Odia News Portal

ଗଜପତିରେ ଆଜି ଉଦ୍‌ଘାଟନ ହେବ କୋଭିଡ୍‌-୧୯ ହସ୍ପିଟାଲ

ପାରଳାଖେମୁଣ୍ଡି : କରୋନା ମୁକାବିଲା ପାଇଁ ଗଜପତି ଜିଲ୍ଲାରେ ଏକ ସ୍ୱତନ୍ତ୍ର କୋଭିଡ-୧୯ ହସ୍ପିଟାଲ ନିର୍ମାଣ ହୋଇଛି । ବୁଧବାର ଏହାର ଉଦ୍‌ଘାଟନ ହେବ ବୋଲି ପରିଚାଳନା ଦାୟିତ୍ୱ ନେଇଥିବା ହାଇଟେକ୍‌ ମେଡିକାଲ୍‌ କଲେଜ ଅଧ୍ୟକ୍ଷ ଡ.ତିରୁପତି ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଏହି ହସ୍ପିଟାଲରେ ୧୦ ଶଯ୍ୟା ବିଶିଷ୍ଟ ଆଇସିୟୁ ସହ ଶହେ ଶଯ୍ୟା ବିଶିଷ୍ଟ କୋଭିଡ୍‌-୧୯ ହସ୍ପିଟାଲ ନିର୍ମାଣ କରାଯାଇଛି । ସରକାର ଏହାକୁ ନିର୍ମାଣ କରିବା ପାଇଁ ନିର୍ଦ୍ଦେଶ ଦେବାପରେ ପ୍ରଶାସନ ଏହାର ଭିତ୍ତିଭୂମି ପ୍ରସ୍ତୁତ କରିଛି । ଏହାର ପରିଚାଳନା ସମ୍ପର୍କିତ ପାଣ୍ଠି ଓଏଚ୍‌ପିସିଏଲ ଯୋଗାଇ ଦେବାକୁ ଥିବାବେଳେ ହାଇଟେକ୍‌ ମେଡିକାଲ ଏହାକୁ ପରିଚାଳନା କରିବ ବୋଲି ସେ ସୂଚନା ଦେଇଛନ୍ତି ।

ଏଠାରେ ୮ ଜଣ ହାଉସ୍‌ ସର୍ଜନଙ୍କ ସମେତ ୨୦ ଜଣ ଡାକ୍ତର, ୮୦ ଜଣ ନର୍ସ ଏବଂ ଅନ୍ୟାନ୍ୟ ମେଡିକାଲ କର୍ମଚାରୀ ନିୟୋଜିତ ରହି ଆକ୍ରାନ୍ତଙ୍କୁ ସମସ୍ତ ପ୍ରକାର ସେବା ଯୋଗାଇଦେବେ ବୋଲି ସେ କହିଛନ୍ତି । ଗଜପତି ଭଳି ଏକ ଉପାନ୍ତ ଜିଲ୍ଲାରେ କୋଭିଡ୍‌-୧୯ ହସ୍ପିଟାଲ ନିର୍ମାଣ ପାଇଁ ରାଜ୍ୟ ସରକାର ଯେଉଁଭଳି ତତ୍ପରତା ପ୍ରକାଶ କଲେ ଏବଂ ଜିଲ୍ଲା ପ୍ରଶାସନ ଭିତ୍ତିଭୂମି ପ୍ରସ୍ତୁତ କରିବା ପାଇଁ ଯେଉଁଭଳି ତତ୍ପରତା ପ୍ରକାଶ କଲେ ତାହା ନିଶ୍ଚିତ ଉଦାହରଣ ବୋଲି ସେ କହିବା ସହ ଉଭୟ ସରକାର ଏବଂ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ।