Odia News Portal

ଲକ୍‍ଡାଉନରେ ସୋସିଆଲ ମିଡିଆରେ ସକ୍ରିୟ ହେଉଛନ୍ତି ନେତା

ଭୁବନେଶ୍ୱର : କରୋନା କଟକଣା ଏବେ କିଛି ମନ୍ତ୍ରୀ, ବିଧାୟକଙ୍କ ପାଇଁ ନିଜ ନିଜକୁ ସୋସିଆଲ ମିଡିଆରେ ପ୍ରଚାର କରିବାକୁ ଅପୂର୍ବ ସୁଯୋଗ ଆଣି ଦେଇଛି । ଏଥିପାଇଁ ସେମାନେ ସ୍ୱତବ ଭାବେ ଆଇଟି କର୍ମଚାରୀ ନିଯୁକ୍ତ କରିବା ସହିତ ରଙ୍ଗ ବେରଙ୍ଗର ଆଖିଦୃଶିଆ ଫଟୋ ଡିଜାଇନ୍‍ କରି ଛାଡୁଛନ୍ତି । କରୋନାରେ ସମଗ୍ର ପ୍ରଶାସନିକ କଳ ହଲପଟା ହେଉଥିବାବେଳେ ଏହି ନେତାମାନେ କିନ୍ତୁ ଜୋରଦାର ପ୍ରଚାରରେ ଲାଗିଥିବାରୁ କିଛି ଆଇଟି ଫାର୍ମ ବି ମାଲେମାଲ ହେଉଛନ୍ତି ।
କରୋନା କଟକଣା ଲାଗୁ ହେବା ପରେ ଅକ୍ଷୟତୃତୀୟା, ରମ୍‍ଜାନ, ଇଷ୍ଟର, ମହାବିଷୁବ ସଂକ୍ରାନ୍ତି, ଉତ୍କଳ ଦିବସ ଭଳି ବିଭିନ୍ନ ପ୍ରକାର ଉତ୍ସବ ଓ ଦିବସ ଗଲାଣି । କଟକଣା ଯୋଗୁଁ ଖୋଦ ରାଜ୍ୟ ସରକାର ଏହାକୁ ପାଳନ କରିପାରି ନାହାନ୍ତି । ତେବେ କିଛି ମନ୍ତ୍ରୀ, ବିଧାୟକ କିନ୍ତୁ ଏହି ଦିନ ଗୁଡିକୁ ସୋସିଆଲ ମିଡିଆରେ ବଞ୍ଚାଇ ରଖିଛନ୍ତି । ଅବଶ୍ୟ ଏଥିରେ ସେମାନଙ୍କର ଜୋରଦାର ପ୍ରଚାର ହେବାରେ ଲାଗିଛି ।

ପ୍ରତି ପର୍ବପର୍ବାଣୀ ଦିନ ନିଜ ଫଟୋ ସହିତ ଦେବାଦେବୀ, ଦଳୀୟ ଚିହ୍ନ, ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲଗାଇ ବେଶ୍‍ ଚକଚକିଆ ବ୍ୟାନର ପ୍ରସ୍ତୁତ କରୁଛନ୍ତି । ଏହାପରେ ତାହାକୁ ବିଭିନ୍ନ ସୋସିଆଲ ମିଡିଆରେ ଛାଡିବାରେ ଲାଗିଛନ୍ତି । ଏହି ପ୍ରଚାର ରୋଗ ଏବେ ଏତେ ମାତ୍ରାରେ ବ୍ୟାପିଛି ଯେ ଦିନେ କାଳେ କମ୍ପ୍ୟୁଟରର ଧାର ଧାରିନଥିବା ନେତା ବି ଫେସ୍‍ବୁକ୍‍,
ହ୍ୱାଟ୍ସଆପ ଓ ଟୁଇଟର ଭଳି ସୋସିଆଲ ମିଡିଆରେ ସକ୍ରିୟ ହୋଇ ଉଠିଛନ୍ତି । ଏଥିପାଇଁ କିଛି ନେତା ନେତା ଆଇଟି ପ୍ରଫେସନାଲମାନଙ୍କୁ ମୋଟା ଅଙ୍କର ପାଉଣାରେ ନିଯୁକ୍ତି ଦେଇଛନ୍ତି । ଅବଶ୍ୟ ଇତି ମଧ୍ୟରେ ରାଜ୍ୟରେ ସକ୍ରିୟ ଥିବା ଗୋଟିଏ ଦୁଇଟି ସଂସ୍ଥା ନେତାମାନଙ୍କ ଘର ଘର ବୁଲି ସେମାନଙ୍କ ଠାରୁ ଫଟୋ ଆଣି ବ୍ୟାନର ପ୍ରସ୍ତୁତ କରୁଛନ୍ତି । ନେତାମାନେ ବି ଏଭଳି ସୁଯୋଗକୁ ହାତଛଡା କରୁନାହାନ୍ତି ।

