Odia News Portal

ଫନି ପରେ ଉତପ୍ତ ପାଲଟିଛି ଓଡିଶା, ୧୨ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ

ଭୁବନେଶ୍ବର :  ବାତ୍ୟା ଫନି ପରେ ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ କ୍ରମାଗତ ବଢିବାରେ ଲାଗିଛି । ବିଭିନ୍ନ ଅଞ୍ଚଳର ତାପମାତ୍ରା ବଢିବାକୁ ଲାଗିଥିବା ବେଳେ ଶନିବାର ରାଜ୍ୟର ୧୨ଟି ସହରର ତାପମାତ୍ରା ୪୦ ଡିଗ୍ରି ସେଲସିୟଲ ଉପରେ ପହଞ୍ଚି ଥିବା ରେକର୍ଡ କରାଯାଇଛି ।  ସେପଟେ ରାଜ୍ୟର ସବୁଠୁ ଉତପ୍ତ ଅଞ୍ଚଳ ଭାବେ ଜଣାଶୁଣା ଟିଟିଲାଗଡର ଆଜି ସର୍ବାଧିକ ତାପମାତ୍ରା ଥିଲା ୪୪.୫ ଡିଗ୍ରି ସେଲସିୟସ। ଟିଟିଲାଗଡ ପଛକୁ ବଲାଙ୍ଗିର ଥିବା ବେଳେ ଏଠାରେ ଦିନବେଳା ସର୍ବାଧିକ ତାପମାତ୍ରା ୪୪.୫ ଡିଗ୍ରି ସେଲସିୟସ ରେକର୍ଡ ହୋଇଛି। ୪୪.୪ ଡିଗ୍ରି ସେଲସିୟସ ସହ ଝାରସୁଗୁଡା ରାଜ୍ୟର ତୃତୀୟ ଉତପ୍ତ ସହର ଥିବା ବେଳେ ପଛକୁ ରହିଛି ସମ୍ବଲପୁର। ଏଠାରେ ଆଜି ଦିନବେଳା ସର୍ବାଧିକ ତାପମାତ୍ରା ୪୩.୫ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି। ସେହପରି କଳାହାଣ୍ଡି ଜିଲ୍ଲାର ପ୍ରମୁଖ ସହର ଭବାନୀପାଟଣାରେ ମଧ୍ୟ

ଦିନବେଳାର ତାପମାତ୍ରା ୪୩.୫ ରହିଥିବା ବେଳେ ସୋନପୁରର ତାପମାତ୍ରା ଥିଲା ୪୩.୪ ଡିଗ୍ରି ସେଲସିୟସ। ହୀରାକୁଦରେ ଆଜି ତାପମାତ୍ରା ଥିଲା ୪୩.୨ ଡିଗ୍ରି ।  ସୁନ୍ଦରଗଡର ତାପମାତ୍ରା ୪୨.୦ରେ ରହିଥିବା ବେଳେ ଆଜି  ସମଗ୍ର ପଶ୍ଟିମ ଓଡିଶା ପାଲଟିଥିଲା ତତଲା କଡେଇ। ତାଲଚେରର ସର୍ବାଧିକ ତାପମାତ୍ରା ୪୨.୨ ଡିଗ୍ରିରେ ପହଞ୍ଚିଥିବା ବେଳେ ଅନୁଗୁଳ ୪୧.୧, ମାଲକାନଗିରିର ତାପମାତ୍ରା ୪୧.୨ ଡିଗ୍ରି ସେଲସିୟସରେ ପହଞ୍ଚିଛି । ଉପକୂଳ ଓଡିଶାର ଚାନ୍ଦବାଲିରେ ତାପମାତ୍ରା ୩୯.୪ ଡିଗ୍ରିରେ ପହଞ୍ଚିଥିବା ବେଳେ ବାରିପଦା ୩୯.୦, ବାଲେଶ୍ବର ୩୮.୪, କଟକ ୩୭.୦ ଓ ରାଜଧାନୀ ସହର ଭୁବନେଶ୍ବରର ତାପମାତ୍ରା ସାମାନ୍ୟ ହ୍ରାସ ହୋଇ ୩୬.୪ ଡିଗ୍ରି ସେଲସିୟରେ ପହଞ୍ଚିଛି। ତେବେ ପାଣି ପାଗ ବିଜ୍ଞନ କେନ୍ଦ୍ର ଆକଳନ ଅନୁସାରେ ରାଜ୍ୟରେ ପାଣିପାଗରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ। ରବିବାର  ଦକ୍ଷିଣ, ପଶ୍ଟିମ ଓ କେନ୍ଦ୍ରୀୟ ଓଡିଶାର କେତେକ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ବର୍ଷା ଆକଳନ କରାଯାଇଛି। ତେବେ ଏହି ସମୟରେ ରାଜଧାନୀର ତାପମାତ୍ରାରେ ସେଭଳି କୌଣସି ପରିବର୍ତନର ସୂଚନା ନାହିଁ। ଅପରାହ୍ଣରେ ବାଦଲ ଛାଇବା ସହ ରାତ୍ରିର ଆକାଶ ସଫା ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି ।