Odia News Portal

ସିନେମା ଶିଳ୍ପରେ ଝୁଲୁଛି ତାଲା

ଭୁବନେଶ୍ବର : କରୋନା ମହାମାରୀ ଯୋଗୁଁ ରାଜ୍ୟର ସିନେମାହଲ ଗୁଡିକରେ ତାଲା ଝୁଲୁଥିବାବେଳେ ବକ୍ସ ଅଫିସର କ୍ୟାଲେଣ୍ଡରରୁ ବି ସିନେମା ଉଭେଇ ଗଲାଣି । ରାଜ୍ୟର ପ୍ରାୟ ୧୫୦ ସିନେମାହଲରେ ବନ୍ଦ ରହିବା ସହିତ ସିନେମା ଶିଳ୍ପ ବନ୍ଦହୋଇ ଯାଇଛି । କରୋନା ଯୋଗୁଁ ରାଜ୍ୟର ସିନେମା
ଶିଳ୍ପ ଗୁରୁତର ପ୍ରଭାବିତ ହୋଇଥିବା ରାଜ୍ୟ ସିନେମା ହଲ ମାଲିକ ସଂଘ ସ୍ୱୀକାର କରିବା ସହିତ ସରକାରଙ୍କ ସହାୟତା ଲୋଡିଛି । କରୋନା ଦେଖାଦେବା ପରେ ସିନେମା ହଲ ଗୁଡିକ ପ୍ରଥମ ସାଧାରଣ ଲୋକଙ୍କ ଆତଯାତ ସ୍ଥାନଭାବେ ବନ୍ଦ ହୋଇଯାଇଥିଲା । ଏହି ଶିଳ୍ପରେ ବିପୁଳ ପୁଞ୍ଜି ନିବେଶ ହୋଇଥିବାବେଳେ ଏବେ ଟଙ୍କାଟିଏ ରାଜସ୍ୱ ଆସୁନଥିବା କହିଛନ୍ତି ସିନେମା ହଲ ସଂଘର ସଭାପତି ବି.କେ.ମହାନ୍ତି ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ଦାବି ପତ୍ରରେ ସଂଘ ଦର୍ଶାଇଛନ୍ତି ଯେ ବର୍ଷ ବର୍ଷ ରାଜସ୍ୱ ପାଇବାପାଇଁ ସଂଘର୍ଷ କରୁଥିବା ସିନେମା ହଲ ଗୁଡିକୁ ଏବେ କରୋନା ପରିପ୍ରେକ୍ଷୀରେ ବଞ୍ଚାଇ ରଖିବା ବଡ ଆହ୍ୱାନ ହୋଇଛି । ସଂଘ ମୁଖ୍ୟ କହିଛନ୍ତି ଯେ ରାଜ୍ୟରେ ଲକ୍‍ ଡାଉନ୍‍ କାର୍ଯ୍ୟକାରୀ ସମୟରୁ ସମସ୍ତ ସିନେମା ହଲ ବନ୍ଦହୋଇ ରହିଛି ।

