ବଲାଙ୍ଗୀର : ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନାରୁ ରକ୍ଷା ପାଇବା ନେଇ ସାରା ଦେଶରେ ଲକ ଡାଉନ ଜାରି ରହିଛି। ପୁଲିସ ମଧ୍ୟ ଲୋକଙ୍କୁ ସଚେତନ କରାଇ ଲୋକଙ୍କୁ ଘରୁ ନ ବାହାରିବା କିମ୍ବା ଏକତ୍ର ନହେବା ପାଇଁ ପରାମର୍ଶ କରୁଛି। ସାରା ରାଜ୍ୟରେ ଲକ ଡାଉନ ରହିଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଓ ଜରୁରୀକାଳୀନ ସେବା ଏଥିରୁ ମୁକ୍ତ ରହିଛି। ସେପଟେ ସରକାର କରୋନା କଟକଣା ଲାଗିଥିବା ବେଳେ ମଦ ଦୋକାନ ଗୁଡିକୁ ବନ୍ଦ ରଖିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି। ଯାହାର ଫାଇଦା ଉଠାଇ କିଛି ମୁନାଫାଖୋର ବେପାରୀ ଚଢା ଦରରେ ବେଆଇନ ଭାବେ ମଦ ବିକ୍ରି କରି ମାଲାମାଲ ହେଉଛନ୍ତି।
ବଲାଙ୍ଗୀର ଜିଲ୍ଲାରେ ମଦ ଦୋକାନ ଓ ବାର୍ ଗୁଡିକୁ ସିଲ୍ କରାଯାଇଥିଲେ ମଧ୍ୟ ଚୋରା ବେଆଇନ ଭାବେ କାରବାର ଚାଲିଛି । ଏ ନେଇ ଅବକାରୀ ବିଭାଗ ପକ୍ଷରୁ କିଛି ବିହିତ ପଦକ୍ଷେପ ନିଆଯାଇ ନ ଥିଲା । କେବଳ ନାମକୁ ମାତ୍ର ମଦ ଦୋକାନ ଗୁଡିକୁ ସିଲ୍ କୁହାଯାଇଥିଲା । ଗତ ଶୁକ୍ରବାର ବଲାଙ୍ଗିର ଜିଲ୍ଲାରେ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ ହେଲାପରେ ପୋଲିସ ଲକ ଡାଉନ କଡାକଡି କରିଦେଇଥିବା ସତ୍ତ୍ୱେ ବେଆଇନ ମଦ ବିକ୍ରି ବନ୍ଦ ହେଉନାହି । ଲକ୍ଡାଉନ୍ ସମୟରେ ସହରର ଦୋକାନ ବଜାର ବନ୍ଦ ରହିବା ସହ ରାସ୍ତାଘାଟ ଶୁନ୍ଶାନ୍ ରହୁଥିବାରୁ ଚୋରା ମଦ ମାଫିଆ ମାନେ ବେଖାତିରରେ ବେପାର ଜମାଇଥିଲେ । ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦକୁ ଚଢ଼ା ଦରରେ ବିକ୍ରିକରି ଲକ୍ଷାଧିକ ଟଙ୍କା ମୁନାଫା କରିବାରେ ଲାଗିଛନ୍ତି ।
ଆଜି ବଲାଙ୍ଗିର ଟାଉନ ଥାନା ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ରାଜମହଲ ହୋଟେଲ ଓ ବାର ଉପରେ ଅତର୍କିତ ଚଢ଼ଉ କରି ପାଖାପାଖି ୧୨୮ ବୋତଲ ବିଭିନ୍ନ ବିଦେଶୀ କମ୍ପାନୀର ମଦ ସହ ମଦ ବିକ୍ରି କରିଥିବା ହରେକୃଷ୍ଣ ପଟେଲକୁ ଗିରଫ କରିଛି। ଏ ସଂକ୍ରାନ୍ତରେ ଟାଉନ୍ ଥାନାରେ ଏକ ମାମଲା ୨୧୨/୨୦ ରୁଜୁ କରାଯାଇଛି ବୋଲି ଟାଉନ୍ ଥାନା ଆଇଆଇସି ସଂଗ୍ରାମ କେଶରୀ ପଟ୍ଟନାୟକ ସୂଚନା ଦେଇଛନ୍ତି । ଏବଂ ଉକ୍ତ ଘଟଣାରେ ହୋଟେଲ ମାଲିକଙ୍କ ମଧ୍ୟ ନିଶ୍ଚିତ ଭାବରେ ସମ୍ପୃକ୍ତି ଥିବା ପୋଲିସ ସୂତ୍ରରୁ ପ୍ରକାଶ ହୋଇଛି ।