Odia News Portal

ଗଲ୍ଫ ସିଟି ଦୁବାଇରୁ ଭୁବନେଶ୍ବର ଫେରିଲେ ଫସି ରହିଥିବା ଯାତ୍ରୀ

ଭୁବନେଶ୍ୱର : ଗଲ୍ଫ ସିଟି ଦୁବାଇରୁ ଭୁବନେଶ୍ବର ଫେରିଲେ ଫସି ରହିଥିବା ଯାତ୍ରୀ । ଓଡ଼ିଶା ଫେରିବା ପାଇଁ ୩୦୦ରୁ ଅଧିକ ପଞ୍ଜି କରଣ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୪୯ ଯାତ୍ରୀ ଫେରୁଛନ୍ତି । ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ସ୍ଥାନୀୟ ସମୟ ୩ଟାରେ ଦୁବାଇ ଛାଡ଼ିଥିବା ବେଳେ ରାତି ୯ଟା ୧୫ରେ ଭୁବନେଶ୍ବରରେ ପହଞ୍ଚିବ । କରୋନା ମହାମାରୀ ସମୟରେ ଦୁବାଇରୁ ଭୁବନେଶ୍ବରକୁ ସ୍ବତନ୍ତ୍ର ବିମାନର ବ୍ୟବସ୍ଥା କରିଥିବାରୁ ଯାତ୍ରୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡ଼ିଆ ସମାଜ ୟୁଏଇକୁ ଧନ୍ୟବାଦ ଜଣାଇଛନ୍ତି ।

ଦୁବାଇରୁ ଓଡ଼ିଶା ଅଭିମୁଖେ ବାହାରିଛନ୍ତି ୧୪୯ ଯାତ୍ରୀ । ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନରେ ଦୁବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ସ୍ଥାନୀୟ ସମୟ ଅପରାହ୍ନ ୩ଟାରେ ବାହାରିଛନ୍ତି। ରାତି ୯ଟା ୧୫ରେ ପ୍ରଥମ ଥର ପାଇଁ ଏହି ସ୍ବତନ୍ତ୍ର ବିମାନ ଭୁବନେଶ୍ବର ଏୟାରପୋର୍ଟରେ ଅବତରଣ କରିବ । ଓଡ଼ିଶା ଫେରିବା ପାଇଁ ପ୍ରାୟ ୩୦୦ରୁ ଅଧିକ ଓଡ଼ିଆ ପଞ୍ଜୀକରଣ କରିଛନ୍ତି। ତେବେ ପ୍ରଥମ ପର୍ଯ୍ୟାୟରେ ୧୪୯ ଯାତ୍ରୀ ଆସିଥିବା ବେଳେ ପରବର୍ତ୍ତୀ ସମୟରେ ଅନ୍ୟମାନେ ଆସିବେ। ଓଡ଼ିଆମାନଙ୍କର ଘର ବାହୁଡ଼ା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରୟାସ କରିଥିବାରୁ ଯାତ୍ରୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଦୁବାଇରୁ ସିଧା ଭୁବନେଶ୍ବରକୁ କୌଣସି ଫ୍ଲାଇଟ୍ ନଥିଲା । ତେବେ କୋଭିଡ-୧୯ ବିପତ୍ତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର, କନସୁଲେଟ୍ ଜେନେରାଲ ଅଫ୍ ଇଣ୍ଡିଆ ଏବଂ ଓଡ଼ିଶା ସମାଜ ୟୁଏଇର ଅନୁରୋଧ ପରେ ଭୁବନେଶ୍ବରକୁ ସିଧା ସ୍ବତନ୍ତ୍ର ବିମାନର ବ୍ୟବସ୍ଥା କରାଯାଇଛି । ଓଡ଼ିଶାରେ ପହଞ୍ଚିବା ପରେ ଯାତ୍ରୀମାନେ ରାଜ୍ୟ ସରକାରଙ୍କ କୋଭିଡ୍ ଗାଇଡ ଲାଇନ ପାଳନ କରିବେ । ଯେଉଁମାନେ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ଫେରିପାରୁ ନାହାଁନ୍ତି, ସେମାନେ ପରବର୍ତ୍ତୀ ପର୍ଯ୍ୟାୟ ପର୍ଯ୍ୟନ୍ତ ଧୈର୍ଯ୍ୟର ସହ ଅପରେକ୍ଷା କରିବାକୁ ଓଡ଼ିଶା ସମାଜ ୟୁଏଇ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ସଂଯୁକ୍ତ ଆରବର ବିଭିନ୍ନ ସଂସ୍ଥାରେ ହଜାର ହଜାର ଓଡ଼ିଆ କାମ କରୁଛନ୍ତି। କରୋନା ଯୋଗୁଁ ଅନେକ ଓଡ଼ିଆ ଚାକିରି ହରାଇ ଜନ୍ମମାଟିକୁ ଫେରିବାକୁ ବାହାରିଛନ୍ତି । ସେହିପରି ବିଭିନ୍ନ କାମରେ ଏବଂ ବୁଲିବାକୁ ଯାଇ ଅନେକ ଦୁବାଇରେ ଫସି ରହିଥିଲେ । ଏବେ ଘରବାହୁଡ଼ା ସେମାନଙ୍କୁ ଆସ୍ବସ୍ତ କରିଛି ।