ଭୁବନେଶ୍ୱର : କମିଶନରେଟ୍ ପୁଲିସ୍ ଜଟଣୀ ଥାନାର ୨୦ରୁ ଅଧିକ ପୁଲିସ୍ ସଙ୍ଗରୋଧ (କ୍ୱାରେଣ୍ଟାଇନ୍)ରେ ରହିଥିବା ଜଣାପଡିଛି । ଜଟଣୀ ଥାନା ଯାଁଳା ଫାଣ୍ଡିର ସମସ୍ତ କର୍ମଚାରୀ ହୋମ୍ କ୍ୱାରେଣ୍ଟାଇନ୍ରେ ରହିଛନ୍ତି । ଏହାକୁ ନେଇ ଚାରିଆଡ଼େ ଚହଳ ପଡ଼ିଛି । ଖାଲି ପୁଲିସ୍ ନୁହନ୍ତି, କିଛି ଆମ୍ବୁଲାନ୍ସ କର୍ମଚାରୀ ମଧ୍ୟ କ୍ୱାରେଣ୍ଟାଇନ୍ରେ ରହିଛନ୍ତି । କାରଣ ଏମାନେ ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ।
ମିଳିଥିବା ସୂଚନା ମୁତାବକ, ଗତ ଗୁରୁବାର ସକାଳ ସାଢ଼େ ୫ ସମୟରେ ଗଙ୍ଗପଡା ଟୋଲ୍ ଗେଟ୍ ନିକଟରେ ଏକ ଟ୍ରକ୍ (ଏମ୍ଏଚ୍ ୧୨ କ୍ୟୁଜି ୨୦୨୩) ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ମୁମ୍ବାଇରୁ ଆସିଥିବା ଟ୍ରକ୍ ଡ୍ରାଇଭର ଗୁରୁତର ଆହତ ହୋଇଥିଲେ । ଖବରପାଇ ଯାଁଳ ଫାଣ୍ଡି ପୁଲିସ୍ କର୍ମଚାରୀ ସେଠାକୁ ଯାଇଥିଲେ । ତା’ପରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ସେଠାରେ ପହଞ୍ଚି ତାଙ୍କୁ ପୁଲିସ୍ ସହଯୋଗରେ ଏମ୍ସ ହସ୍ପିଟାଲ୍କୁ ଆଣିଥିଲେ । ହସ୍ପିଟାଲ୍ରେ ପହଞ୍ଚିଲା ପରେ ପ୍ରଥମେ ଚାଳକଙ୍କ ଚିକିତ୍ସା କରାଯାଇଥିଲା । ପରେ ତାଙ୍କର କରୋନା ଟେଷ୍ଟ୍ କରାଗଲା । ରିପୋର୍ଟ ଆସିଲା ଚାଳକ ଜଣଙ୍କ କରୋନା ଆକ୍ରାନ୍ତ । ଏହାପରେ ଏହି ଚାଳକଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି ତାଙ୍କୁ ଖୋଜା ଯାଇଥିଲା । ପ୍ରଥମ ପାଳି ପଡ଼ିଥିଲା ଯାଁଳା ଫାଣ୍ଡିର ସମସ୍ତ ୧୦ ଜଣ ପୁଲିସ୍ଙ୍କ ଉପରେ । କାରଣ ଏମାନେ ଚାଳକଙ୍କୁ ଉଦ୍ଧାର କରିଥିଲେ । ୧୦ ଜଣ ପୁଲିସ୍ର ମଧ୍ୟରୁ ୨ ଜଣ ଜଟଣୀ ଥାନାକୁ ଯାଇଥିଲେ । ଉଭୟଙ୍କ ସଂସ୍ପର୍ଶରେ ଥାନାର କିଛି କର୍ମଚାରୀ ଆସିଥିଲେ । ଆମ୍ବୁଲାନ୍ସ ଚାଳକ, ହେଲ୍ପର ଓ ସେମାନଙ୍କର ପରିବାର ଲୋକ ମଧ୍ୟ କ୍ୱାରେଣ୍ଟାଇନରେ ରହିଛନ୍ତି। ତା’ଛଡା ଯେଉଁଠାରେ ଟ୍ରକ୍ ଦୁର୍ଘଟଣା ହେଲା ସେଠାକୁ ଯାଇଥିଲେ ଗାଡ଼ି ଆଣିବାକୁ ଯାଇଥିଲେ କ୍ରେନ୍ ଡ୍ରାଇଭର । ସେ ଓ ତାଙ୍କ ପରିବାର ମଧ୍ୟ ହୋମ୍ କ୍ୱାରେଣ୍ଟାଇନ୍ରେ ରହିଥିବା ଜଣାପଡିଛି । ସମସ୍ତଙ୍କର କରୋନା ଟେଷ୍ଟ କରାଯିବ ବୋଲି ଜଣାପଡିଛି ।
କିଛି ଦିନ ତଳେ ବଡ଼ଗଡ଼ ଥାନାର ୨୦ରୁ ଅଧିକ ପୁଲିସ୍ କର୍ମଚାରୀ କ୍ୱାରେଣ୍ଟାଇନ୍ରେ ଥିଲେ । କାରଣ ବଡ଼ଗଡ଼ ଥାନା ଅଞ୍ଚଳରେ ରହୁଥିବା ଗୋଟିଏ ପରିବାରର ୩ ଜଣ ଲୋକଙ୍କୁ କରୋନା ଭୟରେ ଘର ମାଲିକ ବାହାର କରି ଦେଇଥିଲେ । ଏମାନେ ନ୍ୟାୟ ପାଇଁ ବଡ଼ଗଡ଼ ଥାନାକୁ ଯାଇଥିଲେ । ଥାନାରେ ଦୀର୍ଘ ସମୟ ବସିଥିଲେ । ତାଙ୍କୁ ପୁଲିସ୍ ଖାଇବାକୁ ଦେଇଥିଲା । ପରେ ବରିଷ୍ଠ ଅଧିକାରୀ ନିର୍ଦ୍ଦେଶରେ ପୁଲିସ୍ ୩ ଜଣଙ୍କ କ୍ୱାରେଣ୍ଟାଇନ୍ରେ ଛାଡିଥିଲା । ଏହାର ୨ ଦିନ ପରେ ଜଣା ପଡ଼ିଥିଲା ୩ ଜଣଙ୍କ ମଧ୍ୟରୁ ଜଣେ କରୋନାରେ ଆକ୍ରାନ୍ତ । ୨୦ରୁ ଅଧିକ ପୁଲିସ୍ ହୋମ୍ କ୍ୱାରେଣ୍ଟାଇନ୍ରେ ରହିଥିଲେ ।