ଭୁବନେଶ୍ୱର : ରାଜଧାନୀର ରାଜ ରାସ୍ତାରେ ପ୍ରଦିଦିନ ଲୋକେ ଚାଲି ଚାଲି ନିଜ ଘରକୁ ଫେରୁଥିବାର କରୁଣ ଦୃଶ୍ୟ ଦେଖିବାକୁ ମିଳୁଛି । କିଏ ଆନ୍ଧ୍ରରୁ ଆସି ଛତିଶଗଡ ଯାଉଛି ତ ଆଉ କିଏ ଓଡିଶାରୁ ବିହାର ଓ ଅନ୍ୟ ସ୍ଥାନକୁ ଯାଉଛି । ହେଲେ ଏମାନଙ୍କୁ ରାସ୍ତାରେ ପାଣି ମୁନ୍ଦାଏ ଦେବାକୁ କେହି ନାହାନ୍ତି । ସ୍ୱେଚ୍ଛାସେବୀ ସଂସ୍ଥା ଓ କର୍ମୀମାନେ କୁଆଡେ ଗଲେ ବୋଲି ଲୋକେ ପ୍ରଶ୍ନ
କରୁଛନ୍ତି । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ସମୟରେ
ରିଲିଫ ବାଣ୍ଟିବାପାଇଁ ରାସ୍ତାଘାଟରେ ପ୍ରତିଯୋଗିତା ଚଳାଉଥିବା ଏନ୍ଜିଓମାନଙ୍କର ଆଉ ଦେଖା ଦର୍ଶନ ନାହିଁ । କିଏ ରନ୍ଧା ଖାଦ୍ୟ ବାଣ୍ଟୁଥିଲା ତ ଆଉ କିଏ ଶୁଖିଲା ଖାଦ୍ୟ । ରାଜମହଲ ଛକରେ ତ ପ୍ରତିଦିନ ରିଲିଫ ବଣ୍ଟନ ମେଳା ଚାଲୁଥିଲା । ସପ୍ତାହେ ଦୁଇ ସପ୍ତାହ ଖବରକାଗଜ ପୃଷ୍ଠା ରିଲିଫ ବଣ୍ଟନର ସଚିତ୍ର ଖବରରେ ପୂରି ଯାଉଥିଲା । ବିଭିନ୍ନ ବସ୍ତିରେ ବି କେତେକ ସଂସ୍ଥା ଯାଇ ରିଲିଫ ବାଣ୍ଟିଥିଲେ । ଅବଶ୍ୟ ଏଥିଯୋଗୁଁ ଲକ୍ଡାଉନ୍ ପାଇଁ ରାସ୍ତାଘାଟରେ ଅଟକି ରହିଥିବା ଅନେକ ଗରିବ ଓ ଅସହାୟ ଲୋକେ ଗଣ୍ଡାଏ ଖାଇବାକୁ ପାଇଥିଲେ ।
ହେଲେ ସପ୍ତାହେ ଦୁଇ ସପ୍ତାହ ପରେ ଆଉ କାହାର ଦେଖା ଦର୍ଶନ ନାହିଁ । ବର୍ତ୍ତମାନ ରାସ୍ତାଘାଟରେ ଶହ ଶହ ଭୋକିଲା ପାଣି ମୁନ୍ଦାଏ ପାଇଁ ଆଉଟୁ ପାଉଟୁ ହେଉଥିଲେ ମଧ୍ୟ ସେମାନଙ୍କ ପାଇଁ କାହାର ଦରଦ ନାହିଁ । କିଛି ସରକାରୀ ସଂସ୍ଥା ବି ଜୋରସୋରରେ ଖାଦ୍ୟ ସାମଗ୍ରୀ ପରସୁଥିଲେ । ସେମାନଙ୍କର ବି ଏବେ ଆଉ ଦେଖା ନାହିଁ । ତେଣୁ ଶହ ଶହ କିଲୋମିଟର ରାସ୍ତା ଅତିକ୍ରମ କରୁଥିବା