ଭୁବନେଶ୍ୱର : କରୋନା ମାଡରେ ଘାଇଲା ହୋଇଥିବା ରାଜ୍ୟର ହୋଟେଲ ଶିଳ୍ପରେ ଏବେ ଛଟେଇ ଆରମ୍ଭ ହୋଇଯାଇଛି । ଛୋଟ ଛୋଟ ହୋଟେଲ ଗୁଡିକ କର୍ମଚାରୀଙ୍କୁ କୌଣସି ପ୍ରକାରେ ବୁଝା ସୁଝା କରି ବିନା ପଇସାରେ ରଖିଥିବାବେଳେ ବଡ ବଡ ହୋଟେଲ ଗୁଡିକ କର୍ମଚାରୀ ଛଟେଇ ଆରମ୍ଭ କରିଦେଇଛନ୍ତି । ଏ ସଂକ୍ରାନ୍ତରେ କର୍ମଚାରୀମାନେ ଅଭିଯୋଗର ସୁଯୋଗ ପାଉନଥିବାବେଳେ ଶ୍ରମ ବିଭାଗ ବି ଏକ ପ୍ରକାର ନିରବତା ଅବଲମ୍ବନ କରୁଛି । ନିଯୁକ୍ତି କ୍ଷେତ୍ରରେ ହୋଟେଲ ଶିଳ୍ପର
ଅବଦାନ ଢେର ଅଧିକ । ସେଥିପାଇଁ ରାଜ୍ୟ ସରକାର ହୋଟେଲ ଗୁଡିକୁ ବିଭିନ୍ନ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି । ରାଜଧାନୀର ପ୍ରମୁଖ ସ୍ଥାନରେ ଜମି ଯୋଗାଇବା ସହିତ ସେମାନଙ୍କୁ ଋଣ ପ୍ରଦାନରେ ସହଯୋଗ ଏବଂ ବିଭିନ୍ନ ଶିଳ୍ପ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି । ତେବେ କରୋନା ମାଡରେ ହୋଟେଲ ଗୁଡିକ ବନ୍ଦ ହୋଇଥିବାବେଳେ ଏଠାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପ୍ରତି କେହି ସେଭଳି ଗୁରୁତ୍ୱ ଦେଉନାହାନ୍ତି । ହୋଟେଲ ଶିଳ୍ପ ଗୁଡିକ ସରକାରୀ ପ୍ୟାକେଜକୁ ଚାହିଁ ଚାହିଁ ଏବେ କର୍ମଚାରୀ
ଛଟେଇ ଆରମ୍ଭ କରିଛନ୍ତି । କର୍ମଚାରୀମାନଙ୍କୁ ନିଯୁକ୍ତିଦାତାମାନେ
ଛଟେଇ ନକରିବାପାଇଁ ପ୍ରଧାନମନ୍ତ୍ରୀଙ୍କ ଠାରୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଅନୁରୋଧ କରିଥିଲେ ମଧ୍ୟ ହୋଟେଲ
ଗୁଡିକ ଆଉ କର୍ମଚାରୀ ବୋଝ ବୋହିବା ଅବସ୍ଥାରେ ନାହାନ୍ତି ।
ତେଣୁ ଧିରେ ଧିରେ କର୍ମଚାରୀ ଛଟେଇ ଆରମ୍ଭ କରିଛନ୍ତି । ଏକାଥରକେ ଏକାଧିକ କର୍ମଚାରୀଙ୍କୁ ଛଟେଇ କଲେ କାଳେ କର୍ମଚାରୀମାନେ ପ୍ରତିବାଦ କରିବେ ତେଣୁ ସେଥିପାଇଁ ଦିନେ ଦୁଇ ଦିନରେ ଥରେ ଅଳ୍ପ ଅଳ୍ପ କର୍ମଚାରୀଙ୍କୁ ବିଦା କରିବାରେ ଲାଗିଛନ୍ତି । ଫଳରେ କର୍ମଚାରୀମାନେ ଆଉ ଏକତ୍ରିତ ହୋଇପାରୁ ନାହାନ୍ତି । ସବୁଠାରୁ ବଡ କଥା ହେଲା ଖୋଦ ରାଜଧାନୀରେ ଏଭଳି ରାତିଅଧିଆ ଛଟେଇ କାରବାର ଚାଲିଥିବାବେଳେ ଶ୍ରମ ବିଭାଗ ପକ୍ଷରୁ ଏ ଦିଗରେ ସେଭଳି କୌଣସି ପଦକ୍ଷେପ ନିଆଯାଉ ନାହିଁ । ଯାହାର ସୁଯୋଗ ନେଇ ହୋଟେଲ କର୍ତ୍ତୃପକ୍ଷ ଅଧିକରୁ ଅଧିକ କର୍ମଚାରୀଙ୍କୁ ବିଦା କରିବାରେ ଲାଗିଛନ୍ତି । କିଛି କର୍ମଚାରୀଙ୍କ ମତରେ ସେମାନେ ଏଭଳି ତିରୋଟ ସମୟରେ କୁଆଡେ ଯିବେ ଜାଣିପାରୁ ନାହାନ୍ତି । ଦରମା କମ୍ କିମ୍ବା କିଛିଦିନ ସ୍ଥଗିତ ରଖିଥିଲେ ଚଳିଥାନ୍ତା । ହେଲେ କାମରୁ ପୂରା ବିଦାକରି ଦିଆଯାଉଥିବାରୁ ଅଧିକାଂଶଙ୍କ ପରିବାର ଏବେ ରାସ୍ତାରେ ବସିଯିବା ସାର ହୋଇଛି । ସେହିଭଳି ରାଜ୍ୟର ସହରାଞ୍ଚଳ ଓ ବିଭିନ୍ନ ଦେବାଦେବୀ ପୀଠରେ ଥିବା ଛୋଟ ଛୋଟ ହୋଟେଲ ଗୁଡିକ ଏବେ ପ୍ରାୟ ଦୁଇମାସ ହେଲା ତାଲା ପଡିଛି ।
ଏହି ହୋଟେଲ ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିର୍ଭରଶୀଳ ଲୋକେ ବେକାର ହେବା ସହିତ ବିଳଳ୍ପ ପନ୍ଥା ଖୋଜିଲେଣି । ତେବେ ସରକାରଙ୍କ ଲକ୍ ଡାଉନ କଟକଣା ଯୋଗୁଁ ସେଥିରେ ମଧ୍ୟ ସଫଳ ହୋଇପାରୁ ନାହାନ୍ତି । ହୋଟେଲରୁ ଖାଦ୍ୟ ମଗାଇବା ପାଇଁ ସରକାର ନିୟମ କରିଥିଲେ ମଧ୍ୟ କରୋନା ଭୟରେ ଲୋକେ ସେଥିପ୍ରତି ବିଶେଷ ଆଗ୍ରହ ଦେଖାଉ
ନାହାନ୍ତି । ତେଣୁ ତୁରନ୍ତ ସରକାର ହୋଟେଲ ଗୁଡିକ ପ୍ରତି ଆର୍ଥିକ ପ୍ୟାକେଜ ଘୋଷଣା ସହିତ କର୍ମଚାରୀମାନେ ଯେଭଳି ଛଟେଇ ନହେବେ ସେଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।