ଯାଜପୁର : ଦୀର୍ଘ ଦିନର ଦାବି ପରେ ପୂରଣ ହେବାକୁ ଯାଉଛି ଧର୍ମଶାଳାବାସୀଙ୍କ ସ୍ୱପ୍ନ । ଆରମ୍ଭ ହୋଇଛି ବହୁ ପ୍ରତିକ୍ଷିତ ଯାଜପୁର ଜିଲ୍ଲାର ଜାରକା ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ କାର୍ଯ୍ୟ । ପୂର୍ବରୁ ଜାତୀୟ ରାଜପଥ କର୍ତୃପକ୍ଷଙ୍କ ନିକଟରୁ ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ ନେଇ ପ୍ରତିଶ୍ରୁତି ମିଳିଥିଲା । ତେବେ ଲକଡାଉନ କଟକଣା ଯୋଗୁ ଏହା ଆରମ୍ଭ ହେବାରେ ସାମାନ୍ୟ ବିଳମ୍ବ ଦେଖାଦେଇଥିଲା । ତେବେ କେନ୍ଦ୍ର ସରକାରଙ୍କ ଲକଡାଉନ କଟକଣା ନିର୍ମାଣ ସଂସ୍ଥା ପାଇଁ କୋହଳ ହେବା ପରେ ଏହି ବ୍ରିଜ୍ କାମ ଆରମ୍ଭ ହୋଇଛି ।
ଜାତୀୟ ରାଜପଥ ପ୍ରାଧିକରଣଙ୍କ ସୁପାରିଶ ପରେ ୧୭କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ଏହି ପ୍ରକଳ୍ପ ନିର୍ମାଣ ହେବ ବୋଲି ଧାର୍ଯ୍ୟ ହୋଇଛି । ୧୬ନଂ ଜାତୀୟ ରାଜପଥର ଚଣ୍ଡିଖୋଲରୁ ଭଦ୍ରକ ଯାଏ ଜାତୀୟ ରାଜପଥ ସଂପ୍ରସାରଣ ନିର୍ମାଣ ଦାୟିତ୍ୱ ନେଇଥିବା ଠିକା ସଂସ୍ଥା ଦିଲୀପ ବିଲଡକନ୍ ଦ୍ୱାରା ଏହି କାମ ଆରମ୍ଭ ହୋଇଛି । ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ତହସିଲଦାର ସରୋଜ କୁମାର ପଣ୍ଡା ପ୍ରମୁଖ ନିର୍ମାଣ କାର୍ଯ୍ୟର ତଦାରଖ କରିବା ସହ ଠିକା ସଂସ୍ଥା ଦିଲୀପ ବିଲଡକନ୍ର ପ୍ରକଳ୍ପ ମୁଖ୍ୟ କମଲ ଚୈାହ୍ୱାନଙ୍କ ସହ ଆଲୋଚନା କରିଛନ୍ତି ।
୩୦ମିଟର ବିଶିଷ୍ଟ ପରିଧି ମଧ୍ୟରେ ଏହି ବ୍ରିଜ୍ ନିର୍ମାଣ ହେବାକୁ ଥିବା ବେଳେ ଆସନ୍ତା ୬ମାସ ମଧ୍ୟରେ ଏହି କାମ ଶେଷ ହେବ ବୋଲି ଠିକା ସଂସ୍ଥା ପକ୍ଷରୁ ସୂଚନା ମିଳିଛି । ପୂର୍ବରୁ ଜାରକାଠାରେ ଏକ ଗଳିପୋଲ ନିର୍ମାଣ ହୋଇଥିଲା । ଜାରକା ଏକ ସମ୍ବେଦନଶୀଳ ଅଂଚଳ ହୋଇଥିବାରୁ ଗମନାଗମନ ଦୃଷ୍ଟିରୁ ଏହାର ଗୁରତ୍ୱ ରହିଛି । ବିଶେଷ କରି ବିଭିନ୍ନ ପର୍ଯ୍ୟଟନସ୍ଥଳୀ, ଏଠାରେ ଥିବା ବଡ ବଡ ବ୍ୟବସାୟ ପ୍ରତିଷ୍ଠାନ, ସ୍କୁଲ, କଲେଜ, ସରକାରୀ କାର୍ଯ୍ୟାଳୟ, ଥାନା, ମେଡିକାଲ ପାଇଁ ସର୍ବଦା ଏହି ରାସ୍ତାରେ ଶହଶହ ଯାନବାହାନ ଯାତାୟତକରିଥାଏ
ଏଥିପାଇଁ ବିଭିନ୍ନ ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିଲା ।
ଏନେଇ ଜାରକା ଠାରେ ଏକ ଫ୍ଲାଏ ଓଭର ବ୍ରିଜ ନିର୍ମାଣ କରିବା ପାଇଁ ଧର୍ମଶାଳା ଉନ୍ନୟନ କମିଟି ଏନଏଚଆଇ ଉଚ୍ଚ କର୍ତୃପକ୍ଷଙ୍କ ନିକଟରେ ଦାବି କରିଆସୁଥିଲା । ଆନ୍ଦୋଳନକୁ ମଧ୍ୟ ଓହ୍ଲାଇଥିଲା । ଶେଷରେ କର୍ତୃପକ୍ଷ ସରଜମିନ ତଦନ୍ତ କରି ବ୍ରିଜ ନିର୍ମାଣ ପାଇଁ ସବୁଜ ସଙ୍କେତ ଦେଇଥିଲେ । ବିଳମ୍ବ ହେଲେ ମଧ୍ୟ ଧର୍ମଶାଳାବାସୀଙ୍କ ସ୍ୱପ୍ନ ପୁରଣ ହେବାକୁ ଯାଉଛି । ଯେଉଁଥିପାଇଁ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି ।