Odia News Portal

ମା’ କାଳିଜାଈ ପୀଠ ସାଜିବ ଆକର୍ଷଣ କେନ୍ଦ୍ର ବିନ୍ଦୁ

ଭୁବନେଶ୍ୱର : ଚିଲିକାର ମା’ କାଳୀଜାଈ ପୀଠ ଏବେ ଅପରୂପ ସୌନ୍ଦର୍ଯ୍ୟରେ ସଜେଇ ହୋଇଛି । ଏନେଇ ଆକାଶ ମାର୍ଗରୁ ଏକ ଫଟୋ ଟ୍ୱିଟର୍‌ ଏବଂ ସୋସିଆଲ୍‌ ମିଡିଆର ବିଭିନ୍ନ ସାଇଡ୍‌ରେ ଅପ୍‌ଲୋଡ୍‌ କରାଯାଇ ପୀଠର ଉନ୍ନତିକରଣ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ମରାଳ ମାଳିନୀ ନୀଳାମ୍ବୁ ଚିଲିକା ଭିତରେ କାଳୀଜାଈ ପୀଠ ଏବଂ ସ୍ଥାନୀୟ ପାହାଡ଼ ପ୍ରତି ପର୍ଯ୍ୟଟକଙ୍କ ଏକ ଭିନ୍ନ ଆକର୍ଷଣ ରହିଛି । ସେଥିପାଇଁ ଦୈନିକ ଶହ ଶହ ସଂଖ୍ୟାରେ ଉଭୟ ଦେଶୀ ଓ ବିଦେଶୀ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଉକ୍ତ ପୀଠର ଘାଟ ଓ ଚୁତଃପାଶ୍ୱର୍କୁ ସୌନ୍ଦର୍ଯ୍ୟକରଣ କରାଯାଇଛି ।

କାଳୀଜାଈ ଠାକୁରାଣୀଙ୍କ ପୀଠକୁ ରାଜ୍ୟ ସରକାର ଉନ୍ନତିକରଣ ପାଇଁ ଯେଉଁ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି ତାହା ଆଗାମୀ ଦିନରେ ପର୍ଯ୍ୟଟକଙ୍କୁ ନିଶ୍ଚିତ ଭାବରେ ଆକୃଷ୍ଟ କରିବ ବୋଲି ଚିଲିକା ଡେଭେଲପ୍‌ମେଣ୍ଟ ଅଥରିଟି (ସିଡିଏ) ପକ୍ଷରୁ କୁହାଯାଇଛି । ଆଇସିଜେଡ୍‌ଏମ୍‌ପି ପାଣ୍ଠିରେ ଏହି ସ୍ଥଳର ଉନ୍ନତିକରଣ କରାଯାଇଛି । ରାଜ୍ୟ ସରକାର ଚିଲିକାର ଉନ୍ନତିକରଣ ପାଇଁ ସ୍ୱତନ୍ତ୍ର ଅର୍ଥରାଶି ପ୍ରଦାନ କରିଛନ୍ତି । ମହାମାରୀ କରୋନା ପାଇଁ ଲକ୍‌ଡାଉନ୍‌ ଘୋଷଣାର ବହୁ ପୂର୍ବରୁ ଏହି ପୀଠର ଉନ୍ନତିକରଣ କାର୍ଯ୍ୟ ଶେଷ ହୋଇଛି । ହେଲେ ଲକ୍‌ଡାଉନ୍‌ ପାଇଁ ଏହା ଲୋକଲୋଚନକୁ ଆସିପାରିନାହିଁ । କଟକଣା ଉଠିଲା ପରେ ଏହା ବିଶ୍ୱ ଦରବାରରେ ପ୍ରଦର୍ଶିତ କରାଯିବ ବୋଲି ସିଡିଏ ପକ୍ଷରୁ ସୂଚନା ଦିଆଯାଇଛି ।