ଠାକୁରମୁଣ୍ଡା : କଲରାପତରିଆ ବାଘ ଚମଡ଼ା କାରବାରରେ ସମ୍ପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ମୟୂରଭଞ୍ଜ ଜିଲ୍ଲା ଯଶୀପୁର ବନ ବିଭାଗ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ କରଞ୍ଜିଆ ଏନ୍ଏସି ୧୦ ନମ୍ବର ୱାର୍ଡର ସୁବାସ ସାହୁ, କରଞ୍ଜିଆ ସରୁଭାଡ଼ିର ରଞ୍ଜିତ ନାଏକ, କରଞ୍ଜିଆ ୪ ନମ୍ବର ୱାର୍ଡର କ୍ଷୀରୋଦ ମହାନ୍ତ ଏବଂ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଝାଡ଼ୁଦାର ତଥା ବୈଶିଙ୍ଗା ନିକଟ ଗୋରଡ଼ାଶୋଳର ଗଣେଶ୍ୱର ସିଂହ ।
ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, କରଞ୍ଜିଆର କେତେକ ବ୍ୟକ୍ତି କଲରାପତରିଆ ବାଘ ଚମଡ଼ା ବିକ୍ରି କରିବା ପାଇଁ ଯୋଜନା କରୁଥିବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା । ଏହାପରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲା । ବାଘ ଚମଡ଼ା କିଣିବା ପାଇଁ କେତେକ ବନ ଅଧିକାରୀ ବେପାରୀ ଭାବେ ଉକ୍ତ ଯୁବକଙ୍କୁ ଯୋଗାଯୋଗ କରିଥିଲେ । ଯୋଜନା ମୁତାବକ ୩ ଜଣ ଯୁବକ ବାଘ ଚମଡ଼ା ଧରି ଟଙ୍ଗାବିଲା ନିକଟ ଚାଇନେବଦା କଣ୍ଟାନାଳୀ ପୋଲଠାରେ ଏକ ପରିତ୍ୟକ୍ତ ଘରେ ପହଞ୍ଚିଥିଲେ ।
ପୂର୍ବରୁ ପ୍ରସ୍ତୁତ ରହିଥିବା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ (ଉତ୍ତର) ବନାଞ୍ଚଳ ଅଧିକାରୀ ରମାକାନ୍ତ ମାଝୀ, ଅଧିକାରିଣୀ ମଧୁମିତା, କରଞ୍ଜିଆ ବନଖଣ୍ଡ ଦୁଧିଆଣୀ ବନାଞ୍ଚଳ ଅଧିକାରୀ ସରୋଜ ପଣ୍ଡା, ବନପାଳ ବିଦ୍ୟାଧର ମହାନ୍ତ, ପ୍ରଦୀପ ହାଇବ୍ରୁଙ୍କ ସମେତ ଅନ୍ୟ କର୍ମଚାରୀ ଅଭିଯୁକ୍ତଙ୍କୁ କାବୁ କରି ନେଇଥିଲେ । ପରେ ଯଶୀପୁରସ୍ଥିତ ଏସ୍ଟିଆର୍ ଅଫିସ୍ରେ କରଞ୍ଜିଆ ସହକାରୀ ବନ ସଂରକ୍ଷକ ମିହିର ପଟ୍ଟନାୟକ, ରେଞ୍ଜର୍ ସ୍ୱାଗତିକା ସାହୁ ଅଭିଯୁକ୍ତଙ୍କୁ ଜେରା କରିଥିଲେ । ପଚରାଉଚରା ସମୟରେ କିଙ୍ଗପିନ୍ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଝାଡ଼ୁଦାର ଗଣେଶ୍ୱର ଏହି କାରବାରରେ ସମ୍ପୃକ୍ତ ଥିବା ଜଣାପଡ଼ିବା ପରେ ତାକୁ ଗିରଫ କରାଯାଇଥିଲା । ସେମାନଙ୍କଠାରୁ ଏକ ବାଘ ଚମଡ଼ା ଏବଂ ଗୋଟିଏ ବାଇକ୍ ଜବତ ହୋଇଛି । ଜବତ ବାଘଛାଲର ଲମ୍ବ ୮୩ ସେମି ଏବଂ ଓସାର ୩୩ ସେମି ହେବ । ଏହି ଚମଡ଼ା ପ୍ରାୟ ୫୦ ହଜାର ଟଙ୍କାରେ ବିକ୍ରି ପାଇଁ ଧାର୍ଯ୍ୟ ହୋଇଥିଲା । ଏହି କାରବାରରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି କି ନାହିଁ ସେନେଇ ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।