ଭୁବନେଶ୍ୱର : ଲକ୍ ଡାଉନ୍ ସମୟରେ ମାଛ ଟିକେ ଖାଇବାପାଇଁ ଘରୁ ବାହାରି ଲୋକେ କେଉଁଠି ପୁଲିସ୍ ହାତକୁ ପାହାର ଖାଉଛନ୍ତି ତ ଆଉ କେଉଁଠି ଜୋରିମାନା ଗଣି କାନମୁଣ୍ଡା ଆଉଁଷି ଫେରୁଛନ୍ତି । ତେବେ ରାଜଧାନୀବାସୀଙ୍କ ଦୁଆର ମୁହଁରେ ତାଜା ମାଛ ଯୋଗାଇବାପାଇଁ ଆରମ୍ଭ ହୋଇଥିବା ଫିସ୍ ଅନ୍ ହ୍ୱିଲ କୁଆଡେ ଗଲା ବୋଲି ଏବେ ଲୋକେ ପ୍ରଶ୍ନ କରୁଛନ୍ତି । ଅନ୍ୟ କେଉଁ ସମୟରେ ନହେଲେ ନାହିଁ ଲକ୍ ଡାଉନ୍ ସମୟରେ ଏହି ସରକାରୀ ଗାଡି ଗୁଡିକ କାହିଁକି ଆସୁନାହିଁ ବୋଲି ପ୍ରଶ୍ନ ହେଲାଣି । ୨୦୧୭ ଅକ୍ଟୋବର ମାସରେ ରାଜଧାନୀରେ ବହୁ ଆଡମ୍ବରରେ ଆରମ୍ଭ ହୋଇଥିଲା ଫିସ୍ ଅନ୍ ହ୍ୱିଲ ଯୋଜନା । ରଙ୍ଗରଙ୍ଗିଆ ବେଲୁନ୍୍ ଓ ବିଭିନ୍ନ ପ୍ରକାର ମାଛ ଚିତ୍ର ଥାଇ ତିଆରି ପୋଷ୍ଟରରେ ସଜେଇ ହୋଇଥିବା ଗାଡି ଗୁଡିକୁ ଖୋଦ୍ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିଲେ । ସେତେବେଳେ କୁହାଯାଇଥିଲା ରାଜଧାନୀବାସୀଙ୍କ ଦୁଆର ମୁହଁରେ ତାଜା ମାଛ ପହଞ୍ଚାଇବ ଏହି ଫିସ୍ ଅନ୍ ହ୍ୱିଲ ।
ଇଂରାଜୀ ନାଁ ଶୁଣି ବି ଲୋକେ ଖୁସି ହୋଇଥିଲେ । କିଛି ଏହି ଗାଡିରେ ରାଜଧାନୀରେ ମାଛ ବିକ୍ରି ହେଲା । ତାଜା ମାଛ ସାଙ୍ଗକୁ ଗୋଟିଏ ଦୁଇଟି ଗାଡିରେ ମାଛ ଭଜା ହୋଇ ବି ମିଳିଲା । ହେଲେ କିଛିଦିନ ପରେ ରାସ୍ତାରୁ ଏହି ଗାଡି ଗୁଡିକ ଉଭାନ ହୋଇଗଲେ । ନା ଫିସ୍ ମିଳିଲା ନାଁ ହ୍ୱିଲ ଦେଖିବାକୁ ମିଳିଲା । ହାଟକୁ ଯାଇ ହାତରେ ଚିପି ମାଛ କିଣିବାରେ ଅଭ୍ୟସ୍ତ ରାଜଧାନୀବାସୀ ବି ଏହି ସରକାରୀ ଯୋଜନା କଥା ଭୁଲି ଯାଇଥିଲେ । ହେଲେ ଏବେ ଲକ୍ଡାଉନ୍ରେ ଯେତେବେଳେ ଘର ଆଗରେ ଗାଡିରେ ଗ୍ରୋସୋରୀ ଠାରୁ ଆରମ୍ଭ କରି ପରିବାପତ୍ର ସବୁକିଛି ମିଳୁଛି ସେତେବେଳେ ଲୋକେ ପୁଣିଥରେ ଫିସ୍ ଅନ୍ ହ୍ୱିଲକୁ ଖୋଜୁଛନ୍ତି । ତୁରନ୍ତ ଏହି ଗାଡିକୁ ବାହାର କରିବାକୁ ବି ଦାବି ହେଲାଣି । ରାଜଧାନୀର ଜଣେ ମାଛପ୍ରିୟ ବ୍ୟକ୍ତିଙ୍କ କହିବାକଥା ଯେ ଫିସ୍ ଅନ୍ ହ୍ୱିଲ ଯଦି ଗଡୁଥାନ୍ତା ତେବେ ଲୋକଙ୍କୁ ପୁଲସ୍ ପାହାର କିମ୍ବା ୧୦୦ ଟଙ୍କାର ମାଛ ପାଇଁ ୫୦୦ ଟଙ୍କା ଜୋରିମାନା ଗଣିବାକୁ ପଡନ୍ତା ନାହିଁ । ତେବେ ଖୋଦ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିବା ଏହି ଗାଡି ଗୁଡିକ କୁଆଡେ ଗଲା ତାହାର ଖୋଜ ଖବର ଲୋକେ ଆଉ ରଖିନାହାନ୍ତି । ଏବେ ସମୟ ଆସିବାକୁ ଖୋଜୁଛନ୍ତି ।
ତେବେ ଫିସ୍ ଅନ୍ ହ୍ୱିଲ ରାସ୍ତାରୁ ଗାଏବ ହୋଇଥିବାବେଳେ ରାଜ୍ୟ ସରକାରଙ୍କର ଫିସ୍ଫେଡ୍ ନାମକ ସଂସ୍ଥାଟିର ବି ଦେଖା ଦର୍ଶନ ନାହିଁ । ଲୋକେ କିଭଳି ସୁବିଧାରେ ମାଛ ଟିକେ ପାଇବ ସେ ନେଇ ଫିସ୍ଫେଡ୍ କର୍ତ୍ତୃପକ୍ଷ ମୁହଁ ଖୋଲୁ ନାହାନ୍ତି । ହାତଗଣତି ଦୁଇ ତିନିଟି ଚିଲିକାଫ୍ରେସକୁ ଦେଖାଇ କାମ ସାରି ଦେଉଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିବା ଫିସ୍ ଅନ୍ ହ୍ୱିଲ କୁଆଡେ ଗଲା ତାହାର ଉତ୍ତର ଦେବା ସହିତ ଫିସ୍ଫେଡ୍ କର୍ତ୍ତୃପକ୍ଷ ଲୋକଙ୍କ ଘର ନିକଟରେ ମାଛ ପହଞ୍ଚାଇବାକୁ ମତପ୍ରକାଶ ପାଉଛି ।