Odia News Portal

ସହରରେ ସକ୍ରିୟ ହେଉଛନ୍ତି ଜେଲରୁ ଖଲାସ ହୋଇଥିବା ଅପରାଧି

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ଜେଲ୍‍ ଗୁଡିକରେ ଭିଡ କମାଇବାପାଇଁ ଅନେକ ବନ୍ଦୀଙ୍କୁ ଜାମିନରେ ଛଡାଯାଇଛି । ତେବେ ଜେଲ୍‍ରୁ ଖଲାସ ହୋଇଥିବା ବନ୍ଦୀଙ୍କ ମଧ୍ୟରେ ରାଜଧାନୀର ଅନେକ ଜଣାଶୁଣା ଅପରାଧି ଓ ଚୋର ଥିବାରୁ କମିଶନରେଟ ପୁଲିସ୍‍ର ଚିନ୍ତା ବଢିଛି । ଲକ୍‍ଡାଉନ୍‍ ସମୟରେ ଯଦିଓ ଏମାନେ ନିରବ ରହିଛନ୍ତି ତଥାପି ଆଗାମୀ ଦିନରେ ମାତିବାର ଆଶଙ୍କା ରହିଛି ।

ରାଜଧାନୀରେ ଅନେକ ନିଶା ବେପାରୀ ଓ ଦାଗୀ ଅପରାଧିଙ୍କୁ ଅଳ୍ପଦିନ ତଳେ ପୁଲିସ୍‍ ଧରି ଜେଲ୍‍ରେ ଠୁଙ୍କିଥିଲା । ବିଶେଷକରି ନିଶାଡିଙ୍କ ବିରୁଦ୍ଧରେ କମିଶନରେଟ ପୁଲିସ୍‍ ଚଳାଇଥିବା ଅଭିଯାନରେ ବେଶ୍‍ ସଫଳତା ଯୋଗୁଁ ଅଧିକାରୀ ନିଶା ବେପାରୀ ଓ ନିଶାଡି ଜେଲ୍‍ରେ ପଶିଥିଲେ । ଏମାନଙ୍କ ସହିତ କିଛି ଚୋରଙ୍କୁ ବି ପୁଲିସ୍‍ ଜେଲ୍‍ରେ ପୂରାଇଥିଲା । ଏଥିଯୋଗୁଁ କିଛିଦିନ ଧରି ରାଜଧାନୀ ଟିକେ ଶାନ୍ତ ପଡିଥିଲା । କରୋନା କଟକଣା ଲାଗୁ ହେବାପରେ ଗାଡି ମୋଟର ଜୋରଦାର ଚେକିଂ ହେଉଥିବାରୁ ଅପରାଧର ମାତ୍ରା ଆହୁରି କମିଯାଇଛି । ପୁଲିସ୍‍ ହାବୁଡରେ ପଡିବା ଭୟରେ ଅନେକ ଅପରାଧି ଏବେ ଅଣ୍ଡରଗ୍ରାଉଣ୍ଡ ହୋଇ ଯାଇଛନ୍ତି ।

ତେବେ କଟକଣା ସରିବା ପୂର୍ବରୁ ଏମାନେ ଧିରେ ଧିରେ ପଦାକୁ ଗୋଡ କାଢୁଥିବା କିଛି ଗୁଇନ୍ଦା ଅଧିକାରୀ ସୂଚନା ଦେଲେଣି । ସେମାନଙ୍କ ମତରେ ଏମାନଙ୍କ ନିକଟରେ ଥିବା ପଇସାପତ୍ର ସରିଥିବାବେଳେ ନିଶା ଖାଇବାପାଇଁ ଏମାନେ କିଛି ବି ଅଘଟଣା କରିପାରନ୍ତି । ବର୍ତ୍ତମାନ ମଦ ଭଳି ନିଶା ଚଢା ଦାମରେ ଚୋରାରେ ବିକ୍ରି ହେଉଥିବାରୁ ତାହାକୁ କିଣିବାପାଇଁ ଏମାନେ ଅପରାଧ ଘଟାଇ ପାରନ୍ତି । ଏହାଛଡା ଜେଲ୍‍ ଫେରନ୍ତା କିଛି ଅପରାଧି ପୁଣିଥରେ ନିଶା କାରବାରକୁ ଓହ୍ଲାଇବାକୁ ସଜବାଜ ହେଲେଣି । ଏମାନଙ୍କ ଡାଟା ଯଦିଓ ପୁଲିସ୍‍ ନିକଟରେ ରହିଛି ତଥାପି କରୋନା କଟକଣା ସମୟରେ ପୁଲିସ୍‍ର ହାଲତ ଯାହା ସେଥିରେ ଏମାନଙ୍କୁ ଧରିବାକୁ ବେଳ ନାହିଁ ।

ରାଜଧାନୀର ଗଳି କନ୍ଦିରେ କିଛି ଅପରାଧି ଧିରେ ଧିରେ ନିଶାବେପାର ବି ଆରମ୍ଭ କରିଦେଲେଣି । ବିଶେଷକରି ଏମାନେ ଏବେ ଗଞ୍ଜେଇ ପୁଡିଆ ବିକ୍ରି କରୁଛନ୍ତି । ରାଜ୍ୟ ସଚିବାଳୟ ଓ ରାଜଭବନ ଆଖପାଖରେ ଥିବା ଛଅ ନମ୍ବର, ଆଠ ନମ୍ବର, ଦୁଇ ନମ୍ବର, ଖାରବେଳନଗର, ଚାରି ନମ୍ବର ଓ ଏକ ନମ୍ବର ଆଦି ୟୁନିଟ୍‍ରେ ଧିରେ ଧିରେ ଏମାନେ ସକ୍ରିୟ ହେବାରେ ଲାଗିଛନ୍ତି । ପୁଲିସ ପାଟ୍ରୋଲିଂରେ ଏବେ ଟିକେ ଢିଲା ହୋଇଥିବାରୁ ତାହା ସେମାନଙ୍କୁ ବେଶ୍‍ ସୁହାଇଛି । ତେଣୁ ଏମାନଙ୍କ ଉପରେ ନଜର ନରଖିଲେ ଲକ୍‍ ଡାଉନ୍‍ ଉଠିବାମାତ୍ରେ ଛିନ୍‍ତାଇ
ସହରରେ…ଓ ଚୋରି ଭଳି କାମରେ ଏମାନେ ଲାଗିପଡିବେ । ସେତେବେଳେ ପୁଲିସ୍‍ ଏମାନଙ୍କୁ ସହଜରେ ଧରିବା ସହଜ ହେବନାହିଁ । ତେଣୁ ଲକ୍‍ ଡାଉନ୍‍ ଉଠିବା ମାତ୍ରେ ଏମାନଙ୍କୁ ଧରି ପୁଣିଥରେ ଜେଲ୍‍ ପଠାଇବାପାଇଁ ବି କିଛି ମତ ଦେଉଛନ୍ତି ।