Odia News Portal

ବାହାର ରାଜ୍ୟରୁ ଆସିଲେ ହାତରେ ଲାଗିବ ଅଲିଭା କାଳିର ଚିହ୍ନ

ଭୁବନେଶ୍ବର : ବାହାର ରାଜ୍ୟରୁ ଆସିଲେ ହାତରେ ଲାଗିବ ଅଲିଭା କାଳିର ଚିହ୍ନ। ଓଡ଼ିଶାରେ ପ୍ରବେଶ କରିବା କ୍ଷଣି ଚେକ୍‌ ପଏଣ୍ଟରେ ହିଁ ଏହି ଷ୍ଟାମ୍ପ ଲଗାଯିବ। କ୍ୱାରେଣ୍ଟାଇନ୍‌ ତାରିଖ ପର୍ଯ୍ୟନ୍ତ ଏହି ଚିହ୍ନ ରହିବ। ଯଦି ଜଣେ ସହରାଞ୍ଚଳର ବାସିନ୍ଦ ଥିବେ ତେବେ ତାଙ୍କୁ ହୋମ୍‌ କ୍ୱାରେଣ୍ଟାଇନ୍‌ ପାଇଁ ପ୍ରାଥମିକତା ଦିଆଯିବ। ଘରେ କ୍ୱାରେଣ୍ଟାଇନ୍‌ରେ ରହିଲେ, ଘର ଆଗରେ ଷ୍ଟିକର ଲାଗିବ। ତାଙ୍କର ନିୟମତି ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଯଦି ଘରେ କ୍ୱାରେଣ୍ଟାଇନ ସୁବିଧା ନଥିବ କିମ୍ବା ସ୍ୱାସ୍ଥ୍ୟବସ୍ଥା ଭଲ ନଥିବ ତେବେ ତାଙ୍କୁ ସରକାରୀ କ୍ୱାରେଣ୍ଟାଇନ୍‌ରେ ରଖାଯିବ।

ଜଣେ ଚାହିଁଲେ ପେଡ୍‌ କ୍ୱାରେଣ୍ଟାଇନ୍‌ରେ ରହି ପାରିବେ। ଗ୍ରାମାଞ୍ଚଳରେ ମଧ୍ୟ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କ୍ୱାରେଣ୍ଟାଇନ ବ୍ୟବସ୍ଥା ହୋଇଛି। ୨ ଲକ୍ଷ ୬୦ ହଜାର ଶଯ୍ୟା ପ୍ରସ୍ତୁତ ହୋଇ ରହିଛି। ଗର୍ଭବତୀ, ପ୍ରସୂତି ମହିଳା, ଶିଶୁ, କିନ୍ନର କିମ୍ବା ଦିବ୍ୟାଙ୍ଗଙ୍କୁ ସରପଞ୍ଚ ଚାହିଁଲେ ଘରେ କ୍ୱାରେଣ୍ଟାଇନରେ ରଖିବାକୁ ଅନୁମତି ଦେଇ ପାରିବେ। ଯଦି ଘରେ କ୍ୱାରେଣ୍ଟାଇନ ସୁବିଧା ନଥିବ ତେବେ ସ୍ୱତନ୍ତ୍ର ବ୍ୟବସ୍ଥା କରି ସେମାନଙ୍କୁ ସରକାରୀ କ୍ୱାରେଣ୍ଟାଇନରେ ରଖାଯିବ।