Odia News Portal

ଦୂରଦର୍ଶନରେ ଦଶମ ପିଲାଙ୍କ ଲାଗି ପୁରୁଣା ପାଠର ଆଲୋଚନା

ଭୁବନେଶ୍ୱର : ସରକାରୀ ବିଦ୍ୟାଳୟରେ ଦଶମ ଶ୍ରେଣୀକୁ ଉତ୍ତୀର୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଦୂରଦର୍ଶନ ମାଧ୍ୟମରେ ପାଠ ପଢାଇବାପାଇଁ ରାଜ୍ୟ ସରକାର ସ୍ଥିର କରିବାପରେ ଏବେ ପ୍ରତିଦିନ ଦୁଇବେଳା ଶିକ୍ଷାଦାନ ପ୍ରସାରଣ ହେଉଛି । ତେବେ ଦୂରଦର୍ଶନର ଭୁବନେଶ୍ୱର କେନ୍ଦ୍ର ପକ୍ଷରୁ ପ୍ରସାରିତ ହେଉଥିବା ଏହି ପାଠପଢା ଏବେକାର ନୁହେଁ । ତିନି ଚାରିବର୍ଷ ତଳେ ଏହା ରେକର୍ଡିଂ ହୋଇଥିବା ଜଣାଯାଇଛି । ଲକ ଡାଉନ୍‍ରେ ଘରୋଇ ବିଦ୍ୟାଳୟ ଗୁଡିକ ପାଠ ପଢାଇବାପାଇଁ ଇଣ୍ଟରନେଟ୍‍ ଓ ଅନ୍ୟାନ୍ୟ ଆପ୍‍ର ସାହାରା ନେବାପରେ ରାଜ୍ୟ ସରକାର ବି ଛାତ୍ରଛାତ୍ରୀଙ୍କୁ ଇ-ବ୍ୟବସ୍ଥାରେ ପାଠ ପଢାଇବାକୁ ଅଣ୍ଟା ଭିଡିଲେ । ଏଥିପାଇଁ ଦୂରଦର୍ଶନର ସହାୟତା ନିଆଗଲା । ରାଜ୍ୟ ସରକାର ଏଥିପାଇଁ ସମୟ ବି କିଣିଲେ । ହେଲେ ପାଠ ପୁରୁଣା । ଗୋଟିଏ କଥାରେ କହିବାକୁ ଗଲେ ପୁରୁଣା ପାଠର ଆଲୋଚନା ଚାଲିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କିଛି ବର୍ଷ ତଳେ ଓରସାକ୍‍ ପକ୍ଷରୁ ଏହି ପାଠପଢାର ରେକର୍ଡିଂ ହୋଇଥିଲା ।

 

ଏବେ କର୍ତ୍ତୃପକ୍ଷ ତାହାର ପୁନଃ ପ୍ରସାରଣ କରୁଛନ୍ତି । ଅବଶ୍ୟ ଏଥିରେ ଗୋଟିଏ କଥା ଯେ ଆଲୋଚନା ହେଉଥିବା ପାଠ ସିଲାବସ୍‍ରେ ରହିଛି । ତେବେ ରାଜ୍ୟ ସରକାର ଯଦି ଇଣ୍ଟରନେଟ୍‍ ମାଧ୍ୟମରେ ପାଠ ପଢାଇବାରେ ଅସମର୍ଥ ବା ଭିତ୍ତିଭୂମି ଅଭାବ ରହିଛି ତେବେ ସେହି ଦୂରଦର୍ଶରେ ଶିକ୍ଷକ ଓ ବିଶେଷଜ୍ଞମାନଙ୍କୁ ନେଇ ସିଧାସଳଖ କାର୍ଯ୍ୟକ୍ରମରେ ପାଠ ପଢାଇ ପାରିଥାନ୍ତେ । ଏଥିରେ ଛାତ୍ରଛାତ୍ରୀମାନେ ବି ପ୍ରଶ୍ନ କରିବାର ସୁଯୋଗ ରହିଥାନ୍ତା । ହେଲେ ତାହା ନକରି ପୁରୁଣା ପାଠର ଆଲୋଚନା କେତେଦୂର ଗ୍ରହଣୀୟ ହେବ ତାହା ଉପରେ ଏବେ ପ୍ରଶ୍ନବାଚୀ ଲାଗିଲାଣି । ବର୍ତ୍ତମାନ କରୋନା ମହାମାରୀ ପରିପ୍ରେକ୍ଷୀରେ ବିଶେଷଜ୍ଞ ଓ ଅଭିଜ୍ଞ ଶିକ୍ଷକମାନଙ୍କୁ ଆଣି ପାଠପଢା କାର୍ଯ୍ୟକ୍ରମ ପ୍ରସାରଣ କରିଥିଲେ ସେମାନେ ପିଲାଙ୍କ ମନସ୍ତତ୍ୱକୁ ଦୃଷ୍ଟିରେ ରଖି ପାଠର ଆଲୋଚନା କରିଥାନ୍ତେ । ହେଲେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତାହା କଲାନାହିଁ ।

