କରୋନାକୁ ହରାଇ ସୁସ୍ଥ ହୋଇ ମେଡିକାଲରୁ ଫେରିଛନ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ। ଏକ ସପ୍ତାହ ଆରାମ କରିବା ପରେ ସୋମବାର ପୁଣିଥରେ ଅଫିସ ଯାଇ କାମ ଆରମ୍ଭ କରିଛନ୍ତି ବୋରିସ। ରିପୋର୍ଟ ମୁତାବକ ତାଙ୍କୁ ଏପ୍ରିଲ ୧୨ ତାରିଖରେ ମେଡିକାଲରୁ ଡିସଚାର୍ଜ କରାଯାଇଥିଲା। ଆଜି ସେ ପୁଣିଥରେ ଅଫିସକୁ ଫେରି ଦାୟିତ୍ୱ ଗ୍ରହଣ କରିଛନ୍ତି।
ସୂଚନାଯୋଗ୍ୟ ଯେ ବୋରିସଙ୍କ ଅନୁପସ୍ଥିତିରେ ବ୍ରିଟେନର ବିଦେଶ ମନ୍ତ୍ରୀ ତାଙ୍କ କାର୍ଯ୍ୟଭାର ସମ୍ଭାଳିଥିଲେ। ୫୫ ବର୍ଷୀୟ ବୋରିସ ମେଡିକାଲରୁ ସୁସ୍ଥ ହୋଇ ଫେରିବା ପରେ ଘରେ କ୍ୱାରେଣ୍ଟାଇନରେ ରହିଥିଲେ। କ୍ୱାରେଣ୍ଟାଇନ ଶେଷ ହେବା ପରେ ସେ ଡାକ୍ତରଙ୍କ ପରାମର୍ଶ ନେଇ କାମ ଆରମ୍ଭ କରିଛନ୍ତି।
ପ୍ରକାଶ ଯେ ବ୍ରିଟେନର ମେ ୭ ତାରିଖ ଯାଏଁ ଲକଡାଉନ ଲାଗୁ କରାଯାଇଛି। ଏନେଇ ବୋରିସଙ୍କର ଜଣେ ସହଯୋଗୀ କହିଛନ୍ତି ଯେ ଯଦି ପ୍ରଧାନମନ୍ତ୍ରୀ ଚାହିଁବେ ତେବେ ଲକଡାଉନ ଅବଧିରେ ପରିବର୍ତ୍ତନ କରିପାରିବେ। କିନ୍ତୁ ଏପର୍ଯ୍ୟନ୍ତ ଲକଡାଉନ ଉଠାଇବା ନେଇ କୌଣସି ନିଷ୍ପତ୍ତି ହୋଇପାରିନଥିବା ଜଣାଯାଇଛି। ବ୍ରିଟେନରେ ଏବେ ୧୫୪୦୦୦ରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଥିବା ବେଳେ ୨୦,୭୦୦ ଜଣଙ୍କ ମୃତ୍ୟୁ ଘଟିଛି।