Odia News Portal

ଆଜି କଳିଙ୍ଗରେ ନେପାଳର ମନାଙ୍ଗ ମାର୍ସିୟାଙ୍ଗଦି ମ୍ୟାଚ

ଭୁବନେଶ୍ୱର : ( ଚକ୍ରଧର ମାଝି ) ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ବୁଧବାର ଆଜି ମିନର୍ଭା ପଞ୍ଜାବ ଓ ନେପାଳ ଚାମ୍ପିୟନ ମନଙ୍ଗ ମାର୍ଶିଆଙ୍ଗଡି କ୍ଲବ ମଧ୍ୟରେ ଏଏଫସି କପ୍‌ର ଏକ ମ୍ୟାଚ  ଅନୁଷ୍ଠିତ ହେବ। ଏହି ମ୍ୟାଚ ପାଇଁ ମିନର୍ଭା କଳିଙ୍ଗ ଷ୍ଟାଡିୟମକୁ ହୋମ୍‌ ଗ୍ରାଉଣ୍ଡ କରିଛି। ତେଣୁ ଗ୍ରୁପ ପର‌୍ୟ୍ୟାୟରେ ଏହି ଦଳ ନିଜର ପ୍ରଥମ ହୋମ୍‌ ଗେମ୍‌ ଖେଳିବାକୁ ଯାଉଛି। ମନଙ୍ଗ ମାର୍ଶିଆଙ୍ଗଡି ନେପାଳର ଅନ୍ୟତମ ସଫଳ ଫୁଟବଲ ଦଳ। ଏହି ଦଳ ୮ ଥର ନେପାଳ ଟୁର୍ନାମେଣ୍ଟ ଟାଇଟଲ ହାସଲ କରିସାରିଛି।
ଗ୍ରୁପ‘ଇ’ରେ ଅନ୍ୟ କେତେକ ଦଳ ପରି ମନଙ୍ଗ ପ୍ରଥମଥରପାଇଁ ଏହି ପ୍ରତିଯୋଗିତା ଖେଳୁଛି। ନେପାଳ ଚାମ୍ପିୟନଭାବେ ଏହି ଦଳ ଏଏଫସି କପ୍‌ ପାଇଁ ଯୋଗ୍ୟତା ପାଇଛି। ଏହି ସିଜନରେ ଦଳ ୧୩ଟି ଲିଗ୍‌ ଗେମ୍‌ରୁ ୧୨ଟିରେ ବିଜୟ ହାସଲ କରିଥିଲା। ପରେ ଭାରତର ଅନ୍ୟତମ ସମ୍ମାନଜନକ ଟୁର୍ନାମେଣ୍ଟ ସିକିମ୍‌ ଗୋଲ୍ଡ କପ୍‌ରେ ଅଂଶଗ୍ରହଣ କରି ଚାମ୍ପିୟନ ହୋଇଥିଲା। ଚଳିତ ଏଏଫସି କପ୍‌ରେ କିନ୍ତୁ ମନଙ୍ଗ ଏପର‌୍ୟ୍ୟନ୍ତ ଖେଳିଥିବା ୨ଟି ମ୍ୟାଚରେ ପରାଜିତ ହୋଇଛି। ପ୍ରଥମ ମ୍ୟାଚରେ ଦଳ ଆକର୍ଷଣୀୟ ପ୍ରଦର୍ଶନ କରିଥିଲେ ହେଁ ଆବାହନୀ ଢାକା ପାଖରୁ ୧ ଗୋଲରେ ହାରିଥିଲା।
ସେହିପରି ଦ୍ୱିତୀୟ ମ୍ୟାଚରେ ଚେନ୍ନାଇନ୍‌ ଏଫସି ବିପକ୍ଷରେ ମ୍ୟାଚର ଅଧିକାଂଶ ସୟ ଆଧିପତ୍ୟ ବିସ୍ତାର କରି ଖେଳିଥିଲେ ହେଁ ୩ ମିନିଟ ମଧ୍ୟରେ ୨ଟି ଗୋଲ ବରଣ କରି ପରାଜିତ ହୋଇଥିଲା।
