Odia News Portal

ପ୍ରେମରେ କଣ୍ଟା ସାଜିଲା ମାରାତ୍ମକ ଭାଇରସ୍‌

ଜଳଶ୍ବେର : ପ୍ରଥମେ ପ୍ରେମ ତାପରେ ବିବାହର ପ୍ରତିଶ୍ରୁତି। ଦେଶରେ କରୋନା ପାଇଁ ଜାରି ରହିଥିବା ଲକଡାଉନ ସତ୍ତ୍ୱେ ବି ହାର୍ ମାନି ନଥିଲେ ଯୁବକ । ପ୍ରେମ ପାଇଁ ବାଙ୍ଗାଲୁରରୁ ଆସି ପଶ୍ଚିମବଙ୍ଗରେ ବିବାହ କରିଥିଲେ ଯୁବକ। ମାତ୍ର ଯୁବକଙ୍କୁ ତାର ପରିଣାମ ସ୍ୱରୂପ କରୋନା ଅକ୍ରାନ୍ତ ହେବାକୁ ପଡିଛି। ଦେଇଥିବା ପ୍ରତିଶ୍ରୁତିରେ କଣ୍ଟା ସାଜିଲା ଏହି ମହାମାରୀ କରୋନା ।

ମିଳିଥିବା ସୂଚନାନୁସାରେ, ବାଲେଶ୍ଵର ଭୋଗରାଇ ବ୍ଲକ ସୁନାଧରବସାଣ ପଞ୍ଚାୟତର ଏହି ୨୭ ବର୍ଷୀୟ ଯୁବକ ପଶ୍ଚିମବଙ୍ଗ କଣ୍ଟେଇ ଅଞ୍ଚଳରେ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ଏପ୍ରିଲ ୧୭ ତାରିଖରେ ଯୁବକ ଜଣକ କଣ୍ଟେଇ ଯାଇ ଉକ୍ତ ଯୁବତୀଙ୍କୁ ବିବାହ କରିଥିଲେ। ବିବାହ ପରେ ନବଦମ୍ପତି ସାଙ୍ଗରେ ତାଙ୍କ ଶାଳୀଙ୍କୁ ଆଣି ନିଜ ଘରେ ରହିଥିଲେ । ଏ ସଂପର୍କରେ ସ୍ଥାନୀୟ ପଞ୍ଚାୟତ କିମ୍ବା ପ୍ରଶାସନ ନିକଟରେ କୌଣସି ସୂଚନା ନଥିଲା । ତେବେ କିଛି ଦିନ ପରେ ସେହି ଅଞ୍ଚଳର ଆଶାକର୍ମୀ କୌଣସି ସୂତ୍ରରୁ ଏ ଖବର ଜାଣି ପ୍ରଶାସନକୁ ଅବଗତ କରିଥିଲେ।

ମେ ୬ ତାରିଖରେ ସମ୍ପୃକ୍ତ ଯୁବକଙ୍କ ସହ ତାଙ୍କ ପତ୍ନୀ ଓ ଶାଳୀଙ୍କଠାରୁ ସ୍ୱାବ୍‌ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ରିପୋର୍ଟ ଆସିବା ପରେ କେବଳ ସେହି ଯୁବକ ଜଣକ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ମାତ୍ର ତାଙ୍କଠାରେ ଏ ନେଇ କୌଣସି ଲକ୍ଷଣ ଦେଖିବାକୁ ମିଳିନାହିଁ। ହେଲେ ଏହି ସମୟ ମଧ୍ୟରେ ସେ ନିଜ ସାଙ୍ଗସାଥୀ, ଗାଁ ଲୋକଙ୍କ ସହ ମିଶିବା ସହ ଭୋଜି ଖାଇବା ତଥା ବଜାରକୁ ଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଏ ନେଇ ପ୍ରଶାସନ ତଥା ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ିଯିବା‌ ସହ ସଂପୃକ୍ତ ଯୁବକଙ୍କ ଦ୍ବାରା ଏକାଧିକ ଲୋକ ସଂକ୍ରମିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ତେବେ ସମ୍ପୃକ୍ତ ଯୁବକଙ୍କ ପରିବାର, ପଡ଼ୋଶୀ ଏବଂ ସାଙ୍ଗସାଥୀଙ୍କୁ ମିଶାଇ ୧୩୦ ଜଣଙ୍କଠାରୁ ସ୍ୱାବ ସଂଗ୍ରହ କରାଯାଇ  ପରୀକ୍ଷା ପାଇଁ ପଠାଯାଇଛି । ଆକ୍ରାନ୍ତ ଯୁବକଜଣକ ସୁନାଧରବସାଣ ପଞ୍ଚାୟତ ଓ ପାର୍ଶ୍ୱବର୍ତ୍ତୀ ଭୋଗରାଇ ପଞ୍ଚାୟତର ବିଭିନ୍ନ ଗାଁ ବୁଲାବୁଲି କରିଛନ୍ତି ।ସମ୍ପୃକ୍ତ ଦୁଇ ପଞ୍ଚାୟତର ସରପଞ୍ଚ  ସେହି ଅଞ୍ଚଳକୁ ୭୨ ଘଣ୍ଟିଆ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ‌ସେହିପରି ଏହି ବ୍ଲକର କାନ୍ଥିଭଉଁରୀ ପଞ୍ଚାୟତକୁ ମଧ୍ୟ ସେଠାକାର ସରପଞ୍ଚ ଏହି ଯୁବକଙ୍କ ପାଇଁ ସଟ୍‌ଡାଉନ୍‌ ଘୋଷଣା କରିଥିବା ସୂଚନନା ମିଳିଛି।

ତେବେ କରୋନା କଟକଣା ଜାରି ସତ୍ତ୍ୱେ  ଯୁବକ ଜଣଙ୍କ ପ୍ରେମକୁ ସଫଳ କରିବାପାଇଁ ନିୟମକୁ ଅମାନ୍ୟ କରି ବିବାହ କରିଥିଲେ । ଫଳରେ ନିଜେ ବିପଦକୁ ଡାକି ଆଣିବା ସହ ଗ୍ରାମବାସୀଙ୍କୁ ବିପଦରେ ପକାଇ ଦେଇଛନ୍ତି।