ଏହି ସୂଚନା ଅନୁଯାୟୀ ଶସ୍ତାରେ କାର୍ଯ୍ୟକ୍ରମ ପ୍ରସାରଣ ସହିତ ଅତି ମାତ୍ରାରେ ଅନାଗ୍ରହ ଯୋଗୁଁ ଏଭଳି ପୁରୁଣା ପାଠର ଆଲୋଚନା ଚାଲିଛି । ବର୍ତ୍ତମାନ ପ୍ରସାରିତ ହେଉଥିବା ଗୋଟିଏ ସ୍ଲଟ ପାଇଁ ଦୂରଦର୍ଶକୁ ମାତ୍ର ଆଠ ହଜାର ଟଙ୍କାର ଦେବାକୁ ପଡୁଛି । ଯଦି ସିଧା ପ୍ରସାରଣ ହୋଇଥାନ୍ତା ତେବେ ଲକ୍ଷାଧିକ ଟଙ୍କା ଦେବାକୁ ହୋଇଥାନ୍ତା । ଅବଶ୍ୟ ରାଜ୍ୟ ସରକାର ଏଥିରେ କିଛିଟା ରିହାତି ପାଇଥାନ୍ତେ । ଏଥିପାଇଁ ପ୍ରତିଦିନ ବିଶେଷଜ୍ଞ ଓ ଅଭିଜ୍ଞ ଶିକ୍ଷକମାନଙ୍କୁ ଯୋଗାଡ କରିବାକୁ ପଡିଥାନ୍ତା । ତେଣୁ ଏତେ ଝାମେଲାରେ ପଡିବା ଅପେକ୍ଷା ପୁରୁଣା ପାଠର ପ୍ରସାରଣ କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତାହାର କାମ
ଦୂରଦର୍ଶନରେ… ସାରିଦେଇଛି । ପିଲା ଏହାକୁ କେତେଦୂର ଗ୍ରହଣ କରୁଛନ୍ତି ତାହାର ଖବର କାହା ପାଖରେ ବି ନାହିଁ । ତେଣେ ରାଜ୍ୟରେ ବର୍ଷା ଓ କାଳବୈଶାଖି ଲାଗି ରହିଥିବାରୁ ଅଧିକାଂଶ ଅଞ୍ଚଳରେ ବିଜୁଳି ବି ନାହିଁ । ତେଣୁ ଏହାରି ଭିତରେ ପ୍ରସାରଣ ସରିଗଲେ ବିଭାଗ ମୁଣ୍ଡରୁ ଦୋଷ ଛାଡିଯିବ ବୋଲି ଅନେକ ଶିକ୍ଷାବିତ୍‍ ମତ ଦେଉଛନ୍ତି ।