Odia News Portal

ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ, ସିବିଏସ୍‌ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ : ଶାଲିନୀ ଓଡ଼ିଶା ଟପର୍‌

ଭୁବନେଶ୍ବର : ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ତାରି ଏଜୁକେସନ (ସିବିଏସ୍‌ଇ) ଦ୍ବାରା ପରିଚାଳିତ ବିଦ୍ୟାଳୟଗୁଡ଼ିକର ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥର ଓଡ଼ିଶା, ପଶ୍ଚିମବଙ୍ଗ, ଛତିଶଗଡ଼କୁ ନେଇ ଗଠିତ ଭୁବନେଶ୍ବର ଜୋନ୍‌ର ପରୀକ୍ଷାର୍ଥୀ ଭଲ ପ୍ରଦର୍ଶନ କରିଛନ୍ତି। ଜୋନ୍‌ରୁ ମୋଟ ୭୦,୧୩୩ ଜଣ ନାମ ପଞ୍ଜୀକରଣ କରିଥିବା ବେଳେ ୬୮,୭୯୫ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୯୦.୦୮% ଛାତ୍ରଛାତ୍ରୀ କୃତକାର୍ଯ୍ୟ କରିଛନ୍ତି। ୨୦୧୮ରେ ପାସ୍‌ହାର ୮୨.୪୩ ପ୍ରତିଶତ ରହିଥିଲା। ପ୍ରତିବର୍ଷ ପରି ଏଥର ମଧ୍ୟ ଛାତ୍ରଙ୍କୁ ପଛରେ ପକାଇ ଛାତ୍ରୀମା‌ନେ ବାଜି ମାରିଛନ୍ତି। ଛାତ୍ରଙ୍କ ପାସ୍‌ହାର ୮୮.୩୬% ରହିଥିବା ବେଳେ ଛାତ୍ରୀଙ୍କ ପାସ୍‌ହାର ୯୨.୩୫% ରହିଛି। ବିଜ୍ଞାନ, ହ୍ୟୁମାନିଟି ଓ ବାଣିଜ୍ୟ ବିଭାଗରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୁବନେଶ୍ବରସ୍ଥିତ ମଦର ପବ୍ଲିକ୍‌ ସ୍କୁଲର ବିଜ୍ଞାନ ଛାତ୍ରୀ ଶାଲିନୀ ସିତଲ୍‌ ଓଡ଼ିଶା ଟପର୍‌ ହେବା ସହ ଜୋନ୍‌ରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ସେ ୫୦୦ରୁ ୪୯୧ ନମ୍ବର ରଖି ଏଭଳି ଗୌରବ ହାସଲ କରିଛନ୍ତି। ପଶ୍ଚିମବଙ୍ଗସ୍ଥିତ ସାଉଥ୍‌ ପଏଣ୍ଟ ହାଇସ୍କୁଲ ଛାତ୍ର ଦେବଞ୍ଜନ ଦାଶ ଓ ଛତିଶଗଡ଼ ଦୁର୍ଗସ୍ଥିତ ଡିପିଏସ୍‌ ଭିଲାଇ ରିସଲି ସେକ୍ଟର ଛାତ୍ର ଥୋମାସ୍‌ ଜାକୋବ ୫୦୦ରୁ ୪୯୩ ନମ୍ବର ରଖି ଯୁଗ୍ମ ଭାବେ ଜୋନ୍ ଟପର୍‌ ହୋଇଛନ୍ତି। ଭୁବନେଶ୍ବରସ୍ଥିତ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ପ୍ରଥମ ଅଗ୍ରୱାଲ ଓ ଇସିତା ପଟ୍ଟନାୟକ ବାଣିଜ୍ୟ ବିଭାଗରେ ୯୭.୨% ନମ୍ବର ରଖି ଆଗରେ ରହିଥିବା ଜଣାପଡ଼ିଛି। ରେଗୁଲାରରେ କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀ ବାଜି ମାରିଛନ୍ତି। ଭୁବନେଶ୍ବର ଜୋନ୍‌ରେ ଥିବା କେନ୍ଦ୍ରୀୟ ବିଦ୍ୟାୟଗୁଡ଼ିକର ୭୧୮୮ ଜଣ ପରୀକ୍ଷା ଦେଇଥିବା ବେଳେ ୭୧୧୫ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୯୯% ରହିଛି। ଜେଏନ୍‌ଭିଗୁଡ଼ିକରେ ୩୨୭୮ ଜଣ ପରୀକ୍ଷା ଦେଇଥିଲେ। ୩୧୮୭ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୯୭.୨୦% ରହିଛି। ସିଟିଏସ୍‌‌ଗୁଡ଼ିକରୁ ୯୨ ଜଣ ପରୀକ୍ଷା ଦେଇଥିବା ବେଳେ ୮୭ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୯୪.୬୦% ରହିଛି। ସ୍ବାଧୀନ ତଥା ଘରୋଇ ବିଦ୍ୟାଳୟଗୁଡ଼ିକର ୫୦,୩୬୯ ଜଣ ପରୀକ୍ଷା ଦେଇଥିବା ବେଳେ ପାସ୍‌ କରିଛନ୍ତି ୪୨,୪୦୦ ଛାତ୍ରଛାତ୍ରୀ। ପାସ୍‌ହାର ୮୪.୨୦ ରହିଛି। ସରକାରୀ ବିଦ୍ୟାଳୟର ୩୬୮୭ ଜଣ ପରୀକ୍ଷା ଦେଇଥିବା ବେଳେ ୧୪୪୫ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୩୯.୨୦% ରହିଛି। ତିନୋଟି ଯାକ ରାଜ୍ୟର ୭୧୨ ବିଦ୍ୟାଳୟର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।