Odia News Portal

କୋଭିଡ୍‌-୧୯ ସମ୍ପର୍କିତ ପ୍ରସ୍ତୁତି ନେଇ ପ୍ରମୁଖ ଶାସନ ସଚିବଙ୍କ ସହ ଏନ୍‌ଏଚ୍‌ଏମ୍‌ ଆଲୋଚନା

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାରେ ଦୁଇ କରୋନା ପଜିଟିଭ ଚିହ୍ନଟ ହେବା ପରେ ବଲାଙ୍ଗୀର ଜିଲ୍ଲା ଦାୟିତ୍ୱରେ ଥିବା କୋଭିଡ୍‌-୧୯ ପର୍ଯ୍ୟବେକ୍ଷକ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଗୃହ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ଶାସନ ସଚିବ ବେଣୁଧର ବେହେରା ଆଜି ବଲାଙ୍ଗୀର ଗସ୍ତରେ ଆସିଛନ୍ତି ।

ଏନ୍‌ଏଚ୍‌ଏମ୍‌ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଅଧିକାରୀଦ୍ୱୟ କୋଭିଡ୍‌-୧୯ ସମ୍ପର୍କିତ ପ୍ରସ୍ତୁତି, ପରିଚାଳନା, ଅର୍ଥନୈତିକ କାର୍ଯ୍ୟକଳାପ ସକାଶେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଶ୍ରମଭିତ୍ତିକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଏବଂ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନଙ୍କୁ ନେଇ ବଲାଙ୍ଗୀର ଜିଲ୍ଲାରେ କରୋନା ପରିଚାଳନା ସହିତ ଜିଲ୍ଲାର ଉନ୍ନୟନ ଯୋଜନାର କାର୍ଯ୍ୟକାରୀତା ସମୀକ୍ଷା କରିଛନ୍ତି । ରାଜ୍ୟର ବରିଷ୍ଠ ଅଧିକାରୀ ମାନେ ବୈଠକରେ ଜିଲ୍ଲାପାଳ ଅରିନ୍ଦମ ଡାକୁଆ, ଏସ୍‌ପି ସନ୍ଦୀପ ମାଡକର, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଡ.ମହେଶ୍ୱର ସ୍ବାଇଁ, ସିଡିଏମ୍‌ଓ ଡା.ନାରାୟଣ ଥନାପତି, ଡା ମଞ୍ଜୁବାଳା ପଣ୍ଡାଙ୍କ ସହ ଜିଲ୍ଲା ସ୍ବାସ୍ଥ୍ୟ ଓ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଗତକାଲି ଜିଲ୍ଲାର ଗୁଡଭେଲା ବ୍ଳକ୍‌ର ଲିଖିରିଆ ଗ୍ରାମରେ ଦୁଇ କରୋନା ପଜିଟିଭ ଚିହ୍ନଟ ପରେ ସେହି ଅଞ୍ଚଳରେ କରାଯାଇଥିବା କଣ୍ଟେନ୍‌ମେଣ୍ଟ ସମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଉପରେ ସମୀକ୍ଷା କରାଯାଇଥିଲା।

ରାଜ୍ୟ ବାହାରୁ ଫେରିବାକୁ ଥିବା ବ୍ୟକ୍ତି ଓ ପ୍ରବାସୀ ଶ୍ରମିକଙ୍କ ପାଇଁ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଖୋଲା ଯାଇଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଓ କ୍ୱାରାଣ୍ଟାଇନ୍‌ ସେଣ୍ଟରଗୁଡିକର ସ୍ଥିତି ଓ ଆନୁସଙ୍ଗିକ ବ୍ୟବସ୍ଥାର ସବିଶେଷ ସମୀକ୍ଷା ହୋଇଥିଲା। ଜିଲ୍ଲାର କୋଭିଡ୍‌ ହସ୍ପିଟାଲ, କରୋନା ହେଲ୍‌ଥ ସେଣ୍ଟର ଓ କରୋନା କେୟାର ସେଣ୍ଟରଗୁଡିକର ସ୍ଥିତି ସମ୍ପର୍କରେ ବୈଠକରେ ସମୀକ୍ଷା ହୋଇଥିଲା। ଶ୍ରମଜୀବୀମାନଙ୍କ ଅର୍ଥନୈତିକ ଉନ୍ନତି ନିମନ୍ତେ ବିଭିନ୍ନ ବିଭାଗ ତରଫରୁ କାର୍ଯ୍ୟକାରୀ ହେଉଥିବା ଏମଜିଏନ୍‌ଆରଇଜିଏ ଯୋଜନା ମାଧ୍ୟମରେ ବିଭିନ୍ନ ପ୍ରକଳ୍ପରେ କାମ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। କାର୍ଯ୍ୟସ୍ଥଳୀରେ କୋଭିଡ୍‌-୧୯ ନିର୍ଦ୍ଦେଶାବଳୀ କଡାକଡି ପାଳନ, ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବା, କାର୍ଯ୍ୟସ୍ଥଳୀରେ ହାତ ଧୋଇବା ପାଇଁ ସାବୁନ୍‌, ପାଣି ରଖିବାକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ।

ଏହାପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଓ ପୂର୍ତ୍ତ ବିଭାଗର ଶ୍ରମଭିତ୍ତିକ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। କୃଷି ବିଭାଗ, ଉଦ୍ୟାନ କୃଷି, ଜଳଛାୟା ପ୍ରକଳ୍ପ, ଜଙ୍ଗଲ ବିଭାଗ ତରଫରୁ କାର୍ଯ୍ୟକାରୀ ହେଉଥିବା ନର୍ସରୀ, ଓଡିଶା ଜୀବିକା ମିଶନ୍‌ ବିଭାଗ ତରଫରୁ କାର୍ଯ୍ୟକାରୀ ହେଉଥିବା ଶ୍ରମଭିତ୍ତିକ କାର୍ଯ୍ୟ ସୁନିଶ୍ଚିତ କରିବା ଉପରେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ଦିଆଯାଉଥିବା ଅଗ୍ରୀମ ୩ମାସର ଚାଉଳ, ମଧ୍ୟାହ୍ନ ଭୋଜନ ଯୋଜନାରେ ଛାତ୍ରୀଛାତ୍ରଙ୍କୁ ଦିଆଯାଉଥିବା କୁପନ ଓ ଅନ୍ୟାନ୍ୟ ଯୋଜନା ଗୁଡିକର ହିତାଧିକାରୀଙ୍କ ଦିଆଯାଉଥିବା ସହାୟତା ଉପରେ ମଧ୍ୟ ସମୀକ୍ଷା କରିଥିଲେ।