ଜଗତ୍ସିଂହପୁର : ସରକାରୀ କାର୍ଯ୍ୟରେ ଓଡିଆ ଭାଷାର ପ୍ରଚଳନ ପାଇଁ ରାଜ୍ୟ ସରକାର ଆଇନ୍ ଆଣିବାପରେ ଅନେକ ଜିଲ୍ଲା ପ୍ରଶାସନ ସେମାନଙ୍କ ୱେବସାଇଟ୍କୁ ଓଡିଆରେ ପ୍ରସ୍ତୁତ କରିଛନ୍ତି । ହେଲେ ସରକାରୀ ପଇସାରେ ପ୍ରସ୍ତୁତ ଏହି ଓଡିଆ ୱେବସାଇଟ୍ରେ କି ପ୍ରକାର ଓଡିଆ ଲେଖା ହେଉଛି ତାହାକୁ କେହି ଦେଖୁନଥିବାରୁ ଏଥିରେ କେବଳ ଜିଲ୍ଲାର ମାନ ସମ୍ମାନ
ଯାଉନାହିଁ ଅନେକ ବିଚିତ୍ର ଶବ୍ଦ ଲୋକଙ୍କୁ ସମସ୍ୟାରେ ପକାଉଛି । ଏହାର ବଡ ଉଦାହରଣ ହେଉଛି ଜଗତ୍ସିଂହପୁର ଜିଲ୍ଲା ୱେବସାଇଟ୍ । ଜିଲ୍ଲାର େଓବସାଇଟ୍ ଉଭୟ ଇଂରାଜୀ ଓ ଓଡିଆଭାଷାରେ ରହିଛି । ତେବେ ଓଡିଆ ଭାଷାରେ ପ୍ରସ୍ତୁତ ୱେବସାଇଟ୍ରେ ଏତେ ତ୍ରୁଟି ରହିଛି ଯେ ତାହାକୁ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର ପିଲାଟିଏ ଧରିପାରିବ । ଜିଲ୍ଲାର ନାଁ ଠାରୁ ଆରମ୍ଭକରି ଅନେକ କ୍ଷେତ୍ରରେ ତ୍ରୁଟି । ସାମାନ୍ୟ ଓଡିଆ ଭାଷା ଶବ୍ଦଟିଏ ମଧ୍ୟ ସଠିକ ଭାବେ ଲେଖା ହୋଇନାହିଁ ।
ସବୁଠାରୁ ବଡ କଥା ହେଲା ଜିଲ୍ଲାର ଏହି ୱେବସାଇଟ୍ ଦେଖି ଓଡିଆ ଭାଷାରେ କୌଣସି ସଠିକ ସୂଚନା ଲୋକ ପାଇପାରୁ ନାହାନ୍ତି । ଓଡିଆ ଭାଷାରେ ୱେବସାଇଟ୍ ପ୍ରସ୍ତୁତ ପାଇଁ ସରକାରୀ ତହବିଲରୁ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ ହୋଇଛି । ତେବେ ସରକାରୀ ପଇସାରେ ଏଭଳି ବିକୃତ ଓଡିଆ କିଭଳି ପ୍ରସ୍ତୁତ ହେଲା ଓ ୱେବସାଇଟ୍ରେ ତାହାକୁ ଅପଲୋଡ୍ କରିବା ପୂର୍ବରୁ କିଭଳି କେହି ଦେଖିଲେ ନାହିଁ ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସାହିତ୍ୟ ଓ ସଂସ୍କୃତି ପାଇଁ ବେଶ୍ ପରିଚିତ ଥିବା ସାରଳା କ୍ଷେତ୍ରର ଏହି ସରକାରୀ ୱେବସାଇଟ୍ରେ ଥିବା ଓଡିଆ ଭାଷା ଏବେ ଜିଲ୍ଲାବାସୀଙ୍କ ଏକ ପ୍ରକାର ଅପମାନ ବୋଲି କୁହାଯାଉଛି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଖୋଦ ଜିଲ୍ଲାପାଳ ଏଭଳି ତ୍ରୁଟିକୁ ଧରି ନପାରିବା । ବର୍ତ୍ତମାନର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ହେଉଛନ୍ତି ଜଗତ୍ସିଂହପୁରର ବାସିନ୍ଦା । ଜିଲ୍ଲାପାଳ ହୋଇ ଯିବା ପୂର୍ବରୁ ସେ ରାଜ୍ୟ ପ୍ରଶାସନରେ ଓଡିଆ ଭାଷାର ପ୍ରଚାର ପ୍ରସାର ଦାୟିତ୍ୱରେ ଥିଲେ ।
ତେଣୁ ତାଙ୍କ ଭଳି ଜଣେ ବ୍ୟକ୍ତିଙ୍କ ସମୟରେ ଏଭଳି ବିକୃତ ଓଡିଆ ସରକାରୀ ୱେବସାଇଟ୍ରେ ରହିବାକୁ ଲୋକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି । କିଛି କତିପୟ ଓ ଓଡିଆ ଭାଷାରେ ଜ୍ଞାନ ଗାରିମା ନଥିବା ଲୋକେ ସରକାରୀ ଟଙ୍କା ଚଳୁ ପାଇଁ ଏଭଳି କରିଛନ୍ତି । ତେଣୁ ତୁରନ୍ତ ଏହାର ତଦନ୍ତ ହେବା ସହିତ ଯେଉଁ ବ୍ୟକ୍ତି ବା ସଂସ୍ଥାକୁ ଭାଷାନ୍ତର ଦାୟିତ୍ୱ ଦିଆଯାଇଥିଲା ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି । ଜିଲ୍ଲାପାଳ ମହୋଦୟ ତୁରନ୍ତ ମାତୃଭାଷାର ଏଭଳି ବିକୃତୀକରଣ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଜିଲ୍ଲାର ସଚେତନ ନାଗରିକ ଓ ଭାଷାପ୍ରେମୀମାନେ ଆନ୍ଦୋଳନକୁ ଓହ୍ଲାଇବାପାଇଁ ସଜବାଜ ହେଉଥିବା ସୂଚନା ମିଳୁଛି ।