କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାରୁ ଆଜି ଚିହ୍ନଟ ହୋଇଥିବା ୫ ଜଣ କରୋନା ଆକ୍ରାନ୍ତ ଗୁଜୁରାଟରୁ ସୁରତରୁ ଫେରିଥିଲେ । ଏହି ଆକ୍ରାନ୍ତମାନେ ଗତ ୩ ତାରିଖରେ ୫୩ ଜଣ ସହଯାତ୍ରୀଙ୍କ ସହ ଏକ ବସରେ ଫେରିଥିଲେ । କେନ୍ଦ୍ରାପଡ଼ା ଜିଳ୍ଲାପାଳ ସମର୍ଥ ବର୍ମା ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ନୂଆ ଆକ୍ରାନ୍ତମାନେ ପଟ୍ଟାମୁଣ୍ଡାଇ ଅଞ୍ଚଳର ।
ଜିଲ୍ଲାପାଳ ଶ୍ରୀ ବର୍ମା କହିଛନ୍ତି ସମସ୍ତ ପ୍ରବାସୀ ଫେରନ୍ତାଙ୍କୁ ପଟ୍ଟାମୁଣ୍ଡାଇ, ମାର୍ଶାଘାଇ ଓ ମହାକାଳପଡ଼ାରେ ଥିବା ସଂଗରୋଧ କେନ୍ଦ୍ରଗୁଡ଼ିକରେ ରଖାଯାଇଛି । ଏଥି ସହିତ ସମସ୍ତଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇଛି । କିଛି ଲୋକଙ୍କର ନମୁନା ରିପୋର୍ଟ ଆସିଛି ଏବଂ ଆହୁରି କିଛି ଆସିବାର ଅଛି । ରିପୋର୍ଟ ପରେ ପଦକ୍ଷେପ ନିଆଯିବ । ସେ କହିଛନ୍ତି, ଆଜିର ୫ ଜଣ ଆକ୍ରାନ୍ତଙ୍କୁ କଟକସ୍ଥିତ ଅଶ୍ୱିନୀ କୋଭିଡ ହସ୍ପଟାଲକୁ ସ୍ଥାନାନ୍ତର କରାଯାଇଛି ।
ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଜିଲ୍ଲାରୁ ଏଯାଏଁ ୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ ୨ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୬ ଜଣ କରୋନା ଆକ୍ରାନ୍ତ ସକ୍ରିୟ ଅଛନ୍ତି । ତେବେ ପ୍ରଥମ ୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଯିବା ପରେ କେନ୍ଦ୍ରାପଡ଼ା କରୋନା ମୁକ୍ତ ହେଲା ବୋଲି କୁହାଯାଉଥିଲା । କିନ୍ତୁ ବର୍ତ୍ତମାନ ସ୍ଥିତିକୁ ଦେଖିଲେ ଯାହା ଜଣାପଡୁଛି, ଜିଲ୍ଲାରେ ଆହୁରି ଅଧିକ ଆକ୍ରାନ୍ତ ଚିହ୍ନଟ ହେବାର ଆଶଙ୍କା ଦେଖାଯାଇଛି ।