ଭୁବନେଶ୍ୱର : ସାମ୍ପ୍ରତିକ କରୋନା ପ୍ରତିରୋଧ ଅଭିଯାନରେ ସମଗ୍ର ଜନସମାଜ ସାମିଲ୍ ହୋଇଥିବା ବେଳେ ପ୍ରତ୍ୟେକ ବର୍ଗର ନାଗରିକଙ୍କୁ କିପରି ଏଥିରୁ ସୁରକ୍ଷିତ ରଖାଯାଇପାରିବ ସେଥିପାଇଁ ଚାଲୁରହିଛି ଉଦ୍ୟମ । ଏହି ଅବସରରେ ଭୁବନେଶ୍ୱର ମହାନଗର ନିଗମ ତରଫରୁ ଚାଲୁରହିଥିବା ସେବା ତଥା ଉଦ୍ଧାର କାର୍ଯ୍ୟକ୍ରମର ଆଉ ଏକ ନମୁନା ଆଜି ଲୋକଲୋଚନକୁ ଆସିଛି । ସାଧାରଣତଃ ନଜାଣିପାରିଥିବା ଲୋକଟି ଏଠିସେଠି ମୁଣ୍ଡ ଗୁଂଜିଥିବା ବେଳେ ତାଙ୍କର ଦାୟିତ୍ୱ ଏବେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛି । କମିଶନର ପ୍ରେମ୍ ଚନ୍ଦ୍ର ଚୌଧାରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ସକାଳ ୧୦ ଘଟିକା ସମୟରେ ଟିମ୍ ବି.ଏମ୍.ସି. ତରଫରୁ ଜନୈକ ଅଚିହ୍ନା ମହିଳାଙ୍କୁ ଉଦ୍ଧାର କରାଯାଇ ଯାଆଁଳା ସ୍ଥିତ ପ୍ରମୁଖ ସ୍ୱେଚ୍ଛାସେବୀ ସଂଗଠନ “ମିଶନ୍ ଆଶ୍ରା” କୁ ପଠାଯାଇଛି ।
ସ୍ଥାନୀୟ ୟୁନିଟ୍-୬ ସ୍ଥିତ ଭି ଆଇ ପି କ୍ୱାର୍ଟର ଏରିଆରେ ଏହିମହିଳା ଜଣକ ଜଣେ ମହିଳା ବସିଥିବାରୁ ବି.ଏମ୍.ସି. କର୍ତୃପକ୍ଷଙ୍କୁ ସୂଚନା ମିଳିବା ମାତ୍ରେ ବି.ଏମ୍.ସି. ର ୱେଲ୍ଫେୟାର୍ ଦାୟିତ୍ୱରେ ଥିବା ଡ଼େପୁଟି କମିଶନର କମଳାକାନ୍ତ ବେହେରା ଏ ଦିଗରେ ପଦକ୍ଷେପ ନେଇଥିଲେ । ସଙ୍ଗେ ସଙ୍ଗେ ସ୍ଥାନୀୟ ୱାର୍ଡ଼ ଅଫିସର, କମ୍ୟୁନିଟି ଅର୍ଗାନାଇଜର୍ ଏବଂ ସ୍ୱେଚ୍ଛାସେବୀ ସଂଗଠନ ଓଡ଼ିଶା ପତିତା ଉଦ୍ଧାର ସମିତିର ସ୍ୱେଚ୍ଛାସେବୀ ଇତ୍ୟାଦି ଯାଇ ସେଠାରେ ପହଂଚିଥିଲେ । ଏହାପରେ ସମ୍ପୃକ୍ତ ମହିଳାଙ୍କୁ ପ୍ରାରମ୍ଭିକ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଜଣାଯାଇଥିଲା ଯେ, ମହିଳା ଜଣଙ୍କ ମାନସିକ ଅନଗ୍ରସର ।
ତେଣୁ, ଏପରି ମାନସିକ ଅବସ୍ଥା ଥିବା ବ୍ୟକ୍ତିମାନଙ୍କ ପାଇଁ ଯାଆଁଳା ସ୍ଥିତ ସ୍ୱତନ୍ତ୍ର ଆଶ୍ରୟସ୍ଥଳୀ “ମିଶନ୍ ଆଶ୍ରା” କୁ ଉକ୍ତ ମହିଳାଙ୍କୁ ପଠାଇ ସେଠାରେ ତାଙ୍କର ଦାୟିତ୍ୱ ନେବାକୁ ସମ୍ପୃକ୍ତ ସଂସ୍ଥାକୁ କୁହାଯାଇଛି । ନେବା ପୂର୍ବରୁ ତାଙ୍କର ସ୍ୱାବ୍ ଟେଷ୍ଟ୍ କରାଯାଇଛି ଏବଂ ନିୟମିତ କଥୋପକଥନ ମାଧ୍ୟମରେ ସମ୍ଭବକ୍ରମେ ସମ୍ପୃକ୍ତ ମହିଳାଙ୍କର ଠିକଣା ଠାବ କରିବାକୁ ବି.ଏମ୍.ସି. କର୍ତୃପକ୍ଷ କହିଛନ୍ତି ।