Odia News Portal

ବଜାୟ ରହିଛି ଲକ୍‌ଡାଉନ୍‌ : ଦୋହରାଇବା ପାଇଁ ବିଏମ୍‌ସି ବୁଲାଇଲା ପ୍ରଚାର ଗାଡି

ଭୁବନେଶ୍ୱର : ନାଗରିକମାନଙ୍କ ସନ୍ଦେହ ମୋଚନ ନିମନ୍ତେ ଆଜି ଭୁବନେଶ୍ୱର ମହାନଗର ନିଗମ ତରଫରୁ ଏକ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇ ଲକ୍‌ଡାଉନ୍ ବାବଦରେ କୁହାଯାଇଛି । ମହାମାରୀ କରୋନା ସଂକ୍ରମଣର ପ୍ରତିରୋଧ ସ୍ୱରୂପ ସରକାରଙ୍କ ଆଦେଶରେ ଚାଲୁ ରହିଥିବା ଲକ୍‌ଡାଉନ୍ ଭୁବନେଶ୍ୱରରେ ବଳବତର ରହିଥିବା କୁହାଯାଇଛି । ଆଜି ଅପରାହ୍ନରେ ଏଥିପାଇଁ ବିଏମ୍‌ସି ପକ୍ଷରୁ ପାଂଚୋଟି ପ୍ରଚାର ଗାଡିର ଆୟୋଜନ କରି ବାର୍ତା ଦିଆଯାଇଛି । ଏହି ବାର୍ତା ଜଣାଇବା ପାଇଁ ତିନୋଟି ଜୋନ୍‌କୁ ତିନୋଟି ଗାଡି ଯାଇଥିବା ବେଳେ ମାର୍କେଟ ଅଞ୍ଚଚଳ ପାଇଁ ସ୍ୱତନ୍ତ୍ର ଦୁଇଟି ଗାଡିରେ ବାର୍ତା ଜଣାଯାଇଛି । ଜନସାଧାରଣ ଏବଂ ବ୍ୟବସାୟୀମାନଙ୍କୁ ପ୍ରଚାର ମାଧ୍ୟମରେ ସୂଚାଇ ଦିଆଯାଉ ଅଛିକି, କେବଳ ଅତ୍ୟାବଶ୍ୟକ ବ୍ୟବସାୟ ପ୍ରତିଷ୍ଠାନ ଯାହାକି ଗ୍ରୋସରୀ ବା ତେଜରାତୀ ଦୋକାନ, ପରିବା ଓ ଫଳ ଦୋକାନ ଏବଂ ଔଷଧ ଦୋକାନ ବ୍ୟତୀତ ଅନ୍ୟ କୌଣସି ଦୋକାନ ନ ଖୋଲିବାକୁ କୁହାଯାଇଛି ।

ତେବେ ଏହି ପ୍ରଚାରରେ କୁହାଯାଇଛି ଯେ, ଉପରୋକ୍ତ ଦୋକାନ ଗୁଡିକ ବ୍ୟତୀତ ଗୃହ ନିର୍ମାଣ ସାମଗ୍ରୀ, ଯଥା; ବାଲି, ଗୋଡି, ସିମେଂଟ, ରଡ୍ ଏବଂ ଇଟା ଇତ୍ୟାଦି ବିକ୍ରୟ କରାଯାଇପାରିବ । ଏହି ପରିବହନ କେବଳ ରାତ୍ରିରେ ହେବ ବୋଲି ପ୍ରଚାର ମାଧ୍ୟମରେ କୁହାଯାଇଛି । ଏହାର କାରଣ, କିଛିଦିନ ତଳେ ବିଏମ୍‌ସି କର୍ତୃପକ୍ଷ ସମାନ ସ୍ଥାନ ପ୍ରକଳ୍ପ କାର୍ଯ୍ୟ ବା ଇନ୍‌-ସିଟୁ ପ୍ରୋଜେକ୍ଟ ପାଇଁ ଅନୁମୋଦନ କରିଥିଲେ । ଏପ୍ରିଲ ୨୦ ତାରିଖରେ ହୋଇଥିବା ଉକ୍ତ ଆଦେଶନାମା ପରେ ରାତି ୧୦ଟାରୁ ଦିନ ୫ଟା ମଧ୍ୟରେ ପରିବହନ କରିବାକୁ କୁହାଯାଇଥିଲା । ତେବେ ବିଏମ୍‌ସି ଇଲାକା ମଧ୍ୟରେ ବୁଲି ବୁଲି ଜନ ସଚେତନତା ସୃଷ୍ଟି କରୁଥିବା ଏହି ପାଞ୍ଚଚୋଟି ପ୍ରଚାର ଗାଡି କେବଳ ଲକ୍‌ଡାଉନ୍ ଅବଧି ବାବଦରେ ଏବଂ ଦୋକାନ ଖୋଲିବା ବାର୍ତା ବାଂଟି ନାହାଁନ୍ତି ବରଂ ଏହି ବାର୍ତା ସାମାଜିକ ଦୁରତା ପାଇଁ ଉର୍ଦ୍ଧିଷ୍ଟ । ମହାମାରୀ କରୋନା ପ୍ରତିରୋଧରେ ସହାୟକ ବୋଲି କୁହାଯାଇଛି ।

ଗତ କାଲି ବିଏମ୍‌ସି ପକ୍ଷରୁ କରାଯାଇଥିବା ଏକ ଟୁଇଟ୍‌ରେ ବର୍ତମାନ ପର୍ଯ୍ୟନ୍ତ ଭୁବନେଶ୍ୱର ହଟସ୍ପଟ୍ ବା ବିପଦ ସଙ୍କୁଳତା ବର୍ଗରେ ରହିଛି ବୋଲି ଦର୍ଶାଯାଇଛି । କରୋନା ଭଳି ମହାମାରୀ ପ୍ରତିରୋଧରେ ଏହି ଲକ୍‌ଡାଉନ୍ ଏକାନ୍ତ ପ୍ରୟୋଜନ ଏବଂ ନାଗରିକଙ୍କ ପୂର୍ଣ୍ଣ ସହଯୋଗ ଏହାକୁ ସଫଳ କରିବ ବୋଲି ବିଏମ୍‌ସି ପକ୍ଷରୁ ନିବେଦନ କରାଯାଇଛି ।