Odia News Portal

ଆମ୍ବୁଲାନ୍ସ ମିଳିଲାନି ଟ୍ରଲିରେ ବୁହାହେଲେ ପ୍ରସୂତି

ବରୀ : ବରୀବ୍ଲକଅନ୍ତର୍ଗତ ବାଇଁଶିରିଆ ପଞ୍ଚାୟତରୁ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଗତ ବୁଧବାର ଦିନ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ପ୍ରସୂତିଙ୍କୁ ଟ୍ରଲିରେ ବୁହାଯାଇଥିବା ଦେଖିବାକୁ ମିଳିଛି।

ସୂଚନାନୁଯାୟୀ, ଉକ୍ତ ପଞ୍ଚାୟତର କନକଲତା ଓଝା(୩୫)ଙ୍କୁ ବୁଧବାର ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ତାଙ୍କ ପରିବାର ପକ୍ଷରୁ ତାଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିବା ପାଇଁ ୧୦୪ଓ ୧୦୮ ନଂକୁ ଯୋଗାଯୋଗ କରାଯାଇଥିଲା। ମାତ୍ର ଦୀର୍ଘ ସମୟ ଧରି  ଆମ୍ବୁଲାନ୍ସ ନ ମିଳିବାରୁ ଏପଟେ ପ୍ରସବ ଯନ୍ତ୍ରଣା ଅସହ୍ୟ ହେବାରୁ ବାଧ୍ୟ ହୋଇ ପରିବାର ଲୋକେ ତାଙ୍କୁ ଏକ ଟ୍ରଲିରେ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଉଥିବା ସମୟରେ ବାଟରେ ବାଲିଆପାଳ ବିଧାନଚନ୍ଦ୍ର ଏକାଡେମୀ ନିକଟରୁ ଏକ ଆମ୍ବୁଲାନ୍ସ ଯୋଗେ ମହିଳାଙ୍କୁ ବରୀ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ଦାୟିତ୍ୱରେ ଥିବା ଡାକ୍ତର ଜିନ୍ନତ ଦାସ ସମସ୍ତ ପରୀକ୍ଷା କରିବା ପରେ ଉକ୍ତ ମହିଳାଜଣଙ୍କ ସେଠାରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ପିଲାଟି ଜନ୍ମ ହେବା ସମୟରେ ୩.୧କିଗ୍ରା ହୋଇଥିଲେ ମଧ୍ୟ ମହିଳାଙ୍କ ଅବସ୍ଥା ଗୁରୁତର ରହିଛି। ଅପରପକ୍ଷେ ସମ୍ପୃକ୍ତ ମହିଳା ଜଣଙ୍କ ଗର୍ଭଧାରଣ ସମୟରୁ ଶେଷ ପର୍ଯ୍ୟନ୍ତ କୌଣସି ସ୍ବାସ୍ଥ୍ୟ ପରୀକ୍ଷା କରି ନ ଥିବା ବେଳେ ଅଲ୍‌ଟ୍ରାସାଉଣ୍ଡ କରିନାହାନ୍ତି। ଏପରିକି ସେହି ପଞ୍ଚାୟତ ଦାୟିତ୍ୱରେ ଥିବା ଆଶା ଓ ଅଙ୍ଗନଓ୍ବାଡି କର୍ମୀଙ୍କ ନିକଟରେ ଗର୍ଭଧାରଣ ସମ୍ପର୍କିତ କୌଣସି ସୂଚନା ଦେଇ ନ ଥିବା ଜଣାପଡ଼ିଛି।

ଶିଶୁ ଜନ୍ମ ହେବା ପରେ ମହିଳାଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ହେବାରୁ ଅଧିକ ଚିକିତ୍ସା ନିମନ୍ତେ ତାଙ୍କ ପରିବାରଠାରୁ ଏକ ଅଣ୍ଡରଟେକିଂ ରଖାଯାଇଥିବା ବରୀ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡ଼.କୌଶିକ ପାତ୍ର ସୂଚନା ଦେଇଛନ୍ତି। ପରେ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।