ନୂଆଦିଲ୍ଲୀ : କରୋନା ସଙ୍କଟ ଓ ଲକ୍ଡାଉନ୍ ଦେଶର ସବୁ ବର୍ଗର ଲୋକଙ୍କ ଉପରେ ପ୍ରଭାବ ପକାଇଛି । କରୋନା ଭଗବାନଙ୍କ ମନ୍ଦିରକୁ ବି ଛାଡ଼ିନାହିଁ । ଏହାର ପ୍ରଭାବ ମନ୍ଦିର ଉପରେ ବି ପଡ଼ିଛି । ଆନ୍ଧ୍ରପ୍ରଦେଶରେ ଭଗବାନ ଭେଙ୍କଟେଶ୍ୱରଙ୍କ ତିରୁପତି ବାଲାଜି ମନ୍ଦିର ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି । ମନ୍ଦିର ପ୍ରଶାସନ ନିକଟରେ ତା’ର ୧୩୦୦ କର୍ମଚାରୀଙ୍କୁ ଚାକିରୀରୁ ବାହାର କରିଥିବା ଜଣାଯାଇଛି ।
ଦେଶର ସବୁଠୁ ଧନୀ ମନ୍ଦିରରେ ଏହି ଷ୍ଟାଫ୍ମାନେ ସାନିଟେସନ୍ ଓ ହସ୍ପିଟାଲଟି ବିଭାଗରେ କାମ କରନ୍ତି । ଦେଶରେ ସବୁଠି ଲକ୍ଡାଉନ୍ ଯୋଗୁ ମନ୍ଦିର ସବୁ ଏବେ ଫାଙ୍କା । ତେଣୁ ମନ୍ଦିର ପ୍ରଶାସନ ଏହି କର୍ମଚାରୀମାନଙ୍କୁ ମଇ ୧ ତାରିଖରୁ କାମକୁ ନ ଆସିବା ପାଇଁ ନିର୍ଦ୍ଦେଶ ଦେଇଛି । ଏହି କର୍ମଚାରୀମାନେ କଣ୍ଟ୍ରାକ୍ଟ ଭାବେ ମନ୍ଦିରରେ କାମ କରୁଥିଲେ । ଏପ୍ରିଲ ୩୦ ତାରିଖରେ ସେମାନଙ୍କ କଣ୍ଟ୍ରାକ୍ଟ ସରୁଥିବାରୁ ମନ୍ଦିର ଟ୍ରଷ୍ଟ ସେମାନଙ୍କର କଣ୍ଟ୍ରାକ୍ଟକୁ ଆଉ ବଢ଼ାଇ ନଥିବା ଜଣାଯାଇଛି । ଫଳରେ ୧୩୦୦ କର୍ମଚାରୀଙ୍କ ଜିବୀକା ଏବେ ସଙ୍କଟରେ ପଡ଼ିଛି ।
ତିରୁମାଲା ତିରୁପତି ଦେବସ୍ଥାନମ୍ ବୋର୍ଡ ଏହି ସମସ୍ୟାକୁ ମାନବୀୟ ଆଧାରରେ ଦେଖିବାକୁ କର୍ମଚାରୀଙ୍କୁ ଆଶ୍ୱାସନା ଦେଇଛି । ଟ୍ରଷ୍ଟର ପ୍ରବକ୍ତା ଟି ରବି ଏକ ଗଣମାଧ୍ୟମକୁ କହିଛନ୍ତି ଯେ ଏପ୍ରିଲ ୩୦ରେ କଣ୍ଟ୍ରାକ୍ଟ ସରିବା ପରେ ନୂଆ ଟେଣ୍ଡର ପାଇଁ ଟ୍ରଷ୍ଟ ବୋର୍ଡ ବୈଠକ ବସିବା କଥା । କିନ୍ତୁ ଲକ୍ଡାଉନ୍ ଯୋଗୁଁ ବୈଠକ ବସି ପାରି ନଥିବାରୁ କୈାଣସି ନିଷ୍ପତ୍ତି ନିଆଯାଇ ନାହିଁ । ବର୍ତ୍ତମାନ କର୍ମଚାରୀଙ୍କ ପାଇଁ କୈାଣସି କାମ ନଥିବାରୁ କାମ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି ବୋଲି ଟ୍ରଷ୍ଟ ବୋର୍ଡ ପକ୍ଷରୁ କୁହାଯାଇଛି ।
୨୦ ମାର୍ଚ୍ଚ ପରେ ଲକ୍ଡାଉନ୍ ଯୋଗୁଁ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ବନ୍ଦ୍ କରି ଦିଆଯାଇଛି । ପରବର୍ତ୍ତୀ ସମୟରେ ମନ୍ଦିର ଖୋଲିଲେ କର୍ମଚାରୀଙ୍କ ବିଷୟରେ ନିଷ୍ପତ୍ତି ନିଆଯିବ ବୋଲି ଟ୍ରଷ୍ଟ ବୋର୍ଡ କହିଛି । ପ୍ରକାଶ ଯେ ୧୨୮ ବର୍ଷର ମନ୍ଦିର ଇତିହାସରେ ପ୍ରଥମ ଥର ପାଇଁ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ବନ୍ଦ କରାଯାଇଛି ।