Odia News Portal

ଆଗକୁ ଆହୁରି ବଢ଼ିବ ତାପମାତ୍ରା : ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ବର : ରାଜ୍ଯରେ ସର୍ବାଧିକ ୪୨.୫ଡିଗ୍ରି ସହ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଏହାସହ ତାଳଚେର ତାପମାତ୍ରା ମଧ୍ୟ ୪୨ ଡିଗ୍ରି ଛୁଇଁଛି। ରାଜ୍ୟର ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଛି। ଆଗକୁ ରାଜ୍ୟର ତାପମାତ୍ରା ଆହୁରି ବଢ଼ିବ। ୨୧ ତାରିଖ ବେଳକୁ ରାଜ୍ୟର ତାପାମତ୍ରା ୪୪ ଡିଗ୍ରି ଅତିକ୍ରମ କରିବ ଓ ମେ’ ‌ଶେଷ ପର୍ଯ୍ୟନ୍ତ ଏପରି ସ୍ଥିତି ଲାଗି ରହିବ ବୋଲି ସୂଚନା ମିଳିଛି।

ଆଗକୁ ଦିନକୁ ଦିନ ରାଜ୍ୟର ତାପମାତ୍ରା ବଢ଼ିବା ସହ ଗରମ, ଗୁଳୁଗୁଳି ବଢ଼ିବ। ଅନୁମାନ କରାଯାଉଛି ଯେ ୧୯ତାରିଖ ପର୍ଯ୍ୟନ୍ତ ଉପକୂଳ ଅଞ୍ଚଳରେ ତାପମାତ୍ରା ବିଶେଷ ବଢ଼ିବ ନାହିଁ। କିନ୍ତୁ ଏହାପରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଗରମ କ୍ରମଶଃ ବଢ଼ିବ। ଭୁବନେଶ୍ବର ତାପମାତ୍ରା ୨୦ ତାରିଖ ତାରିଖଠାରୁ ବଢ଼ି ୨୧,୨୨ ତାରିଖରେ ୪୦ ଡିଗ୍ରି ଅତିକ୍ରମ କରିବ। ସେତେବେଳେ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ତାପମାତ୍ରା ୪୨ଡିଗ୍ରି ଅତିକ୍ରମ କରିଥିବା ବେଳେ ୨୧ତାରିଖକୁ ଗରମ ପୁଣି ଅଧିକ ହେବ। ଆଉ କେତେକ ସ୍ଥାନରେ ୪୪ ଡିଗ୍ରି ଛୁଇଁବାର ଆକଳନ କରାଯାଇଛି। ଏହି ଗରମ ମେ’ ମା‌ସ ପର୍ଯ୍ୟନ୍ତ ଲାଗି ରହିବାର ସମ୍ଭାବନା ରହିଛି।