Odia News Portal

୧୦ଟି ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ସୋମବାର ଉପକୂଳ ଓଡ଼ିଶା ସମେତ ୧୦ଟି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୬ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ହେବା ସହିତ ଘୂର୍ଣ୍ଣିଝଡ଼ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି ।

ସୋମବାର ଉପକୂଳ ଓଡ଼ିଶା ସମେତ ବୌଦ୍ଧ, କନ୍ଧମାଳ, ରାୟଗଡ଼ା, ଢେଙ୍କାନାଳ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ହେବା ସହିତ ଘୂର୍ଣ୍ଣିଝଡ଼ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଅପରପକ୍ଷେ ଆସନ୍ତାକାଲି ଉପକୂଳ ଓଡ଼ିଶା ସମେତ କନ୍ଧମାଳ, ନବରଙ୍ଗପୁର, କୋରାପୁଟ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା, ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ରାଜ୍ୟର ଅବଶିଷ୍ଟ ଜିଲ୍ଲାଗୁଡିକରେ ପାଗ ଶୁଖିଲା ରହିବା ସହ ତାତି ଜାରି ରହିବ ।

ଆସନ୍ତା ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ବଢ଼ିବ । ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ୧ରୁ ୨ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ତାତି ବଢ଼ିବ। ଅନ୍ୟ ଜିଲ୍ଲାଗୁଡ଼ିକରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ଆର୍‌ ବିଶ୍ୱାସ କହିଛନ୍ତି ।

ରବିବାର ନୂଆପଡ଼ା, ରାୟଗଡ଼ା, ଗଜପତି ତଥା ବଲାଙ୍ଗୀର ଓ କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇଛି । ନୂଆପଡ଼ା ଜିଲ୍ଲା କୋମନାରେ ସର୍ବାଧିକ ୩୩.୩ ମିଲିମିଟିର ବର୍ଷା ହୋଇଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ଼ କରିଛି । ସେହିପରି ମାଲକାନଗିରିରେ ସର୍ବାଧିକ ତାପମାତ୍ରା ଲଗାତର ୩ ଦିନ ହେବ ୪୦ ଡିଗ୍ରୀ ଉପରେ ରହିଛି। ଉତ୍ତର କେରଳ ଓ ଦକ୍ଷିଣ ଛତିଶଗଡ଼ ଉପରେ ଟ୍ରଫ୍‌ ଲାଇନ୍‌ ସୃଷ୍ଟି ଏବଂ ବିହାର ଉପରେ ସମୂଦ୍ର ପତ୍ତନଠାରୁ ୯ଶହ ମିଟର ଉଚ୍ଚରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ରାଜ୍ୟର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଛି। ରାଜଧାନୀ ଭୁବନେଶ୍ୱର ସମେତ ଦାରିଙ୍ଗବାଡ଼ି ଭଳି କିଛି ସ୍ଥାନରେ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।