ଭୁବନେଶ୍ୱର : ନନ୍ଦନକାନନକୁ ଗତ ଫେବ୍ରୁଆରୀ ୨୮ ତାରିଖରେ ରଣପୁରରୁ ଉଦ୍ଧାର ହୋଇ ଆସିଥିବା ହିମାଳୟ ଶାଗୁଣାର ଆଜି ମୃତ୍ୟୁ ଘଟିଛି । ମୃତ୍ୟୁର କାରଣ ଜଣାପଡିନାହିଁ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି । ଶାଗୁଣାଣି ନୟାଗଡ଼ ଜିଲ୍ଲା ରଣପୁର ଗୁଣ୍ଡୁରିଆ ଗ୍ରାମରୁ ୨୧ ଫେବ୍ରୁଆରୀରେ ଉଦ୍ଧାର ହୋଇଥିଲା । ଗ୍ରାମବାସୀ ଏହାକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ ।
ବନ ବିଭାଗ କର୍ମଚାରୀ ପ୍ରଥମେ ରଣପୁର ପଶୁ ଡାକ୍ତରଖାନାରେ ଏହାର ଚିକିତ୍ସା କରାଇଥିଲେ । ପରେ ୨୪ ଫେବ୍ରୁଆରୀରେ ଶାଗୁଣାଟିକୁ ଭୁବନେଶ୍ୱରସ୍ଥିତ ଓୟୁଏଟି ଭେଟେରିନରୀରେ ଚିକିତ୍ସା କରାଯାଇଥିଲା । ପରେ ୨୮ ତାରିଖରେ ଏହାକୁ ନନ୍ଦନକାନନରେ ଛଡ଼ାଯାଇଥିଲା । ଆଜି ଶାଗୁଣାଟିର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାକୁ କ୍ୱାରେଣ୍ଟାଇନରେ ରଖାଯାଇଥିଲା । ହେଲେ ଏହାର ମୃତ୍ୟୁ ଘଟିଥିଲା । ଅନ୍ୟ ପକ୍ଷରେ ସିଂହ ସଫାରୀରେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ସିଂହୀ ଶ୍ୟାମା ଅସୁସ୍ଥ ହୋଇପଡିଛି । ପ୍ରଥମେ ତାକୁ ନନ୍ଦନକାନନ ପ୍ରାଣୀ ଚିକିତ୍ସାଳୟରେ ଚିକତ୍ସା କରାଯିବା ପରେ ଓୟୁଏଟି ସ୍ଥାନାନ୍ତର କରାଯାଇଛି ।