Odia News Portal

ରାତି ପାହିଲେ ଗଳି କନ୍ଦି ମାଛ ଦୋକାନରେ ଭିଡ଼

ଭୁବନେଶ୍ୱର : କରୋନା ମୁକାବିଲା ଲାଗି ପ୍ରଶାସନ ମୁଖ୍ୟ ମାଛ ହାଟକୁ ସ୍ଥାନାନ୍ତର କରିବା ସହିତ ସେଠାରେ ପୁଲିସ୍‍ ଜଗାଇଥିବାବେଳେ ଏବେ ରାଜଧାନୀର ଗଳି କନ୍ଦିରେ ଅସ୍ଥାୟୀ ମାଛ ହାଟ ଖୋଲିଲାଣି । ବିଭିନ୍ନ ୟୁନିଟ୍‍ରେ ଖୋଲିଥିବା ମାଛ ଓ ପରିବା ଦୋକାନ କରୋନାର ମୁଖ୍ୟ ବାହକ ହୋଇଯିବାର ଆଶଙ୍କା ପ୍ରକାଶ ବି ପାଇଲାଣି । ରାଜଧାନୀର ବିଭିନ୍ନ ଗଳିକନ୍ଦିରେ ଏବେ ମାଛ ବେପାର । ରବିବାର, ବୁଧବାର ଓ ଶୁକ୍ରବାର ଦିନ ଲୋକେ ପୁଲିସ୍‍ ଭୟରେ ମୁଖ୍ୟ ସଡକକୁ ଯିବା ଅପେକ୍ଷା ନିଜ ନିଜ ଘର ପାଖରେ ମାଛ କିଣିବାକୁ ପସନ୍ଦ କରୁଛନ୍ତି । ରାତି ପାହିଲେ ଗୋଟିଏ ଗୋଟିଏ ମାଛ ଦୋକାନ ନିକଟରେ ଲୋକ ରୁଣ୍ଡ ହେଉଛନ୍ତି । ସମସ୍ତେ ସବୁ ଦେଖୁଛନ୍ତି ହେଲେ ମାଛ କିଣିବାରେ ବ୍ୟସ୍ତ । ପ୍ରତି ୱାର୍ଡ ପାଇଁ ଥିବା ୱାର୍ଡ ଅଫିସରମାନେ ଏକ ପ୍ରକାର ମୁକ ଦର୍ଶକ । ଗ୍ରାହକ ଗଲାପରେ ମାଛ ଦୋକାନୀ ନିକଟକୁ ଯାଇ ରସିଦ କାଟି ପଇସା ଆଦାୟ କରି ନିଜର ପାଇଟି ସାରି ଦେଉଛନ୍ତି ।

ପୁଲିସ୍‍ ଠାରୁ ଆରମ୍ଭ କରି ବିଏମ୍‍ସି ପ୍ରଶାସନ କିନ୍ତୁ ମୁଖ୍ୟ ମାଛ ବଜାରକୁ ବାଡି ପକାଇ ଜଗିଛନ୍ତି । ମାଛ ଦୋକାନ ଆଗରେ ଲୋକେ କେଉଁଠି ଠିଆହେବେ ଚିହ୍ନଦେଇଛନ୍ତି । ବାଡି ଧରି ପୁଲିସ୍‍ ଜଗିଛି । ଚାଲି ଚାଲି ଆସିବାକୁ ଲୋକଙ୍କୁ କୁହାଯାଉଛି । ଦୁଇଚକିଆ କିମ୍ବା ଚାରି ଚକିଆରେ ଗଲେ ଗାଡିକୁ କ୍ରେନ ଟେକି ନେଉଛି । ୧୦୦ ଟଙ୍କାର ମାଛ ପାଇଁ ଲୋକେ ୫୦୦ ଟଙ୍କାର ତଣ୍ଡ ଗଣିବାର ଢେର ନଜିର ରହିଛି । ତେଣୁ ଲୋକେ ଆଉ ମାଛ ମାର୍କେଟକୁ ଯିବାକୁ ନାରାଜ । ଲୋକଙ୍କ ଚାହିଦାଦେଖି ମାଛ ବେପାରୀ ବି ଏବେ ବିଭିନ୍ନ ୟୁନିଟ୍‍ରେ ପସରା ଖୋଲିଛନ୍ତି । ଲୋକଙ୍କ ଘର ଦୁଆର ମୁହଁରେ ମାଛ ଯୋଗାଣ ପାଇଁ ଫିସ୍‍ଫେଡ୍‍ କର୍ତ୍ତୃପକ୍ଷ ଖାଲି ପ୍ରଚାରରେ ବ୍ୟସ୍ତ । ଜଣେ ହେଲେ କେହି ତାଙ୍କ ମାଛ ଗାଡିକୁ ଦେଖିବାକୁ ପାଉନାହିଁ । ଏଭଳି ଅବସ୍ଥାରେ ଫିସ୍‍ଫେଡ୍‍ର ଲୁଚକାଳି ଖେଳ ଓ ପ୍ରଚାର ସର୍ବସ୍ୱ କାରବାରକୁ ଲୋକେ ନାପସନ୍ଦ କରିବା ସହିତ ମାଛ ଦୋକାନକୁ ଯାଇ ବିପଦକୁ ବରଣ କରୁଛନ୍ତି ।

କେବଳ ମାଛ ଦୋକାନ ନୁହେଁ ପୁଲିସ୍‍ ବାଡିଆ ଓ ଗାଡି ଜବତ ଯୋଗୁଁ ବିଭିନ୍ନ ୟୁନିଟ୍‍ରେ ଅସ୍ଥାୟୀ ପରିବା ଦୋକାନ ବି ଖୋଲିଗଲାଣି । ଦୋକାନ ଯେତେ ଲୋକ ବି ସେତେ । ସାମାଜିକ ଦୂରତ୍ୱ କଥା ମାଛ ଓ ପରିବା ଦୋକାନ ଆଗରେ ଦେଖିବାକୁ ମିଳୁନାହିଁ । ଦୀର୍ଘ ୧୫ ଦିନ ପରେ ରାଜଧାନୀକୁ କରୋନା ସଂକ୍ରମଣ ଫେରିଥିବାବେଳେ ଦେଶର ବିଭିନ୍ନ ସ୍ଥାନରୁ ଏବେ ଲୋକେ ରାଜଧାନୀ ସମେତ ବିଭିନ୍ନ ସ୍ଥାନକୁ ଫେରିବା ଆରମ୍ଭ କରିଛନ୍ତି । ସଂକ୍ରମିତ ୧୪ ଜିଲ୍ଲାରୁ କିଏ କେତେବେଳେ ଲୁଚି ପଳାଇ ଆସିବ ତାହାର କୌଣସି ଠିକଣା ନାହିଁ । ତେଣୁ ତୁରନ୍ତ ରାଜଧାନୀର ବିଭିନ୍ନ ୟୁନିଟ୍‍ରେ ଖୋଲିଥିବା ମାଛ ଦୋକାନ ଉପରେ ବିଏମ୍‍ସି କିମ୍ବା ପୁଲିସ୍‍ ପ୍ରଶାସନ କଟକଣା ନଲଗାଇଲେ ଏଇଠୁ କରୋନା ବ୍ୟାପି ପ୍ରଶାସନକୁ ନୟାନ୍ତ କରିବ ବୋଲି ଆଶଙ୍କା ପ୍ରକାଶ ପାଉଛି ।