ଲକ୍‍ ଡାଉନ୍‍ ଯୋଗୁଁ ଅନେକ ମନ୍ତ୍ରୀ , ବିଧାୟକ ଓ ନିଗମ ଅଧ୍ୟକ୍ଷମାନେ ଟିଭିରେ ମୁହଁ ଦେଖାଇବା କିମ୍ବା ଖବରକାଗଜରେ ନାମ ଛପାଇବାର ସୁଯୋଗ ପାଉନଥିବାରୁ ଲୋକଙ୍କ ନିକଟରେ ନିଜର ଉପସ୍ଥିତି ଜାହିର ପାଇଁ ସୋସିଆଲ ମିଡିଆର ସାହାରା ନେଇଛନ୍ତି ଅବଶ୍ୟ ଗତ ବଜେଟ୍‍ ଅଧିବେଶନବେଳେ ବିଧାନସଭା ପକ୍ଷରୁ ଯୋଗାଯାଇଥିବା ଦାମୀ ଆଇପ୍ୟାଡ୍‍ ବି ଅନେକଙ୍କର ଏହି
କାମରେ ଭଲ ବ୍ୟବହାର ହେଉଥିବା ସୂଚନା ମିଳୁଛି । ଆଗାମୀ ଦିନରେ ସୋସିଆଲ ମିଡିଆରେ କିଭଳି ଅଧିକ ସକ୍ରିୟ ହେବା ସହିତ ନିଜ ନିଜ ବିଧାନସଭା କ୍ଷେତ୍ରର କର୍ମୀଙ୍କ ସହିତ ଯୋଡିହେବେ ସେଥିପାଇଁ କିଛି ନେତା ଏବେଠାରୁ ଉଦ୍ୟମ ଆରମ୍ଭକରି ଦେଲେଣି ।ତେବେ ସୋସିଆଲ ମିଡିଆରେ ସକ୍ରିୟ ଥିବା ଅନେକନେତା କିନ୍ତୁ କରୋନା ଭୟରେ ଘରୁ ବାହାରୁ ନଥିବାରୁ ସାଧାରଣ ଲୋକେ ସେମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି । ବିଶେଷକରି ଏମାନେ ଟିଭି ପରଦାରୁ ଉଭେଇ ଯାଉଥିବାରୁ କରୋନା ସମୟରେ ଏମାନେ ଲୋକଙ୍କ ପାଇଁ କି କାମ କରୁଛନ୍ତି ବୋଲି ବି ଅନେକ ପ୍ରଶ୍ନ କରୁଛନ୍ତି । ତେବେ ସେ ଯାହାହେଉ କରୋନା ଯେ ଅନେକଙ୍କ ପାଇଁ ସୋସିଆଲ ମିଡିଆରେ ଯୋଡିହେବା ସୁଯୋଗ ଆଣି ଦେଇଛି ତାହାକୁ ସମସ୍ତେ ଅନୁଭବ କରୁଛନ୍ତି ।