Odia News Portal

କରୋନା ବିପତ୍ତିରେ କରଛଡ଼ା ଦେଉଛନ୍ତି ନେତା

ଭୁବନେଶ୍ୱର : କରୋନା ମୁକାବିଲା ସମୟରେ ଏବେ ନେତାମାନେ କରଛଡା ଦେଉଛନ୍ତି । ଶାସକ ହୁଅନ୍ତୁ ବା ବିରୋଧି ବିଧାୟକଙ୍କ ଠାରୁ ଆରମ୍ଭକରି ଜିଲ୍ଲାପରିଷଦ ସଭ୍ୟଙ୍କ ପର୍ଯ୍ୟନ୍ତ କେହି ଦେଖାଦର୍ଶନ ଦେଉନାହାନ୍ତି । ଏହି ମଉକାରେ ବିରୋଧିଦଳ ଧିରେ ଧିରେ ସରକାରଙ୍କ ଉପରେ ଆକ୍ରମଣ ଆରମ୍ଭ କରିଥିବାବେଳେ ଏହାର ମୁକାବିଲା ପାଇଁ ବି ନେତାମାନେ ଆଗକୁ ନଆସିବା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଗାଁ ଗହଳର କ୍ୱାରେଣ୍ଟାଇନ କେନ୍ଦ୍ରରେ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ନିୟମ ପ୍ରତିପାଳନ ଦ୍ୱାରା କରୋନା ମୁକାବିଲା ସମ୍ଭବ ବୋଲି କୁହାଯାଉଥିବାବେଳେ ଲୋକେ କିନ୍ତୁ ଅଧିକାଂଶ ସ୍ଥାନରେ ଏହାକୁ ମାନୁ ନାହାନ୍ତି । କେତେକ ସ୍ଥାନରେ ଜିଲ୍ଲାପାଳ କ୍ଷମତା ପାଇଥିବା ସରପଞ୍ଚଙ୍କୁ ବି ବାଡେଇଲେଣି । ୱାର୍ଡମେମ୍ବରମାନେ ଭୟରେ ଗାଁ ଫେରନ୍ତାଙ୍କୁ ସାମ୍ନା କରିପାରୁ ନାହାନ୍ତି । ଏମାନେ ଯଦି ନୀତି ନିୟମ ନମାନିବେ ତେବେ ଗୋଷ୍ଠି ସଂକ୍ରମଣ ନିଶ୍ଚିତ ବୋଲି ବିଶେଷଜ୍ଞମାନେ ଚେତାବାନୀ ଦେଲେଣି ।

ତେବେ ଲୋକଙ୍କୁ ମନାଇବାର ଏକମାତ୍ର ମାଧ୍ୟମ ବିଧାୟକ କିମ୍ବା ଜିଲ୍ଲାପରିଷଦ ସଦସ୍ୟ ବୋଲି ମତପ୍ରକାଶ ପାଉଥିବାବେଳେ ଏମାନେ କିନ୍ତୁ କରଛଡା ଦେଉଛନ୍ତି । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିବରେ ବଢି ୪୦୦ ଟପିଥିବାବେଳେ କୌଣସି ଠାରେ ଜଣେ ହେଲେ ବିଧାୟକ କିମ୍ବା ଜିଲ୍ଲା ପରିଷଦ ସଦସ୍ୟଙ୍କ ମୁହଁ ଦେଖିବାକୁ ମିଳୁନାହିଁ । ଏମାନେ ଏଭଳି କରଛଡା ଦେଉଛନ୍ତି ଯେ ଲୋକେ ସେମାନଙ୍କୁ ଖୋଜିଲେ ବି ଅନେକଙ୍କୁ ପାଉନାହାନ୍ତି । ଦିନେ ଦୁଇ ଦିନ ରିଲିଫ ବାଣ୍ଟି ପ୍ରଚାର କାର୍ଯ୍ୟ ସାରିବାପରେ ଅଧିକାଂଶ ନେତାଙ୍କର ଆଉ ପତ୍ତା ନାହିଁ । ବିରୋଧିଦଳ ଏବେ କରୋନା ମୁକାବିଲା ନେଇ ବିଭିନ୍ନ ବାଟରେ ସରକାରଙ୍କୁ ଆକ୍ରମଣ ଆରମ୍ଭ କରିଦେଇଥିବାବେଳେ ସେମାନଙ୍କ ଦଳର ବିଧାୟକମାନେ ବି ଏକ ପ୍ରକାର ଏକାନ୍ତବାସରେ ଯାଇଥିବା ଭଳି ଲକ୍ଷ୍ୟ କରାଯାଉଛି । ଜଣେ ଦୁଇ ଜଣ କେତେବେଳେ କେମିତି ଆସି ଗଣମାଧ୍ୟମରେ ମୁହଁ ଦେଖାଇ କାମ ସାରିଦେଉଛନ୍ତି ।

ସାଧାରଣରେ ହେଉଥିବା ଆଲୋଚନା ଅନୁଯାୟୀ ବିଧାୟକ କିମ୍ବା ଜିଲ୍ଲାପରିଷଦ ସଦସ୍ୟମାନେ ଯଦି କ୍ୱାରେଣ୍ଟାଇନ୍‍ କେନ୍ଦ୍ରକୁ ଯିବେ ତେବେ ଅମାନିଆମାନେ ସାବାଡ ସାବାଡ ହେବେ । ହେଲେ ସେମାନଙ୍କ ଦେଖାଦର୍ଶନ ନଥିବାରୁ ସରପଞ୍ଚଙ୍କୁ ଏହି ଅମାନିଆମାନେ ଖାତିର କରୁନାହାନ୍ତି । ସବୁ ସ୍ଥାନରେ ବି ପୁଲିସ୍‍ ଲଗାଇ ଏମାନଙ୍କୁ ସାବାଡ କରିବା ସମ୍ଭବ ନୁହେଁ । ତେଣୁ ଗୋଷ୍ଠି ସଂକ୍ରମଣ ବ୍ୟାପିବା ପୂର୍ବରୁ ଯେତେଶୀଘ୍ର ସମ୍ଭବ ନିର୍ବାଚିତ ଲୋକ ପ୍ରତିନିଧି ବିଶେଷକରି ବିଧାୟକ ଓ ଜିଲ୍ଲାପରିଷଦ ସଦସ୍ୟ ଓ ଅଧ୍ୟକ୍ଷମାନେ ମଇଦାନକୁ ଓହ୍ଲାଇବା ଆବଶ୍ୟକ । ଏହା ନହେଲେ ବର୍ତ୍ତମାନ ଗାଁ ଗହଳିର କ୍ୱାରେଣ୍ଟାଇନ୍‍ କେନ୍ଦ୍ରରେ ଏବେ ଆରମ୍ଭ ହୋଇଥିବା ହାତାହାତି ଉଗ୍ରରୂପ ନେବ ଓ ତାହା ସହିତ ତାଳ ଦେଇ କରୋନା ବି ଓଡିଶାରେ ମାଡି ଚାଲିବ ।