Odia News Portal

ମୁଖ୍ୟମନ୍ତ୍ରୀଙ୍କ ଫି ଛାଡ ଅନୁରୋଧକୁ କର୍ଣପାତ କଲେନି ଘରୋଇ ସ୍କୁଲ

ଭୁବନେଶ୍ୱର : କରୋନା ଭଳି ମହାମାରୀ ପରିପ୍ରେକ୍ଷୀରେ ଘରୋଇ ବିଦ୍ୟାଳୟ ଗୁଡିକ ଫି ଛାଡ କରିବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଅନୁରୋଧ କରିଥିଲେ ତାହାକୁ ଗୋଟିଏ ହେଲେ ଆଗଧାଡିର ସ୍କୁଲ ମାନିଲେ ନାହିଁ । କେହି ଜଣେ ହେଲେ ସ୍କୁଲ କର୍ତ୍ତୃପକ୍ଷ ଆଗକୁ ଆସି ସହଯୋଗର ହାତ ବଢାଇଲେ ନାହିଁ କି ଫି ଛାଡ ନେଇ ଘୋଷଣା କଲେନାହିଁ । ଘରୋଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏଭଳି ମନୋଭାବକୁ ଅନେକ ନାପସନ୍ଦ କରିବା ସହିତ ଏମାନଙ୍କ କାର୍ଯ୍ୟର ସମୀକ୍ଷା ପାଇଁ ମତ ଦେଉଛନ୍ତି । କରୋନା ଯୋଗୁଁ ଘରୋଇ ବିଦ୍ୟାଳୟ ଗୁଡିକ ଏବେ
ବନ୍ଦ ରହିଛି । ଜୁନ୍‍ ୧୭ ତାରିଖ ଯାଏ ସରକାର ଏହାକୁ ଛୁଟି ଘୋଷଣା କରିଥିବାବେଳେ କରୋନା ପ୍ରାର୍ଦୁଭାବ କମିଥିଲେ ହିଁ ଏହା ଖୋଲିବ ବୋଲି କୁହାଯାଉଛି । ମାର୍ଚ୍ଚରୁ ଜୁନ୍‍ ପର୍ଯ୍ୟନ୍ତ ପ୍ରାୟ ସାଢେ ତିନିମାସ ଧରି ବିଦ୍ୟାଳୟ ଛୁଟି ରହିଥିଲେ ମଧ୍ୟ ସ୍କୁଲ କର୍ତ୍ତୃପକ୍ଷ ଫି ଆଦାୟ ପାଇଁ ଅଣ୍ଟା ଭିଡିଛନ୍ତି । ଇତି ମଧ୍ୟରେ କେତେକ ସ୍କୁଲ କର୍ତ୍ତୃପକ୍ଷ ଅଭିଭାବକମାଙ୍କୁ ଫୋନ୍‍ କରି ଫି ଦାଖଲ ପାଇଁ କହିବା ସହିତ ବ୍ୟାଙ୍କ ଆକାଉଣ୍ଟ ନମ୍ବର ପଠାଇବାରେ ଲାଗିଛନ୍ତି ।

