Odia News Portal

ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିଛ ପଞ୍ଚାୟତ ପୋଖରୀରେ ମାଛ ଚାଷ

କେନ୍ଦ୍ରାପଡା : ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ପଞ୍ଚାୟତ ପୋଖରୀରେ ହେଉଥିବା ମାଛ ଚାଷ ଏବେ ଗାଁ ଗହଳର ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିଛି । ୨୦୧୮-୧୯ ବର୍ଷରୁ ଏହି ଯୋଜନା ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ ମାଛଚାଷ ପାଇଁ ପଞ୍ଚାୟତ ପୋଖରୀ ଦୀର୍ଘମିଆଦୀ ସୂତ୍ରରେ ଲିଜ୍‍ ଦିଆଯାଉଛି । କେନ୍ଦ୍ରାପଡା ଜିଲ୍ଲାରେ ଏହି ଯୋଜନା ମାଧ୍ୟମରେ ୨୮୬ ସ୍ୱୟଂ ସହାୟକ ଗୋଷ୍ଠିଙ୍କୁ ୧୫୧ ହେକ୍ଟର ପରିମିତ ୨୮୭ଟି ପଞ୍ଚାୟତ ପୋଖରୀ ଲିଜ ଦିଆଯାଇଛି । ଓଡିଶା ୱାର୍ଲ୍ଡ ଫିସ୍‍ ଓ ମିଶନ ଶକ୍ତି ସହାୟତାରେ ସହାୟତାରେ ଜିଲ୍ଲା ମତ୍ସ୍ୟ ବିଭାଗ ଦ୍ୱାରା ଗୋଷ୍ଠୀମାନଙ୍କର ୫୪୦ ଜଣ ମହିଳା ଓ ପ୍ରାଣୀ ମିତ୍ରମାନଙ୍କୁ ୧୮ଟି ପ୍ରଶିକ୍ଷଣ ଶିବିର ମାଧ୍ୟମରେ ଉନ୍ନତ ମାଛ ଚାଷ କୌଶଳ ତାଲିମ ଦିଆଯାଇଥିବା କହିଛନ୍ତି ଜିଲ୍ଲା ମତ୍ସ୍ୟ ଅଧିକାରୀ ମମତା ମହାପାତ୍ର ।

ଶ୍ରୀମତୀ ମହାପାତ୍ର କହିଛନ୍ତି ଯେ ୨୦୧୮-୧୯ ବର୍ଷ ଠାରୁ କେନ୍ଦ୍ରାପଡା ଜିଲ୍ଲାର ଶତାଧିକ ଦଳପୂର୍ଣ୍ଣ ପଞ୍ଚାୟତ ପୋଖରୀକୁ ଆଗ୍ରହୀ ମହିଳାମାନେ ଦଳମୁକ୍ତ ମରି ତାହାକୁ ଦୀର୍ଘ ମିଆଦି ସୂତ୍ରରେ ଲିଜ୍‍ ନେଇ ବିଭିନ୍ନ କିସମର ମାଛ ସମେତ ପୁଷ୍ଟିକର ମହୁରାଳି ଆଦି ଛୋଟ ଓ ଦେଶୀ ମାଛ ଉତ୍ପାଦନ କରିପାରିଛନ୍ତି । ଏହି ଯୋଜନାରେ ଗୋଟିଏ ହେକ୍ଟର ପଞ୍ଚାୟତ ପୋଖରୀରେ ମାଛ ଚାଷ ନିମନ୍ତେ ସବ୍‍ସିଡ୍‍ ଆକାରରେ ୯୦ହଜାର ଟଙ୍କା ପ୍ରଦାନ କରାଯାଉଛି । ପ୍ରତିବର୍ଷ ସାରା ଓଡିଶାରେ ଅନ୍ୟୁନ ୧୫୦୦ ହେକ୍ଟର ପୋଖରୀରେ ମହିଳାମାନଙ୍କ ଦ୍ୱାରା ମାଛ ଚାଷ କରାଯିବାର ଯୋଜନା ରହିଛି । ମହିଳା ସଶକ୍ତିକରଣ ଓ ଆୟ ବୃଦ୍ଧି ନିମେନ୍ତ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ମଧ୍ୟରେ ଏହା ଅନ୍ୟତମ ।

ବର୍ତ୍ତମାନ ସୁଦ୍ଧା କେନ୍ଦ୍ରାପଡା ଜିଲ୍ଲାର ମହିଳାମାନଙ୍କ ଦ୍ୱାରା ଉତ୍ପାଦିତ ମାଛର ପରିମାଣ ୧୦୦ ମେଟ୍ରିକ ଟନ୍‍ ଏବଂ ଏହାକୁ ବିକ୍ରି କରି ସେମାନେ ଏକ କୋଟି ୩୦ଲକ୍ଷ ଟଙ୍କା ପାଇଛନ୍ତି । ଆଗାମୀ ଦିନରେ ପୋଖରୀ ଗୁଡିକରୁ ବଳକାପ୍ରାୟ ୨୫୦ ମେଟ୍ରିକ ଟନ୍‍ ମାଛ ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି । ଏହି କାର୍ଯ୍ୟ ପାଇଁ ଏକ କୋଟି ୮ଲକ୍ଷ ଟଙ୍କାର ସରକାରୀ ସହାୟତା ଯୋଗାଇ ଦିଆଯାଇଛି । କାର୍ଯ୍ୟକ୍ରମର ସଫଳ ରୂପାୟନ ଯୋଗୁଁ ଗ୍ରାମାଞ୍ଚଳର ମହିଳାମାନେ ଗୋଷ୍ଠୀମାଧ୍ୟମରେ କରୋନା ବିପର୍ଯ୍ୟୟ ସମୟରେ କେନ୍ଦ୍ରାପଡାବାସୀଙ୍କୁ ଉନ୍ନତ ପୁଷ୍ଟିକର ମାଛ ସୁଲଭ ଦରରେ ଯୋଗାଇ ଦେବା ସହିତ ନିଜର ଆର୍ଥିକ ମାନଦଣ୍ଡକୁ ମଝବୁତ କରିପାରିଥିବା ଶ୍ରୀମତୀ ମହାପାତ୍ର କହିଛନ୍ତି । କରୋନା ଭଳି ମହାମାରୀ ସମୟରେ ସରକାର ମତ୍ସ୍ୟଚାଷ ଓ ମତ୍ସ୍ୟ ସାମଗ୍ରୀ ବିକ୍ରିବଟା ଲକ ଡାଉନ୍‍ରୁ ମୁକ୍ତ କରିବାପରେ ଜିଲ୍ଲା ପ୍ରଶାସନର ଆନ୍ତରିକତା ଓ ଜିଲ୍ଲା ମତ୍ସ୍ୟ ବିଭାଗ ତ ୍ୱାବଧାନରେ ଏହା ସମ୍ଭବ ହୋଇପାରିଛି ।