Odia News Portal

ଲକ୍‍ଡାଉନ୍‍ ରେ ସବୁ ବନ୍ଦ ସତ୍ତ୍ୱେ ମଦ ବେପାରୀ ସକ୍ରିୟ

ଭୁବନେଶ୍ୱର : କରୋନା କଟକଣା ଯୋଗୁଁ ମାସେରୁ ଅଧିକ ସମୟ ହେଲା ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନ ବନ୍ଦ । ମଦ ପିଉଥିବା ଲୋକ କରୋନାରେ ଆଗ ମରିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିବାପରେ ସରକାର ମଦ ଦୋକାନଖୋଲିବାକୁ କେହି ସାହସ କରିପାରୁ ନାହାନ୍ତି । ତେବେ ଏଭଳି ସ୍ଥିତିରେ ଏତେ ମଦ କେଉଁଠୁ କେମିତି ଲୋକଙ୍କ ପାଖକୁଆସୁଛି ତାହା ବଡ ପ୍ରଶ୍ନ । ମଦ ଦୋକାନ ବନ୍ଦ ର ମାସେ ପରେ ବି କିଭଳି ସରକାରୀ ଲେବୁଲ ମରା ମଦ ଲୋକଙ୍କୁ ମିଳୁଛି ସେଥିନେଇ ଅବକାରୀ ବିଭାଗ ନିରବ । ବିଭାଗର ଡିପୋ ବନ୍ଦ, ଦୋକାନ ବନ୍ଦ, କର୍ମଚାରୀ ଦପ୍ତର ଆସୁନାହାନ୍ତି । ହେଲେ ମଦ କିନ୍ତୁ ଗଳାବାଟ ଦେଇ ବଜାରକୁ ପଳେଇ ଆସୁଛି । ଖାଲି ଫରକ ଏତିକି ଯେ ୧୦୦ ଟଙ୍କାରେ ବିକ୍ରି ହେଉଥିବା ମଦକୁ ଲୋକେ ୪୦୦ରୁ ୫୦୦ ଟଙ୍କା ଦରରେ ଲୁଚିଛପି କିଣୁଛନ୍ତି । ବୋତଲ ଯେତେ ବଡ ଦର ସେତେ ଚଢା । ଏହାକୁ ରୋକିବାପାଇଁ ଅବକାରୀ ବିଭାଗର ତତ୍ପରତା ଲକ୍ଷ୍ୟ କରାଯାଉ ନାହିଁ ।

 

ଅବକାରୀ ମନ୍ତ୍ରୀ ହେଉଛି କରୋନା ମହାମାରୀ ମୁକାବିଲା ପାଇଁ ଗଢାଯାଇଥିବା ଉଚ୍ଚ କ୍ଷମତା ସମ୍ପନ୍ନ ମନ୍ତ୍ରୀସ୍ତରୀୟ କମିଟିର ଅଧ୍ୟକ୍ଷ । ତାଙ୍କ ନେତୃତ୍ୱରେ ଘନ ଘନ ବୈଠକ ବସୁଛି । ବୈଠକରେ ଔଷଧ କିଣା ଉପରେ ଆଲୋଚନା ଓ ନିଷ୍ପତ୍ତି ହେଉଥିବା ବେଳେ କରୋନା ମୃତ୍ୟୁର ଅନ୍ୟତମ କାରଣ ମଦକୁ କିଭଳି ନିୟନ୍ତ୍ରଣ କରାଯିବ ସେ ସଂକ୍ରାନ୍ତରେ କୌଣସି ଆଲୋଚନା ହେଉଥିବା ଲକ୍ଷ୍ୟ କରାଯାଉନାହିଁ । ବିଭାଗର କମିଶନର ବାଣିଜ୍ୟକର ଓ ନିର୍ବାଚନ ଭଳି ତିନି ତିନିଟି ଦାୟିତ୍ୱରେ ରହିଥିବାବେଳେ ଏବେ ଜିଲ୍ଲା ସ୍ତରରେ କରୋନା ମୁକାବିଲା କରୁଛନ୍ତି । ତେଣୁ ବିଭାଗର ଅନ୍ୟ ଅଧିକାରୀମାନେ ଏକ ପ୍ରକାର ସୁପ୍ତ ଅବସ୍ଥାରେ । ସହର ଠାରୁୂ ଗାଁ ପର୍ଯ୍ୟନ୍ତ ପ୍ରତିଦିନ କେଉଁଠୁ ନା କେଉଁଠୁ ଚୋରା ମଦ ଜବତ ହେଉଛି । ଅଭିଯୋଗ ହେଉଛି ଯେ ଯାହା ଧରାପଡୁଛି ତାହା କିଛି ନୁହେଁ । ବେପାରୀମାନେ ଲୁଚି ଛପି ଜୋରଦାର କାରବାର ଚଳାଇଛନ୍ତି । ବିଭାଗର ବଡ ପଣ୍ଡାମାନେକରୋନା ମୁକାବିଲାରେ ମାତିଥିବାବେଳେ ଚୋରାକାରକୁ ସୁଯୋଗ ମିଳିଯାଇଛି ।

 

ଏଇ ମଉକାରେ କିଛି ଲୋକ ଭଲ ଦି ପଇସା ବି କମେଇବାରେ ଲାଗିଛନ୍ତି । ପ୍ରଶ୍ନ ଉଠୁଛି ଏତେ ମଦ ଆସୁଛି କେଉଁଠୁ । ତେଣୁ ଏହି ଚୋରା ମଦ ଉପରେ ଲଗାମ ଲଗାଇବାପାଇଁ ଏବେ ଦାବି ହେଉଛି । ନହେଲେ କରୋନା ମୃତ୍ୟୁର ଅନ୍ୟତମ କାରଣ ମଦ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଯାହା ସତର୍କ କରାଇ ଦେଇଛି ତାହା ଓଡିଶାରେ ସତ ହୋଇଯିବ । ସୀମାରେ ବାଡି ପକାଇ ପୁଲିସ୍‍ ବସିଥିବାବେଳେ ଗାଁ ଠୁ ସହର ଯାଏ ବେପାରୀ ଓ ସାଧାରଣ ଲୋକଙ୍କୁ ଧରପଗଡ କରୁଛି । ତେବେ ଏହି ଧରପଗଡ ଭିତରେ ବ୍ୟାପକ ମଦ କାରବାର ଏବେ ଅବକାରୀ ବିଭାଗର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ଲଗାଇଦେଲାଣି ।