କଟକ : ଲକ୍ଡାଉନ୍ ବେଳେ ଜବତ ହୋଇ ପାରିବନି ଯାନବାହନ । ପୋଲିସ୍ କାହାର ଗାଡ଼ି ଜବତ କରି ପାରିବ ନାହିଁ । ଏହି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏ ସମ୍ପର୍କିତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ରାୟ ଦେଇଛନ୍ତି ଯେ କୌଣସି ଆଇନ୍ ଭଙ୍ଗ କଲେ ପୋଲିସ୍ ଗାଡ଼ି ଚାଳକ ଠାରୁ ଅଣ୍ଡରଟେକିଂ ଲେଖି ଛାଡ଼ି ଦେବେ । ଗାଡ଼ି ଜବତ କରିବେ ନାହିଁ । ଏମିତିକି ଜବତ ଗାଡ଼ି ସବୁ ତୁରନ୍ତ ଫେରାଇବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପ୍ରକାଶ ଥାଉକି ସଟ୍ଡାଉନ୍ ସରି ପୁଣି ଲକ୍ଡାଉନ୍ ଆରମ୍ଭ ହେବା ପରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପୋଲିସ୍ ଶତାଧିକ ବାଇକ୍ ଓ ଅନ୍ୟ ଗାଡ଼ି ଜବତ କରିଥିଲା ।
ଆହୁରି ମଧ୍ୟ ଲକ୍ ଡାଉନ୍ ସମୟରେ ପୋଲିସ୍ ମାନବିକତାକୁ ଭୁଲି ନଯିବାକୁ ମଧ୍ୟ କୋର୍ଟ ପରାମର୍ଶ ଦେଇଛନ୍ତି । ଘର ପାଖରେ ଜିନିଷ କିଣାକିଣି ପାଇଁ ଚାଲି କରି ଯିବାକୁ କୁହାଯାଇଛି । ହେଲେ ସେହି ସବୁ ଦୋକାନରେ ଜନିଷ ଉପଲବ୍ଧ ନହେବା ଯାଏ ଲୋକଙ୍କୁ ଗାଡ଼ି ଚଳାଇବା ଉପରେ କଟକଣା ନଲଗାଇବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ସରକାର ଉପଯୁକ୍ତ ବ୍ୟବସ୍ଥା ନକରିବା ଯାଏ ପୋଲିସ୍ ଲୋକଙ୍କ ଉପରେ ସେଭଳି କୌଣସି କାର୍ଯ୍ୟାନୁଷ୍ଠାନ ନେଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି । ଏହି ମାମଲାର ଆଜି ଶୁଣାଣି କରିଥିଲେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ।