ବ୍ରହ୍ମପୁର : ମହାମାରୀ କରୋନା ଭୁତାଣୁ ସଂକ୍ରମଣର ମୁକାବିଲା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଜାରି କରିଥିବା ନିର୍ଦ୍ଦେଶନାମା କିଭଳି କାର୍ଯ୍ୟକାରୀ କରାଯାଉଛି ତାହା ପରଖିବାକୁ ପୋଲିସ ମହାନିର୍ଦ୍ଦେଶକ ଆଜି ସକାଳୁ ଗଞ୍ଜାମ ଜିଲ୍ଲା ଦିନିକିଆ ଗସ୍ତରେ ଆସିଥିଲେ । ସେ ପୋଲିସର କାର୍ଯ୍ୟ ଦକ୍ଷତା ପରଖିବାକୁ କଟକରୁ ବାହାରି ପ୍ରଥମେ ଖଲ୍ଲିକୋଟ ଥାନା ପରିଦର୍ଶନ କରିଥିଲେ ଓ ପରେ ରମ୍ଭା, ଗଞ୍ଜାମ,ଛତ୍ରପୁର,ବ୍ରହ୍ମପୁର ଆଦି ପୋଲିସ ଥାନା ଗୁଡିକୁ ଗସ୍ତ କରିଥିଲେ ।
ଏହି ଲକଡାଉନ ସମୟରେ ଲୋକଙ୍କ ପ୍ରତି ପୋଲିସର ବ୍ୟବହାର ଓ ଲକଡାଉନ ସମ୍ପୂର୍ଣ୍ଣ ସଫଳ କରିବା ଦିଗରେ ପୋଲିସର ସହଯୋଗିତା ଉପରେ ସମୀକ୍ଷା କରିଥିଲେ । ପୋଲିସ ପ୍ରଶାସନ ଜିଲ୍ଲ ପ୍ରଶାସନକୁ ପୂର୍ଣ୍ଣ ସହଯୋଗ କରି ଲୋକଙ୍କ ଆସ୍ତାଭାଜନ ପୂର୍ବକ କାର୍ଯ୍ୟ କରି ବୃଦ୍ଧ, ଅସହାୟ, ମହିଳା, ପିଲାମାନେ ଯେପରି ପୋଲିସ ଦ୍ୱାରା ହଇରାଣ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ପୋଲିସ କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ପୋଲିସ କଣ୍ଟ୍ରୋଲ ରୁମ ଓ ପେଟ୍ରୋଲିଙ୍ଗ କେମିତି ଚାଲିଛି ତଦାରଖ କରିଥିଲେ ।
ଜିଲ୍ଲା ଓ ସହର ପରିଦର୍ଶନ ପରେ ସେ ଡି.ଆଇ.ଜି ସମ୍ମିଳନୀ କକ୍ଷରେ ଏକ କାର୍ଯ୍ୟକାରିଣୀ ସମୀକ୍ଷା ବୈଠକ କରିଥିଲେ। ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ଏହି ଗସ୍ତ ବେଳେ ଦକ୍ଷିଣାଞ୍ଚଳ ଡ଼ିଆଇଜି ଶ୍ରୀ ସତ୍ୟବ୍ରତ ଭୋଇ ଗଞ୍ଜାମ ଏସପି ଶ୍ରୀ ବ୍ରିଜେଶ ରାଏ, ବ୍ରହ୍ମପୁର ଏସପି ଶ୍ରୀ ପିନାକୀ ମିଶ୍ର ଓ ଅନ୍ୟାନ୍ୟ ପୋଲିସ ପଦାଧିକାରୀ ଉପସ୍ଥିତ ଥିଲେ ।
