Odia News Portal

କରୋନା ମୁକାବିଲା ପ୍ରଚ୍ଛଦପଟରେ ଅନେକ ଯୋଦ୍ଧା

ଭୁବନେଶ୍ୱର : ଓଡିଶା ସରକାରଙ୍କ କରୋନା ମୁକାବିଲା ନେଇ ଦେଶ ବିଦେଶରୁ ପ୍ରଶଂସାର ସୁଅ ଛୁଟୁଥିବାବେଳେ ଏହାର ଶ୍ରେୟ ସାଧାରଣତଃ ଏଥିରେ ନିୟୋଜିତ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ପୁଲିସ୍‍ମାନଙ୍କ ନିକଟକୁ ଯାଉଛି । ତେବେ ପରଦା ପଛରେ ଥିବା ଅନେକ ଯୋଦ୍ଧା ବି ଦିନରାତି ଏକ କରି କରୋନା ନିୟନ୍ତ୍ରଣରେ ପ୍ରମୁଖ ଭୂମିକା ନିଭାଇବାରେ ଲାଗିଛନ୍ତି । ଏ କ୍ଷେତ୍ରରେ ସବୁଠାରୁ ଆଗରେ ଅଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ।
କରୋନା ମୁକାବିଲା ପାଇଁ ଯେଉଁ ରଣନୀତି ପ୍ରସ୍ତୁତ ହେଉଛି ସେଥିପାଇଁ ସମସ୍ତ ସୂଚନାକୁ ଏକଜୁଟ କରିବାର ଦାୟିତ୍ୱ ରହିଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉପରେ । ଏଥିପାଇଁ ପ୍ରତିଦିନ ଶହ ଶହ କର୍ମଚାରୀ ଦିନରାତି ଲାଗିଛନ୍ତି । ବିଭାଗୀୟ ଶାସନ ସଚିବ ସଞ୍ଜୟ ସିଂହଙ୍କ ନେତୃତ୍ୱ ଓ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜଙ୍କ ସୁଚିନ୍ତିତ ପରାମର୍ଶ ଯୋଗୁଁ କରୋନା ସମ୍ପର୍କିତ ସୂଚନା ସରକାରୀକଳ ଠାରୁ ଆରମ୍ଭ କରି ଗାଁ ଗହଳର ଲୋକଙ୍କ ନିକଟରେ ତତ୍କାଳ ପହଞ୍ଚିବାରେ ଲାଗିଛି ।

ସରକାରଙ୍କ ବାର୍ତ୍ତାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଓ ଲୋକଙ୍କ ସୁବିଧା ଅସୁବିଧାକୁ ସରକାରଙ୍କ ନିକଟରେ ଉପସ୍ଥାପନ କରିବା ଲକ ଡାଉନ୍‍ ଓ ସଟ୍‍ ଡାଉନ୍‍ ଭଳି ସ୍ଥିତିରେ ଏତେଟା ସହଜ ନୁହେଁ । ସରକାରୀ ଦପ୍ତର ଗୁଡିକରେ ୩୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ପ୍ରତି ମୂହୂର୍ତ୍ତରେ ଲୋକଙ୍କ ନିକଟରେ ଅପ୍‍ଡେଟ୍‍ ସୂଚନା ପହଞ୍ଚାଇବା କିଛି ଛୋଟିଆ କଥା ନୁହେଁ । ଏଥି ସହିତ ପ୍ରତିଦିନ କରୋନା ସଂକ୍ରାନ୍ତରେ ବିଭିନ୍ନ ବିଭାଗର ସୂଚନାକୁ ଏକତ୍ର କରି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟବାସୀଙ୍କୁ ବିସ୍ତୃତ ସୂଚନା ଦେବା ଓ ତାହା କିଭଳି ଗଣମାଧ୍ୟମ ନିକଟରେ ପହଞ୍ଚିବ ଓ ପ୍ରସାରିତ ହେବ ସେ ଦିଗରେ ପରାମର୍ଶଦାତା ଶ୍ରୀ ମଙ୍ଗରାଜଙ୍କର ପ୍ରମୁଖ ଭୂମିକା ରହିଛି । କରୋନା ସମୟରେ ସମ୍ବାଦପତ୍ର ଗୁଡିକ କିଛିଦିନ ପ୍ରକାଶନ ବନ୍ଦ ରହିଥିବାବେଳେ ଲୋକଙ୍କ ନିକଟରେ ବିଭିନ୍ନ ଇଲେକ୍‍ଟ୍ରୋନିକ ମିଡିଆ ମାଧ୍ୟମରେ କିଭଳି ସୂଚନା ପହଞ୍ଚିବ ତାହା ଉପରେବିଶେଷ ଧ୍ୟାନ ଦିଆଯିବା ଯୋଗୁଁ ଲୋକେ ସଚେତନ ହୋଇପାରିଛନ୍ତି ।