କରୋନା ବ୍ୟାପିବା ସୂଚନା ପରେ ସିନେମ ହଲ ମାଲିକମାନେ ମାର୍ଚ୍ଚ ୧୩ରୁ ହଲ୍‍ ଗୁଡିକୁ ବନ୍ଦ କରିଦେଇଛନ୍ତି ଯାହା କି ଲୋକଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୋଇଛି । ଲକ୍‍ ଡାଉନ୍‍ରେ ସିନେମା ହଲରୁ ଟଙ୍କାଟିଏ ଆୟ ହେଉନଥିବାରୁ ମାଲକମାନେ ଘୋର ଦୁର୍ଦ୍ଦିନ ଦେଇ ଗତିକରୁଛନ୍ତି । ସରକାରଙ୍କ ଦେଇଥିବା
ଦାବି ପତ୍ରରେ ସଂଘ ଦର୍ଶାଇଛି ଯେ କରୋନା ଯୋଗୁଁ ସିନେମା ହଲ ବନ୍ଦଥିଲେ ମଧ୍ୟ କର୍ମଚାରୀଙ୍କୁ ଦରମା ଓ ପାରିଶ୍ରମିକ ସହିତ ବ୍ୟାଙ୍କ୍‍ ଋଣ ଓ ସୁଧ ଦେବାକୁ ହେଉଛି ଏଥି ସହିତ ବିଦ୍ୟୁତ୍‍ ବିଲ୍‍ ଓ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ଦେୟ ବି ଦିଆଯାଉଛି ।
ଏଭଳି ସ୍ଥିତିରେ ସିନେମା ହଲ ଶିଳ୍ପକୁ ସହାୟତା କରିବା ଲାଗି ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଶିଳ୍ପ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ମୁଖ୍ୟ ଶାସନ ସଚିବ ଅସୀତ କୁମାର ତ୍ରିପାଠୀ ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ. ପାଣ୍ଡିଆନଙ୍କୁ ଅନୁରୋଧ କରାଯାଇଛି । ରାଜ୍ୟର ସମସ୍ତ ସିନେମା ଶିଳ୍ପ ଯଥା ଫିଲ୍ମ ନିର୍ମାଣ, ବିତରଣ, ସିନେମା ହଲ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ
ଶିଳ୍ପ ବ୍ୟବସାୟରୁ ୧୦୦ କୋଟିର ରାଜସ୍ୱ ମିଳୁଥିବାବେଳେ ଏବେ ତାହା ଶୂନକୁ ଆସିଯାଇଛି ।

ତେଣୁ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇ କୁହାଯାଇଛି ଯେ ସିନେମା ହଲ ଗୁଡିକ ପ୍ରତି ଦୟାପୂର୍ବକ ପଦକ୍ଷେପ ନେବା ସହିତ ବିଦ୍ୟୁତ୍‍ ଦେୟ ପଇଠ କାରଣରୁ ଲାଇନ୍‍ କଟାନଯାଉ । ସେହିଭଳି ସିନେମା ହଲରେ ସାମାନ୍ୟ ସ୍ଥିତି ଫେରିବା ପର୍ଯ୍ୟନ୍ତ ସର୍ବନିମ୍ନ ବିଦ୍ୟୁତ୍‍ ବିଲ୍‍ ନେବାପାଇଁ ସଂଘ ଅନୁରୋଧ କରିଛି । ସିନେମା ଶିଳ୍ପରେ ହଜାର ହଜାର ଲୋକ କାମ କରୁଥିବାରୁ ରାଜ୍ୟ ସରକାର ମାନବିକତା ଦୃଷ୍ଟି କୋଣରୁ
ଏହାକୁ ବିଚାର କରିବା ଆବଶ୍ୟକ ବୋଲି ଜଣେ ହଲ ମାଲିକ ମତ ଦେଇଛନ୍ତି । ପୂର୍ବରୁ ଉତ୍କଳ ଚାମ୍ବର୍ସ ଅଫ୍‍ କମର୍ସ ପକ୍ଷରୁ ଏହି ପ୍ରସଙ୍ଗକୁ ରାଜ୍ୟ ସରକାରଙ୍କ ନିକଟରେ ଉତ୍‍ଥାପନ କରାଯାଇଛି । ଶିଳ୍ପ ବିଭଗର ପ୍ରମୁଖ ସଚିବ ହେମନ୍ତ ଶର୍ମାଙ୍କୁ ସିନେମା ଶିଳ୍ପର ଦୁର୍ଦ୍ଦିନ ସଂକ୍ରାନ୍ତରେ ବିସ୍ତୃତ ଭାବେ ଅବଗତ କରାଯାଇଥିବାବେଳେ ସରକାରଙ୍କ ସକରାତ୍ମକ ନିଷ୍ପତ୍ତିକୁ ସଂଘ ଅପେକ୍ଷା କରିଥିବା ଏହାର ଜଣେ କର୍ମକର୍ତ୍ତା କହିଛନ୍ତି