Odia News Portal

ରାଜଧାନୀରେ ବଡ଼ ଧରଣର ଅସରାଏ ବର୍ଷା

ଭୁବନେଶ୍ୱର : ରାଜଧାନୀରେ ବଡ଼ ଧରଣର ଅସରାଏ ବର୍ଷା ପରେ ସାମୟିକ ଭାବେ ହଜିଯାଇଛି ବୃଷ୍ଟିପାତ। ସଂନ୍ଧ୍ୟା ୭ଟାରୁ ସାଢ଼େ ୮ଟା ମଧ୍ୟରେ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ପ୍ରାୟ ଅଧଘଣ୍ଟା ଧରି ଜୋର୍‌ଦାର୍‌ ବର୍ଷା ହେବା ପରେ ପାଗ ଗୁମ୍‌ସୁମ୍‌ ହୋଇଯାଇଛି। ଲଗାଣବର୍ଷା ଜାରି ରହିବ ବୋଲି ଅନୁମାନ କରାଯାଉଥିଲେ ହେଁ ବର୍ଷା ପ୍ରାୟତଃ ବନ୍ଦ ରହିଛି। ପବନ ବି ବହିବା ଦେଖାଯାଉନାହିଁ। ପାଗ ଏକ ପ୍ରକାର ଗୁମ୍‌ ହୋଇଯାଇଛି। ଏହା ଝଡ଼ ପୂର୍ବରୁ ନୀରବତା ବୋଲି ମନେ ହେଉଛି। ସାଧାରଣଭାବେ କୁହାଯାଏ ଏକ ବଡ଼ ଝଡ଼ ଆସିବା ପୂର୍ବରୁ ପାଗ ଗୁମ୍‌ସୁମ୍‌ ହୋଇଯାଏ। ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ ବାତ୍ୟା ଫନି ପୁରୀ ନିକଟରେ ସକାଳ ୮ଟାରୁୁ ୧୦ ଟା ମଧ୍ୟରେ ସ୍ଥଳ ଭାଗ ଛୁଇଁବ। ଏହି ସମୟରେ ସମ୍ପୃକ୍ତ ଅଞ୍ଚଳରେ ୧୭୦ରୁ ୧୮୦ କି.ମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ପାଣିପାଗ ବିଶେଷଜ୍ଞମାନଙ୍କ ଅନୁସାରେ ଅତି କମ୍‌ରେ ୧୦୦ କିମି ବେଗରେ ପବନ ବହିପାରେ। ଅନୁମାନ କରାଯାଉଛି କି ମଧ୍ୟ ରାତ୍ରି ପରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବା ଆରମ୍ଭ ହେବ।