Odia News Portal

ଆଜିଠୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ବର୍ଷା

ଭୁବନେଶ୍ବର : ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ। ରାଜ୍ୟର ପ୍ରାୟ ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଏଥିପାଇଁ କେନ୍ଦ୍ର ପକ୍ଷରୁ ଆସନ୍ତା ୪ ଦିନ ପାଇଁ ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଆଜି ଉତ୍ତର ଉପକୂଳ ଓଡ଼ିଶା ସମେତ ସୁନ୍ଦରଗଡ଼, ‌କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଦେଓଗଡ଼, ନୟାଗଡ଼, ଗଞ୍ଜାମ, କନ୍ଧମାଳ ଓ ଖୋର୍ଦ୍ଧା ଆଦି ଜିଲ୍ଲାରେ ପବନ ‌ବହିବ ଓ ଘଡ଼ଘଡ଼ି, ବିଜୁଳି ସହ ବର୍ଷା ହେବ। ୨ ତାରିଖ ଦିନ ଉତ୍ତର ଉପକୂଳ ଜିଲ୍ଲାଗୁଡ଼ିକ ସମେତ କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ମା‌ଲକାନଗିରି, ରାୟଗଡ଼ା, ଗଜପତି, ନବରଙ୍ଗପୁର ଓ ଗଞ୍ଜାମ ଏବଂ ୩ ତାରିଖ ଦିନ ଉପକୂଳ ଜିଲ୍ଲାଗୁଡ଼ିକ ସମେତ କନ୍ଧମାଳ, କେନ୍ଦୁଝର ଓ ‌ମୟୂରଭଞ୍ଜ ଆଦି ଜିଲ୍ଲ‌ାରେ କାଳବୈଶାଖୀ ବର୍ଷା ହେବ। ୪ ତାରିଖରେ ପବନର ବେଗ ପାଖାପାଖି ଘଣ୍ଟାପ୍ରତି ୩୦ରୁ ୪୦ କିମି ବହିବ । ଏନେଇ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲା ଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ଗତକାଲି ସକାଳେ ସୁମାତ୍ରା ଦ୍ବୀପର ଉତ୍ତରରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲା। ଯାହାଫଳରେ ଆଜି ଲଘୁଚାପ, ୨ ତାରିଖରେ ୱେଲ୍‌ ମାର୍କଡ୍ ଲଘୁଚାପ, ୪ ତାରିଖରେ ଅବପାତ ଓ ୫ରେ ଡିପ୍‌ ଡିପ୍ରେସନ୍‌ରେ ପରିଣତ ହେବ। ୬ ତାରିଖ ରାତିରେ ମିଆଁମାର ଉପକୂଳ ସ୍ପର୍ଶ କରିପାରେ। ଡିପ୍‌ ଡିପ୍ରେସନ୍‌ ପରେ ବାତ୍ୟା ହେବ କି ନାହିଁ ବର୍ତ୍ତମାନ ସ୍ପଷ୍ଟ ଆକଳନ କରାଯାଇ ପାରୁନାହିଁ।

ଶୁକ୍ରବାର ରାଜ୍ୟର ୧୦ରୁ ଅଧିକ ଜିଲାରେ କାଳବୈଶାଖୀ ସମ୍ଭାବନା ଅଛି। ଘଡ଼ଘଡ଼ି ବର୍ଷା ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବ। ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅପରପକ୍ଷେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଣ୍ଡାମାନ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଏଥିଯୋଗୁଁ ଭାରତୀୟ ମୂଳ ଭୂଖଣ୍ଡରେବାତ୍ୟା ହେବାର ଆଶଙ୍କା କମ ରହିଛି। ବିଶେଷକରି ଓଡ଼ିଶା, ଆନ୍ଧ୍ର ପ୍ରଭୃତି ରାଜ୍ୟରେ ବାତ୍ୟା ଆଶଙ୍କା ନାହିଁ।

ଆଜି ମାଲକାନଗିରି ଓ ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗୀରରେ ୩୯.୫, ଚାଳଚେରରେ ୩୯.୧, ଭବାନୀପାଟଣାରେ ୩୮.୫, ବୌଦ୍ଧରେ ୩୭.୮, ସୋନପୁରରେ ୩୭.୪, କଟକରେ ୩୫, ଦାରିଙ୍ଗବାଡ଼ିରେ ୩୩, ବାଲେଶ୍ବରରେ ୩୧.୪ ଡିଗ୍ରୀ ରେକର୍ଡ କରାଯାଇଛି।