Odia News Portal

ଦ୍ୱିତୀୟ ଦଫାରେ ବୌଦ୍ଧରୁ ଆସି ପୁରୀରେ ପହଞ୍ଚିଲା ରଥକାଠ

ପୁରୀ : ‘କରୋନା’ ଭୟକୁ ମାତ୍‌ ଦେଇ ଚାଲିଛି ମହାପ୍ରଭୁଙ୍କ ରଥଯାତ୍ରା ପ୍ରସ୍ତୁତି । ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ୨୦୨୦ର ରଥ ନିର୍ମାଣ ପାଇଁ କାଠ ପହଞ୍ଚିବାରେ ଲାଗିଛି । ଗୁରୁବାର ଅପରାହ୍ନରେ ବୌଦ୍ଧରୁ ଦ୍ୱିତୀୟ ଦଫା କାଠ ପହଞ୍ଚିଛି । ଏଥିରେ ୨୭ଖଣ୍ଡ କାଠ ଆସିଛି । ଆଜି ସୁଦ୍ଧା ରଥ ନିର୍ମାଣ ପାଇଁ ବଡ଼ଦାଣ୍ଡ ରଥଖଳାରେ ୩୧୫ କାଠ ପହଞ୍ଚିଯାଇଛି । ଏସବୁ ନୟାଗଡ଼ ଓ ବୌଦ୍ଧ ରେଞ୍ଜରୁ ଆସିଥିବା କହିଛନ୍ତି ଶ୍ରୀମନ୍ଦିର ବରିଷ୍ଠ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ । ଆସିଥିବା କାଠରେ ୪୦ଫୁଟିଆ ଅସନ ଓ ଧଉରା କାଠ ରହିଛି । ଧଉରା ୧୦ଖଣ୍ଡ ଓ ୧୭ ଖଣ୍ଡ ଅସନ କାଠ ଆସିଥିବା ଶ୍ରୀ ମେକାପ କହିଛନ୍ତି । ସେ କୁହନ୍ତି ପ୍ରତି ବର୍ଷ ତିନି ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ କାଠର ଆବଶ୍ୟକତା ହୋଇଥାଏ । ପୂର୍ବ ବର୍ଷ ଠାରୁ ୧୯୩ ଖଣ୍ଡ କାଠ ଶ୍ରୀମନ୍ଦିର ପ୍ରଶାସନ ପାଖରେ ଗଛିତ ରହିଥିଲା ।

ଚଳିତ ବର୍ଷ ୬୭୨ ଖଣ୍ଡ କାଠର ଅବଶ୍ୟକତା ରହିଛି । ଶ୍ରୀବିଗ୍ରହଙ୍କ ରଥ ନିର୍ମାଣ ନିମନ୍ତେ ବୌଦ୍ଧରୁ ୩୦୫ ଖଣ୍ଡ କାଠ ଆସିବ । ନୟାଗଡ଼ରୁ ୩୬୭ ଖଣ୍ଡ କାଠ ଆସିବାକୁ ଧାର୍ଯ୍ୟ ହୋଇଥିଲା । ଅଦ୍ୟାବଧି ଉଭୟ ରେଞ୍ଜରୁ ୩୧୫ କାଠ ପହଞ୍ଚିଥିବା ବେଳେ ଖୁବ୍‌ ଶୀଘ୍ର ଆଉ ଆବଶ୍ୟକ ୩୫୭ କାଠ ବଡ଼ଦାଣ୍ଡ ରଥଖଳାରେ ପହଞ୍ଚିବ । ରଥ ନିର୍ମାଣ ପରେ ମହାପ୍ରଭୁଙ୍କ ରଥ ଯାତ୍ରା ମଧ୍ୟ ସୁରୁଖୁରୁରେ ହେବ ବୋଲି ବରିଷ୍ଠ ତତ୍ତ୍ୱାବଧାରକ ଶ୍ରୀ ମେକାପ ଆଶାବାଦୀ ଅଛନ୍ତି  ।