ଡାବୁଗାଁ : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବନ୍ୟାଞ୍ଚଳ ଅଧିନ ବିଜାପୁର ଗ୍ରାମରେ ଜିଲ୍ଲା ବନ ବିଭାଗ ସୋମବାର ରାତିରେ ଚଢ଼ାଉ କରି ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିବା ସହ ୩ଜଣଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ ନବରଙ୍ଗପୁର ବନଖଣ୍ଡ ଅଧିକାରୀ ଧନାଜୀ ରାଓସୋ ଙ୍କ ନିର୍ଦ୍ଦେଶ ଅନୁସାରେ ଡାବୁଗାଁ ବନ୍ୟାଞ୍ଚଳ ଅଧିକାରୀ ସେତୁ ରଞ୍ଜନୀ ଗମାଙ୍ଗ ଏବଂ ନବରଙ୍ଗପୁର ବନ୍ୟାଞ୍ଚଳ ଅଧିକାରୀ ମନୋଜ କୁମାର ପାତ୍ର ଙ୍କ ନେତୃତ୍ବରେ ଏକ ଚଢ଼ାଉ କାରୀ ଦଳ ଗ୍ରାହକ ସାଜି ବଜ୍ରକାପ୍ତା କିଣିବା ପାଇଁ କଥାବାର୍ତ୍ତା କରିବା ପରେ ଉକ୍ତ ସ୍ଥାନକୁ ଯାଇ ଚଢ଼ାଉ କରିଥିଲେ । ଏଥିରେ ୬କିଲୋ୫୦୦ଗ୍ରାମ ଓଜନର ଏକ ଜୀବନ୍ତ ବଜରକାପ୍ତା ଜବତ କରିଥିଲେ ।
ଏଥିରେ ସଂପୃକ୍ତ ଥିବା ୩ଜଣ ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲେ । ଗିରଫ ଅଭିଯୁକ୍ତମାନେ ହେଲେ କୋଡିଙ୍ଗା ଥାନା ଅଧୀନ ବରଗାଁ ଗ୍ରାମର କପିଳାସ ହରିଜନ (୨୬), ଡାବୁଗାଁ ଥାନା ସିଂସାରୀ ଫାଣ୍ଡି ଅଧିନ ମାଝିଗୁଡା ଗ୍ରାମର ଲକ୍ଷ୍ମଣ ଭତରା (୪୧)ଓ କର୍ଲାବେଡା ଗ୍ରାମର ଵୁଦୁରାମ ଭତରା(୩୦)ଙ୍କୁ ଗିରଫ କରାଯାଇଥିବାବେଳେ ସେମାନଙ୍କ ଠାରୁ ୨ଟି ମୋଟରସାଇକେଲ,୨ଟି ମୋବାଇଲ ଫୋନ୍ ଜବତ କରାଯାଇଛି। ମଙ୍ଗଳବାର ଅପରାହ୍ନରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ଉକ୍ତ ମାମଲାର ତଦନ୍ତ ପାଇଁ ସହକାରୀ ବନ ସଂରକ୍ଷକ ଧନୁର୍ଜୟ ମହାପାତ୍ର ଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଛି । ଏନେଇ ଡାଵୁଗାଁ ଵନାଞ୍ଚଳ କାର୍ଯ୍ୟାଳୟ କେଶ୍ ନମ୍ବର ୩୯/୨୦୨୦-୨୦୨୧ରେ ଏକ ମାମଲା ରୁଜୁ କରାଯାଇଛି ।