ଫୁଲବାଣୀ : କନ୍ଧମାଳରେ ଖୁବ୍ ଶୀଘ୍ର ହେବ କୋଭିଡ୍ ହସପିଟାଲ । ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମରେ ଏଠାରେ କୋଭିଡ୍ ହସ୍ପିଟାଲ୍ ପ୍ରସ୍ତୁତ କରିବା ପାଇଁ ଆଜି ଏକ ଚୁକ୍ତି ସ୍ୱାକ୍ଷର ହୋଇଛି । ରାଜ୍ୟ ସରକାର, ଓଏମ୍ସି ଓ କିମ୍ସ ମଧ୍ୟରେ ଏହି ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷର ହୋଇଛି । କନ୍ଧମାଳ ଜିଲ୍ଲାପାଳ ଡ. ବୃନ୍ଦା ଡି ଓ କିମ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡା. ବିଷ୍ଣୁ ପାଣିଗ୍ରାହୀ ଏହି ଚୁକ୍ତି ସ୍ୱାକ୍ଷର କରିଛନ୍ତି ।
ଚୁକ୍ତି ଅନୁସାରେ କନ୍ଧମାଳ ଜିଲ୍ଲାପାଳଙ୍କ ଦ୍ୱାରା ଆବଶ୍ୟକ ଭିତ୍ତିଭୂମି ପ୍ରଦାନ ସହ ୧୦ଟି ଆଇସିୟୁ ସହ ୧୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ କରାଯିବା ନେଇ ଯୋଜନା ରହିଛି । ଏହି ହସ୍ପିଟାଲ ପରିଚାଳନାର ସମସ୍ତ ଖର୍ଚ୍ଚ ଓଏମ୍ସି ବହନ କରିବ ।
ଏଥିରେ ସମସ୍ତ ଡାକ୍ତର, ପାରାମେଡିକାଲ୍ କର୍ମଚାରୀ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କିମ୍ସ ପକ୍ଷରୁ ଗ୍ରହଣ କରାଯିବ । ସାଂସଦ ଡ. ସାମନ୍ତ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ କୋଭିଡ୍ର ବ୍ୟାପକତାକୁ ରୋକିବା ଦିଗରେ ବିଶେଷ ଯତ୍ନବାନ ହେବା ସହ ଜୋରସୋର ଉଦ୍ୟମ ଜାରି ରଖିଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାରେ କୋଭିଡ୍ ହସ୍ପିଟାଲ ଆରମ୍ଭ କରାଯାଉଥିବା ବେଳେ ଭୁବନେଶ୍ୱର ଓ କଟକ ପରେ କନ୍ଧମାଳ ଜିଲ୍ଲାରେ ପ୍ରଥମ ଜିଲ୍ଲା ଭିତ୍ତିକ କୋଭିଡ୍ ହସ୍ପିଟାଲ୍ ଆରମ୍ଭ ହେବାକୁ ଯାଉଛି । ଏହା ଅତି ଆନନ୍ଦର ବିଷୟ ବୋଲି ସେ କହିଛନ୍ତି ।