Odia News Portal

ସରପଞ୍ଚ ସାଜିଲେ ରାତ୍ରି ଜଗୁଆଳି

ଜୟପୁର : କରୋନା ଯୋଗୁଁ ରାଜ୍ୟ ସରକାରଙ୍କ ଫୋକସରେ ଏବେ ପଞ୍ଚାୟତ । ପୂର୍ବରୁ ରାଜ୍ୟ ସରକାର ସରପଞ୍ଚଙ୍କୁ ଜିଲ୍ଲାପାଳ ଦାୟିତ୍ୱ ପ୍ରଦାନ କରିଥିଲେ। କାରଣ ତୃଣମୂଳ ସ୍ତରରେ ଏବେ ସେମାନେ ପକ୍ରୃତ କରୋନା ଯୋଦ୍ଧା । ଏଣୁ ନିଜ ନିଜ ପଞ୍ଚାୟତରେ ଗୁରୁ ଦାୟିତ୍ୱ ତୁଲାଉଛନ୍ତି ସରପଞ୍ଚମାନେ। ଏବେ ଗାଁରେ ହୋଇଥିବା କ୍ୱାରେଣ୍ଟାଇନ ସେଣ୍ଟରକୁ ଆସୁଛନ୍ତି ପ୍ରବାସୀ ଶ୍ରମିକ। ଏମାନଙ୍କର ସବୁ ଦାୟିତ୍ୱ ଏବେ ସରପଞ୍ଚଙ୍କର। ଏଣୁ ନିଜ କାମରେ କୌଣସି ବ୍ୟତିକ୍ରମ ନ ଘଟୁ, ତେଣୁକରି ଖୋଦ୍‌ ସରପଞ୍ଚ ଏବେ ନିଜେ କ୍ୱାରେଣ୍ଟାଇନ ସେଣ୍ଟର ଜଗିଛନ୍ତି। ସେଠାରେ ଖାଉଛନ୍ତି, ରହୁଛନ୍ତି ତାହା ସହ ରାତି ମଧ୍ୟ ବିତାଉଛନ୍ତି।

ଖୋଦ୍‌ ସରପଞ୍ଚ ବୈପାରୀଗୁଡାରେ ଥିବା କ୍ୱାରେଣ୍ଟାଇନ ସେଣ୍ଟରକୁ ଜଗିଥିଲେ। କାରଣ ସେଠି ଜଣେ ହାଇଦ୍ରାବାଦ ଫେରନ୍ତା ଜଣେ ଯୁବତୀ ଥିଲେ। ସ୍ୱାସ୍ଥ୍ୟ ପରୀକ୍ଷା ପରେ ନିଛାଟିଆ କେନ୍ଦ୍ରରେ ରହିବାକୁ ଯୁବତୀଙ୍କ ପରିବାର ମନା କରିଦେଇଥିଲେ । ନିଜର ଦାୟିତ୍ୱ ତୁଲାଇବାକୁ ଯାଇ ସରପଞ୍ଚ ଭାଗିରଥି ମୁର୍ଜିଆ ଜଗିବାକୁ ପ୍ରତିଶ୍ରୁତି ଦେଇଥିଲେ। ଆଉ ରାତି ସାରା ସଙ୍ଗରୋଧ କେନ୍ଦ୍ର ବାହାରେ ଖଟିଆ ପକେଇ ଜଗିଥିଲେ । ଯାହା ଏବେ ଚର୍ଚ୍ଚାରେ ଆଉ ଏକ ଦାୟିତ୍ୱ ବୋଧ ଓ ମାନବିକତାର ଚିତ୍ର । ସରପଞ୍ଚଙ୍କର ଏଭଳି କାମକୁ ପଞ୍ଚାୟତବାସୀ ପ୍ରଶଂସା କରିଛନ୍ତି।