ଭୁବନେଶ୍ୱର : କରୋନା ମାଡରେ ଗାଁ ଠୁ ସହର ଯାଏ ଯଦି କିଏ ସବୁଠାରୁ ବେଶି କ୍ଷତିଗ୍ରସ୍ତ ତେବେ ସେ ଦୁଇ ବର୍ଗ ହେଉଛନ୍ତି ରଜକ ଓ ବାରିକ । ଅବସ୍ଥା ଏଭଳି ହେଲାଣି ଯେ ସହରାଞ୍ଚଳରେ ରହୁଥିବା ଏହି ବର୍ଗର ଲୋକେ ଏବେ ବେଳାଏ ଖାଇଲେ ଆଉ ବେଳାଓ ଉପାସ ରହିଲେଣି । ଅଧିକାଂଶଙ୍କ ଘରେ ଚୂଲି ଜଳୁନାହିଁ । କରୋନା ସଂକ୍ରମଣ ପରେ ପରେ ଲକ୍ଡାଉନ୍ ଜାରି ହେଲା । ତେବେ ଲକ୍ ଡାଉନ୍ ସମୟରେ ସମସ୍ତ ଅତ୍ୟାବଶ୍ୟକ ଦୋକାନ ଖୋଲିଥିଲେ ବି ଗାଁ ଠୁ ସହର ଯାଏ ସେଲୁନ କିମ୍ବା ଲଣ୍ଡ୍ରି ଖୋଲି ନାହିଁ । ପ୍ରଶାସନ ବି ଏଥି ପ୍ରତି ଦୃଷ୍ଟି ଦେଉନାହିଁ । ପ୍ରଥମେ କୁହାଗଲା ଯେ ବଡ ବଡ ସେଲୁନ ଓ ସ୍ପା ବନ୍ଦ ହେବ । ଛୋଟ ଛୋଟ ସେଲୁନ ଖୋଲିବ । ହେଲେ ପରେ କିନ୍ତୁ ସବୁ ବନ୍ଦ କରିଦେଲେ ।
ଦୋକାନ ବନ୍ଦ ହେବାପରେ ବାରିକମାନେ ହାତବାନ୍ଧି ବସିଛନ୍ତି । ଚୁଟି ଦାଢି ଆଦି କାଟିବାକୁ ଚାହିଁଲେ ବି ଲୋକେ ସଂକ୍ରମଣ ଭୟରେ ସେମାନଙ୍କ ନିକଟକୁ ଯାଉ ନାହାନ୍ତି । ଘରକୁ ଘର ବୁଲି ଚୁଟି କାଟି ପେଟ ପୋଷିବାକୁ ଉଦ୍ୟମ କଲେ ବି ଲୋକେ ରାଜି ହେଉନାହାନ୍ତି । ସେଲୁନ୍ ଖୋଲିଲେ ହେଲେ କିଏ କେତେବେଳେ ଆସି ଖିଅର ହୁଅନ୍ତା, ହେଲେ ପ୍ରଶାସନର କଟକଣା ଯୋଗୁଁ ତାହା ହୋଇପାରୁ ନାହିଁ । ଅନୁରୂପ ଅବସ୍ଥା ରଜକ ସମ୍ପ୍ରଦାୟର । ସହରରେ ବିଭିନ୍ନ ସ୍ଥାନରେ ଲୁଟା ପଟା ଇସ୍ତ୍ରୀ କରି ପେଟପୋଷୁ ଥିବା ରଜକମାନେ ଏବେ ପୂରା ବେକାର । ଲକ୍ ଡାଉନ୍ରେ ଘରେ ରହିବା ଯୋଗୁଁ ଲୋକଙ୍କର ଆଉ ଲୁଗାପଟା ଆଇରନ୍ ହେବା ଆବଶ୍ୟକ ପଡୁନି । ଯାହା ଖଣ୍ଡେ ଦି ଖଣ୍ଡ ଦରକାର ତାହାକୁ କୌଣସି ପ୍ରକାରେ ଘରେ କରିଦେଉଛନ୍ତି । ଯିଏ ଘରେ ଜାମା ପଟା ଇସ୍ତ୍ରୀ ଦେଇ ନପାରୁଛି ସଂକ୍ରମଣ ଭୟରେ ଲୋଚାକୋଚା ପୋଷାକ ପିନ୍ଧୁଛି ପଛେ ଲଣ୍ଡ୍ରିକୁ ଲୁଗାନେଇ ଯାଉନାହିଁ । ପ୍ରଶାସନ ବି ଏମାନଙ୍କୁ ଦୋକାନ ଖୋଲିବାକୁ ଅନୁମତି ଦେଉନାହିଁ ।
ଦ୍ୱିତୀୟ ପର୍ଯ୍ୟାୟ ଲକ୍ ଡାଉନ୍ କାଳରେ ଅନେକ ବିଭାଗରେ ଏହାକୁ କୋହଳ କରାଯାଇଛି । ସେଗୁଡିକୁ ଜରୁରୀ ବୋଲି ଦର୍ଶାଯାଉଛି । ତେବେ ଲୋକେ ଚୁଟି କାଟିବା କିମ୍ବା ଲୁଗାପଟା ଇସ୍ତ୍ରୀ କରିବା କଣ ଜରୁରୀ ନୁହେଁ କି ବୋଲି ପ୍ରଶ୍ନ ହେଲାଣି । ଲୋକଙ୍କର ଆବଶ୍ୟକତା ସହିତ ଏହି ଦୁଇ ବର୍ଗର ପେଟ ପାଟଣା କଥା ବି ଅଛି । ମାସାଧିକ କାଳ କାମଧନ୍ଦା ନଥିବାରୁ ଯାହା କିଛି ସଞ୍ଚିତ ଅର୍ଥ ଥିଲା ତାହା ସରି ସରି ଆସିଲାଣି । ଆଉ ଯଦି ସପ୍ତାହେ ଦୁଇ ସପ୍ତାହ ଏଭଳି ଅବସ୍ଥା ଜାରି ରହିବ ତେବେ ପିଲାଛୁଆଙ୍କୁ ଧରି ଆହର କେନ୍ଦ୍ର ଅଥବା ରିଲିଫ କେନ୍ଦ୍ରକୁ ଯିବାକୁ ପଡିବ ବୋଲି କିଛି ବାରିକ ଓ ରଜକ ମତ ଦେଲେଣି । ଆଉ କିଛି ପର କରିଦେଇଥିବା ଗାଁକୁ ପୁଣିଥରେ ଫେରିବାପାଇଁ ସଜବାଜ ହେଲେଣି । କଟକଣା ଭୟରେ ଏହି ଦୁଇ ସମ୍ପ୍ରଦାୟ ଯଦି ସବୁଦିନ ପାଇଁ ସହର ଛାଡନ୍ତି ତେବେ କରୋନା ଯିବାପରେ ଲୋକେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେବା ନିଶ୍ଚିତ ।