ପୁରୀ : ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଖୋଦ୍ ବନବିଭାଗର କର୍ମଚାରୀ ମାନେ ଏଭଳି କାଣ୍ଡ ଭିଆଇଛନ୍ତି। ଫନୀକୁ ଏକ ବର୍ଷ ପୁରିବା ନେଇ ଗଣମାଧ୍ୟମ ପ୍ରତିନିଧି ମାନେ ଖବର ସଂଗ୍ରହ କରିବାକୁ ବାଲୁଖଣ୍ଡ ଯାଇଥିଲେ। ନେଚର କ୍ଯାମ୍ପରେ ବନକର୍ମଚାରୀ ମାନେ ମଦ୍ଯପାନ କରି ମଉଜ କରୁଥିଲେ।ସେହି ସମୟରେ ଫଟୋ ଉତ୍ତୋଳନ କରିବାକୁ ଗଣମାଧ୍ୟମ ପ୍ରତିନିଧିମାନେ ଚେଷ୍ଟା କରିବା ସମୟରେ ଆକ୍ରମଣ କରାଯାଇଥିଲା। ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ଜିଓଡିଶାର କ୍ଯାମେରା ମ୍ଯାନକୁ ମରଣାନ୍ତକ ଆକ୍ରମଣ ହୋଇଛି। କ୍ଯାମେରା ଭାଙ୍ଗି ଦେବା ସହ ହତ୍ଯା ଧମକ ଦେଇଥିଲେ। ସେପଟେ ଦୁଇ ଅଭିଯୁକ୍ତ ବନକର୍ମଚାରୀଙ୍କ ବିରୁଦ୍ଧରେ ପେଣ୍ଠକଟା ମେରାଇନ ଥାନାରେ ଏକ ଅପରାଧିକ ମାମଲା ରୁଜୁ ହୋଇଛି। କେଶ୍ ନମ୍ବର ୨୫/୨୦, ଆଇପିସିର ଦଫା ୩୦୭,୩୪୧,୨୯୪,୩୨୩,୨୯୪,୫୦୬,୪୨୭,୩୪ ଅନୁଯାୟୀ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡିଛି।
ପୁରୀ ବାଲୁଖଣ୍ଡର ନେଚର କ୍ଯାମ୍ପ ପାଲଟିଛି ବନକର୍ମଚାରୀଙ୍କ ମଦ ବାର୍। ଲକ୍ ଡାଉନ ସମୟରେ କ୍ୟାମ୍ପର କଟେଜକୁ ଅପବ୍ୟବହାର କରିଛନ୍ତି ବନକର୍ମଚାରୀ। ଆପଣଙ୍କୁ ଦେଖାଉଛୁ ଇଏ ହେଉଛି ପର୍ଯ୍ୟଟକଙ୍କ ପାଇଁ ଉଦ୍ଦିଷ୍ଟ କଟେଜ ଭିତରର ଦୃଶ୍ୟ । ଗୋଟାଏ ନୁହେଁ କି ଦୁଇଟି ନୁହେଁ ଏକାଧିକ ମଦ ବୋତଲ ରହିଛି। ସିଗାରେଟ ଆଉ ମଦ ଗ୍ଲାସ ମଧ୍ୟ ପ୍ରସ୍ତୁତ ହୋଇ ରହିଛି। ଫନିକୁ ଏକ ବର୍ଷ ପୁରିବା ନେଇ ବାଲୁଖଣ୍ଡ ଅଭୟାରଣ୍ୟର ସ୍ଥିତି ପରଖିବା ପାଇଁ ଯାଇଥିବା ଗଣମାଧ୍ୟମ ଆଖିରେ ପଡିଲା ଏଭଳି ସାଙ୍ଘାତିକ ଦୃଶ୍ୟ । ଯାହା ବନବିଭାଗର ଅସଲି ଚେହେରା ଜଳଜଳ କରି ଦେଖାଗଲା। କିନ୍ତୁ ଏଭଳି ଦୃଶ୍ୟ ହାତଛଡା କରିବା ସମ୍ଭବ ନଥିଲା। ଗଣମାଧ୍ୟମ ଏହାର ଭିଜୁଆଲ ନେଉଥିବା ବେଳେ ବନବିଭାଗର କର୍ମଚାରୀ ଗଣମାଧ୍ୟମକୁ କିଭଳି ଗୋଡାଇ ଗୋଡାଇ ପିଟିଲେ ଦେଖନ୍ତୁ ତାହାର ତାଜା ଭିଜୁଆଲ । ଜିଓଡିଶାର କ୍ୟାମେରା ମ୍ୟାନ ଚିତ୍ତରଞ୍ଜନଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ କ୍ୟାମେରାକୁ ଭାଙ୍ଗି ପକାଇଥିଲେ। ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଅସ୍ରାବ୍ୟ ଭାଷାରେ ଗାଳିଗୁଲଜ ସହ ଧମକ ଦେଇଥିଲେ। ସେପଟେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରତି ଏଭଳି ବ୍ୟବହାର ନିନ୍ଦନୀୟ ବୋଲି ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ତେବେ ଖବର ସଂଗ୍ରହ କରିବା ବେଳେ କାର୍ଯ୍ୟରତ ବନ ବିଭାଗ କର୍ମଚାରୀଙ୍କର ଏଭଳି ନିଶାସକ୍ତ ଭାବେ ଆକ୍ରମଣ ଦେଖି ଚକିତ ହୋଇପଡିଥିଲେ ସାମ୍ବାଦିକମାନେ।
କ୍ୟାମେରାମ୍ୟାନ ଚିତରଂଜନଙ୍କ ପକ୍ଷରୁ ପେଣ୍ଠକଟା ମେରାଇନ ଥାନାରେ ବାଲିଘାଇ ଫରେଷ୍ଟର ତପନ ନାୟକ ଓ ବାଲୁଖଣ୍ଡ ଫରେଷ୍ଟଗାର୍ଡ ବିରଜା ମହାପାତ୍ରଙ୍କ ନାଁରେ ଏତେଲା ଦିଆଯାଇଛି। ଥାନାରେ କେଶ୍ ନମ୍ବର ୨୫/୨୦, ଆଇପିସିର ଦଫା ୩୦୭, ୩୪୧, ୨୯୪, ୩୨୩, ୨୯୪, ୫୦୬, ୪୨୭, ୩୪ ଅନୁଯାୟୀ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡିଛି।ତେବେ ଗଣମାଧ୍ୟମ ସ୍ୱାଧୀନତା ଦିବସରେ ଏଭଳି ଗଣମାଧ୍ୟମ ପ୍ରତିନିଧିଙ୍କୁ ଖବର ସଂଗ୍ରହ ବେଳେ ମରଣାନ୍ତକ ଆକ୍ରମଣକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି । ପୁରୀ ଟାଉନଥାନାରେ କଂଗ୍ରେସ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ଘଟଣାରେ ବନ କର୍ମଚାରୀଙ୍କୁ ଗିରଫ ସହ ନିଲମ୍ବିତ କରାଯିବାକୁ ଦାବୀ ହୋଇଛି ।
ଖବର ସଂଗ୍ରହ ବେଳେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ କରିବା ଜଘନ୍ୟ ଅପରାଧ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୁଣି ଏଭଳି ଆଇନକୁ ହାତକୁ ନେଇ କର୍କବ୍ୟରତ ସାମ୍ବାଦିକଙ୍କୁ ବନ ବିଭାଗ କର୍ମଚାରୀ ମଦ୍ୟପାନ କରି ମାଡ ମାରିବାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।