ତେଣୁ ଆଗାମୀ ମ୍ୟାଚରେ ଭାଗ୍ୟ ପରିବର୍ତ୍ତନ ସହ ବିଜୟ ପଥକୁ ଫେରିବାକୁ ଲକ୍ଷ୍ୟ ରଖିଛି ଏହି ନେପାଳୀ ଦଳ। ଆଗାମୀ ମ୍ୟାଚ ମନଙ୍ଗ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରୁଛନ୍ତି ଦଳର ମୁଖ୍ୟ କୋଚ୍‌ ଚିରିଙ୍ଗ ଗୁରୁଙ୍ଗ। ” ମିନର୍ଭା ୩ ପଏଣ୍ଟ ପାଇଁ ନିଶ୍ଚିତଭାବେ ଚେଷ୍ଟା କରିବ। ଆମେ ମଧ୍ୟ ସମାନ ଆଶାରେ ପଡ଼ିଆକୁ ଓହ୍ଲାଇବୁ। ତେଣୁ ଏହି ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବା ଆଶା“ ବୋଲି ମ୍ୟାଚ ପୂର୍ବ ଖବରଦାତା ସମ୍ମିଳନୀରେ କହିଛନ୍ତି ଗୁରୁଙ୍ଗ। ମିନର୍ଭା ଏପର‌୍ୟ୍ୟନ୍ତ ବାହାର ପରିବେଶରେ ୨ଟି ମ୍ୟାଚ ଖେଳିଥିବାବେଳେ ୨ଟି ଯାକ ଡ୍ର ରଖି ୨ ପଏଣ୍ଟ ପାଇଛି। ତେଣୁ ଆଗାମୀ ମ୍ୟାଚରେ ବିଜୟୀ ହେବାକୁ ଏହି ଦଳ ଲକ୍ଷ୍ୟ ରଖିଛି। ହୋମ୍‌ ଗ୍ରାଉଣ୍ଡରେ ଖେଳୁଥିବାରୁ ଏହାର ଫାଇଦା ନେବାକୁ ଲକ୍ଷ୍ୟ ରଖିଛି ମିନର୍ଭା। ଖେଳିଥିବା ୨ଟି ଯାକ ମ୍ୟାଚରେ ପ୍ରଭାବୀ ପ୍ରଦର୍ଶନ କରିଛି ଏହି ଦଳ। ବିଜୟ ହାସଲ ପାଇଁ ସୁଯୋଗ ଆସିଥିଲେ ହେଁ ଅଳ୍ପକେ ହାତଛଡ଼ା ହୋଇଛି। ”ବାହାର ପରିବେଶରେ ମ୍ୟାଚ ସବୁବେଳେ କଷ୍ଟକର ହୋଇଥାଏ। ସବୁବେଳେ ଆମେ ଜିତିବାକୁ ଚେଷ୍ଟା କରିଛୁ। ଶେଷ ମ୍ୟାଚରେ ଯେପରି ପ୍ରଦର୍ଶନ କଲୁ ସେଥିରୁ ଆମର ବିଜୟ ସମ୍ଭାବନା ବଢ଼ିଛି“ ବୋଲି କହିଛନ୍ତି ଦଳର ମୁଖ୍ୟ କୋଚ୍‌ ସଚିନ ବଦାଧେ। ମିନର୍ଭାର ତାରକା ଖେଳାଳି ହରମିନ୍ଦର ସିଂ ମଧ୍ୟ ଆଗାମୀ ମ୍ୟାଚରେ ଦଳା ଭଲ ପ୍ରଦର୍ଶନକୁ ନେଇ ବେଶ୍‌ ଆଶାବାଦୀ ଅଛନ୍ତି। କରିମ୍‌ଙ୍କ ପରି ଖେଳାଳିଙ୍କ ପ୍ରଦର୍ଶନରେ ଉନ୍ନତି ଆସିଥିବାରୁ ଆମ ରକ୍ଷଣଭାଗ ଦୃଢ଼ ହୋଇଛି। ଏହା ଦଳକୁ ଅଧିକ ଭଲ ଖେଳିବାକୁ ପ୍ରେରିତ କରିବ ବୋଲି ସେ କହିଛନ୍ତି।