ନୂଆଦିଲ୍ଲୀ : କରୋନା ମହାମାରୀ ସତ୍ତ୍ୱେ ଚଳିତବର୍ଷ ଅମରନାଥ ଯାତ୍ରା ଜାରି ରହିବ। ବୁଧବାର ଶ୍ରୀ ଅମରନାଥ ଶ୍ରାଇନ ବୋର୍ଡ଼ର ଅଧ୍ଯକ୍ଷ ତଥା ଜମ୍ମୁ-କଶ୍ମୀରର ଏଲଜି ଗିରିଶ ଚନ୍ଦ୍ର ମୁର୍ମୁଙ୍କ ଅଧ୍ୟକ୍ଷତାରେ ଏ ବର୍ଷ ଯାତ୍ରା ନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ଏହାର ମାତ୍ର କିଛି ସମୟ ପରେ ହିଁ ପୁରୁଣା ନିଷ୍ପତ୍ତିକୁ ବଳବତ୍ତର ରଖିବା ପାଇଁ ନିଷ୍ପତ୍ତି ହୋଇଛି। ଏବେ ଧାର୍ଯ୍ୟ କାର୍ଯ୍ୟକ୍ରମ ମୁତାବକ, ୨୩ ଜୁନରୁ ଅମରନାଥ ଯାତ୍ରା ଆରମ୍ଭ ହେବ।
ସୂଚନାଥାଉ କି, ଚଳିତବର୍ଷ ଶ୍ରୀ ଅମରନାଥ ଶ୍ରାଇନ ବୋର୍ଡ଼ ୨୩ ଜୁନରୁ ଯାତ୍ରା ଆରମ୍ଭ କରିବା ନେଇ ଘୋଷଣା କରିଥିଲା। କିନ୍ତୁ ଦେଶରେ ବଢିଚାଲିଥିବା କରୋନା ସଂକ୍ରମିତଙ୍କ ସଂଖ୍ୟା ଏବଂ ଲକଡାଉନକୁ ନଜରରେ ରଖି ଯାତ୍ରା ନ ହେବାର ଆଶଙ୍କା ରହିଥିଲା। ଶେଷରେ ବୁଧବାର ଅମରନାଥ ଯାତ୍ରାକୁ ଜାରି ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ରାଜଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରଖାଯାଇଥିଲା।
୨୦୦୦ରେ ଶ୍ରୀ ଅମରନାଥ ଶ୍ରାଇନ ବୋର୍ଡ଼ ଗଠନ କରାଯାଇଥିଲା। ଜମ୍ମୁ-କଶ୍ମୀର ରାଜ୍ୟପାଳ ଏହାର ଅଧ୍ୟକ୍ଷ ଥିଲେ। ଗତବର୍ଷ ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟିବା ପରେ ଏବେ ଏଲଜି ବୋର୍ଡର ଅଧ୍ୟକ୍ଷ ଅଛନ୍ତି। ଗତବର୍ଷ ମଧ୍ୟ ଅଗଷ୍ଟ ମାସରେ ଅନୁଚ୍ଛେଦ ୩୭୦ ହଟିବାର ୩ ଦିନ ପୂର୍ବରୁ ଯାତ୍ରା ସ୍ଥଗିତ କରି ଦିଆଯାଇଥିଲା।
ତେବେ ୬୦ ଦିନ ଚାଲିବାକୁ ଥିବା ଅମରନାଥ ଯାତ୍ରା କଡା ସୁରକ୍ଷା ବ୍ୟବସ୍ଥା ସହ ଆରମ୍ଭ ହେବ। ଗୃହ ମନ୍ତ୍ରାଳୟ କହିଛି, ସୁରକ୍ଷାର ସମସ୍ତ ଦାୟିତ୍ବ କେବଳ ଜମ୍ମୁ-କଶ୍ମୀର ସରକାରଙ୍କ ଉପରେ ଛାଡିଦିଆ ନ ଯାଉ। ଆତଙ୍କବାଦୀ ଗ୍ରୁପ ‘ହିଜବ-ଉଲ-ମୁଜାହିଦିନ’ ଭଳି ସଙ୍ଗଠନଗୁଡିକୁ ଚେତାବନୀ ଦେବାକୁ ଯାଇ ସରକାର ଚଳିତବର୍ଷ ଯାତ୍ରା ଅଧିକ ସୁରକ୍ଷା ଘେରରେ ରହିବ ବୋଲି ନିଷ୍ପତ୍ତି ନେଇଛନ୍ତି।