ଲୋକଙ୍କୁ କିଭଳି ଖାଦ୍ୟ ଯୋଗାଯିବ ସେଥିପାଇଁ ବେସରକାରୀ ସଂଗଠନମାନେ ଆଗେଇ ଆସିବାକୁ ମତପ୍ରକାଶ ପାଉଛି । ସରକାରୀ ହିସାବରେ ୨୬୧୦ ଟି କ୍ୟାମ୍ପରେ ଲୋକଙ୍କୁ ରଖାଯାଇ ଖାଦ୍ୟ ସାମଗ୍ରୀ ଦିଆଯାଉଛି । ହେଲେ ରାଜଧାନୀ ଓ ଏହାର ଆଖପାଖରେ କେଉଁଠି କେତେ କ୍ୟାମ୍ପ ରହିଛି ତାହାର ସୂଚନା ସର୍ବସାଧାରଣରେ ଲଗାଗଲେ ଅତି କମ୍ରେ ଏହି ଭୋକିଲା ଲୋକେ ସେଠାରେ ପହଞ୍ଚି
ପାରନ୍ତେ । ଯେଉଁ କିଛି ସ୍ୱେଚ୍ଛାସେବୀ ସଂସ୍ଥା ନିଜ ନିଜର ପ୍ରଚାର ପାଇଁ ଦିନେ ଦୁଇଦିନ ଖାଦ୍ୟ ଵାଣ୍ଟି ଫଟୋ ଉଠାଇ ପଳାଇଲେ ସେମାନଙ୍କ ସଂକ୍ରାନ୍ତରେ ମଧ୍ୟ ସୂଚନା ସଂଗ୍ରହ ପାଇଁ ଦାବି ହେଉଛି ।
ବିପଦକୁ ନିଜର ସମ୍ପଦ କରିଥିବା ଏହି ସଂସ୍ଥାମାନଙ୍କ ସଂକ୍ରାନ୍ତରେ ବି ସାଧାରଣ ଲୋକେ ଜାଣିବା ଦରକାର । ଅସହାୟମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦେବାପାଇଁ କେନ୍ଦ୍ର ସରକାର ପର୍ଯ୍ୟାପ୍ତ ପରିମାଣର ଚାଉଳ ଓ ଗହମ ସରକାରୀ ଦରରେ ଯୋଗାଇ ଦେବାପାଇଁ ଘୋଷଣା କରିଥିଲେ ମଧ୍ୟ ରାଜ୍ୟର କୌଣସି ଏନ୍ଜିଓ ଏହା ଉଠାଇନଥିବା ଜଣାଯାଇଛି । ବର୍ତ୍ତମାନ ସମଗ୍ର ବିଶ୍ୱରେ କରୋନା ମହାମାରୀ ବ୍ୟାପିଥିବାରୁ ଏହି ବେସରକାରୀ ସଂସ୍ଥା ଗୁଡିକ ରାଜ୍ୟ ଭିତରୁ କିମ୍ବା ବାହାରୁ ସହାୟତା
ପାଇବାର ନାହିଁ । ତେଣୁ ହାତରୁ ଅର୍ଥ ବ୍ୟୟ କରି ରିଲିଫ ଚଳାଇବାକୁ ଅନେକ ଅମଙ୍ଗ । ଦୁଇ ଚାରିଦିନ ବିସ୍କୁଟ, ପାଣିବୋତଲ ଓ ଚାଉଳ ଡାଲି ଆଦି ଧରାଇ ନିଜର କାମ
ସାରିଦେଇଥିବା ଏନ୍ଜିମାନଙ୍କ କାର୍ଯ୍ୟକୁ ନେଇ ଆଲୋଚନା ଚାଲିଥିବାବେଳେ ଏମାନଙ୍କ ରିଲିଫ ବଣ୍ଟନ କାହାପାଇଁ ବୋଲି ଏବେ ସାଧାରଣରେ ପ୍ରଶ୍ନ ହେଲାଣି ।