ଯାହାର ଫଳ ହୋଇଛି ଓଡିଶାରେ ଆଜି କରୋନା ରୋଗୀଙ୍କ ସଂଖ୍ୟା ଶହେରୁ ସାମାନ୍ୟ ଅଧିକ ରହିଥିବାବେଳେ ମୃତ୍ୟୁସଂଖ୍ୟା ଏକ ରେ ସୀମିତ ଅଛି । ସେହିଭଳି ଏକଦା ରାଜ୍ୟର ହଟସ୍ପଟ କୁହାଯାଉଥିବା ରାଜଧାନୀରେ ପ୍ରାୟ ୧୫ ଦିନ ହେଲା ନୂଆ କରୋନା ରୋଗୀ ଚିହ୍ନଟ ହୋଇନାହାନ୍ତି । ପ୍ରବାସୀ ଓଡିଆମାନେ ସରକାରଙ୍କ ନିୟମ ମାନି ନିଜର ପଞ୍ଜିକରଣ କରାଇବା ସହିତ କ୍ୱାରେଣ୍ଟାଇନ୍‍ରେ ରହୁଛନ୍ତି । ଓଡିଶାର ଏହି ରଣନୀତିକୁ ଏବେ ଅନେକ ରାଜ୍ୟ ଉଦାହରଣ ଭାବେ ଗ୍ରହଣ କରୁଛନ୍ତି । ଏହା ସମ୍ଭବ ହେଉଛି କେବଳ ସେମାନଙ୍କ କରୋନା…
ନିକଟରେ ସରକାରଙ୍କ ବାର୍ତ୍ତା ଠିକଣା ଭାବେ ପହଞ୍ଚିବା ଯୋଗୁଁ ।

ଆଉ ଏହି ବାର୍ତ୍ତା ପ୍ରସ୍ତୁତି ଠାରୁ ଆରମ୍ଭକରି ପ୍ରସାରଣ ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ରହିଛି ସୂଚନା ଓ ଲୋକସମ୍ପର୍କ ବିଭାଗ ହାତରେ । ବିଭାଗୀୟ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ନିର୍ଦ୍ଦେଶରେ ବିଭାଗର ସଚିବ ଶ୍ରୀ ସିଂହଙ୍କ ଠାରୁ ଆରମ୍ଭକରି ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର, ବୈଷୟିକ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ଓ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ସୁକାନ୍ତ ପଣ୍ଡା ଓ ଅନ୍ୟ ଅଧିକାରୀମାନେ ଦିନ ରାତି ଏକ କରୋନା ଯୁଦ୍ଧରେ ଜଣେ ଜଣେ ଯୋଦ୍ଧା ସାଜିଛନ୍ତି । ଫରକ ଏତିକି ଯେ ସେମାନେ ପ୍ରଚ୍ଛଦ ପଟରେ ହିଁ ଯୋଦ୍ଧା ସାଜି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି ।