୋଲି ସ୍ଥିର ହୋଇଥିଲା । ମାତ୍ର ସାଂପ୍ରତିକ ପରିସ୍ଥିତିକୁ ନଜରରେ ରଖି ଆସନ୍ତା ୩୦ରେକମ୍‌ ସମୟ ପାଇଁ ବିଧାନସଭା କନଭେନସନ ସେଣ୍ଟରରେ ବସିବ। ସବୁ ଦଳର ମାତ୍ର ୩୦ ପ୍ରତିଶତ ବିଧାୟକ ଆସିବାକୁ ବିଧାୟକ ଦଳର ନେତାମାନଙ୍କୁ ଅନୁରୋଧ କରାଯାଇଛି । ବିଧାୟକମାନେ ଦୁଇ ମିଟର ଦୂରତାରେ ବସିବେ । ବିଧାୟକମାନଙ୍କୁ ରାସ୍ତାରେ ନ ଅଟକାଇବାକୁ ସମସ୍ତ ଜିଲ୍ଲାପାଳ ଓ ଏସପିମାନଙ୍କୁ ଅବଗତ କରାଯାଇଛି । ଏପ୍ରିଲ ପହିଲାରୁ ସରକାରଙ୍କ ଖର୍ଚ୍ଚ ପାଇଁ ମାର୍ଚ୍ଚ ୩୧ ସୁଦ୍ଧା ବ୍ୟୟମଞ୍ଜରୀ ବିଲ୍‌ ପାରିତ ହେବାର ଆବଶ୍ୟକତା ଥିବାରୁ ୩୦ରେ ବୈଠକ ବସି ପାରିତ କରିବାକୁ ନିଷ୍ପତ୍ତି ହୋଇଛି ।