ମହାମାରୀ ସମୟରେ ଫି ଛାଡ କିମ୍ବା ହ୍ରାସ ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ଅପିଲ କରିଥିଲେ ତାହାକୁ ଘରୋଇ ବିଦ୍ୟାଳୟ ଗୁଡିକ କିଭଳି ଅମାନ୍ୟ କଲେ ଏବେ ତାହା ଚର୍ଚ୍ଚାର ବିଷୟ ହୋଇଛି । ଅନ୍ୟ ସମୟରେ ସରକାରଙ୍କ ଠାରୁ ବିଭିନ୍ନ ସୁବିଧା ସୁଯୋଗନେବା ବିଶେଷକରି ରାଜଧାନୀର ପ୍ରମୁଖ ସ୍ଥାନରେ ଶାଗମାଛ ଦରରେ ଜମି ନେବା, ସାଂସଦ ଓ ବିଧାୟକ ପାଣ୍ଠିରୁ ଅର୍ଥ ନେଇ ବିକାଶ କାର୍ଯ୍ୟ କରିବା, ସରକାରୀ ନିୟମକୁ ଅନେକ ସ୍ଥାନରେ ଫୁ କରି ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ମୋଟା
ଅଙ୍କର ଡୋନେସନ ନେବା, ବିଦ୍ୟାଳୟରେ ଏସି, ଫିଜ୍‍, ୱାଟରକୁଲର ପାଇଁ ଅଭିଭାବକଙ୍କ ଠାରୁ ଅର୍ଥ ଆଦାୟ ଭଳି କାର୍ଯ୍ୟ କରିଥାନ୍ତି । ଯେହେତୁ ଅନେକ ଘରୋଇ ବିଦ୍ୟାଳୟରେ ମନ୍ତ୍ରୀ, ବିଧାୟକ ଓ ଅଫିସରଙ୍କ ପିଲା ଓ ସମ୍ପର୍କୀୟମାନେ ପାଠ ପଢନ୍ତି ତେଣୁ ସବୁ ଜାଣିଥିଲେ ବି ସରକାରୀକଳ ଏଥିପ୍ରତି ବହୁ
କ୍ଷେତ୍ରରେ ଆଖିବୁଜି ଦେଇଥାଏ ।

ଏପରିକି ଗରିବ ପିଲାଙ୍କ ଲାଗି ଉଦ୍ଦିଷ୍ଟ ଆସନକୁ ବି ଘରୋଇ ସ୍କୁଲ କର୍ତ୍ତୃପକ୍ଷ ବିକିବାକୁ ପଛାନ୍ତି ନାହିଁ । ଏତେସବୁ ସୁବିଧା ସୁଯୋଗ ଓ ବେଆଇନ୍‍ କାର୍ଯ୍ୟ ପରେ ବି ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ଏଭଳି ମହାମାରୀ ସମୟରେ ଗ୍ରହଣ ନକରିବା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଘରୋଇ ସ୍କୁଲରେ ନିଜ ପିଲାଙ୍କୁ ପଢାଉଥିବା ସବୁ ଅଭିଭାବକ ଧନୀ ନୁହନ୍ତି । ଅନେକ ଏଭଳି ଅବସ୍ଥାରେ ଅଛନ୍ତି ଯେ ସ୍କୁଲ ଫି ଦେବାକୁ ସେମାନେ ଏଭଳି ତିରୋଟ ସମୟରେ ନାଚାର । ଯଦି ଫି କିଛି ପରିମାଣରେ ହ୍ରାସପାଇଥାନ୍ତା ତେବେ ମୁଖ୍ୟମନ୍ତ୍ରୀଙ୍କ କଥା ରହିବା ସହିତ
ସାଧାରଣ ଲୋକେ ମଧ୍ୟ ଉପକୃତ ହୋଇଥାନ୍ତେ ।

ଏଥିରେ ସ୍କୁଲ ଗୁଡିକ ସେଭଳି ଭାବେ କିଛି କ୍ଷତିଗ୍ରସ୍ତ ହେବାର ବି
ନଥିଲା । କିନ୍ତୁ ସବୁ ଜାଣିଶୁଣି ଶିକ୍ଷାଦାନକ ବ୍ୟବସାୟରେ ପରିଣତ କରିଥିବା ଅନେକ ବିଦ୍ୟାଳୟ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ବି ପ୍ରତ୍ୟାଖାନ କରିଦେଲେ । ତେଣୁ
ଆଗାମୀ ଦିନରେ ଏହି ବିଦ୍ୟାଳୟ ଗୁଡିକର ବିଭିନ୍ନ କାର୍ଯ୍ୟର
ସମୀକ୍ଷାପାଇଁ ସାଧାରଣରେ ମତ ପ୍ରକାଶ ପାଉଛି । ଯେଉଁମାନେ
ମହାମାରୀ ସମୟରେ ସରକାରଙ୍କ ସାଙ୍ଗରେ ରହୁନାହାନ୍ତି
ସେମାନେ ପିଲାଙ୍କୁ କି ଶିକ୍ଷା ଦେବେ ବୋଲି ଅନେକ କହୁଛନ୍ତି